ଆଜି ଉତ୍କଳ ଗୌରବ ମଧୁବାବୁଙ୍କ ତୀରୋଧାନ ଦିବସ ! ସ୍ମୁତିଚାରଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

134

କନକ ବ୍ୟୁରୋ : ଆଜି ଉତ୍କଳ ଗୌରବ ତଥା ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା  ମଧୁବାବୁଙ୍କ ତୀରୋଧାନ ଦିବସ । ଏହି ଅବସରରେ କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ମଧୁବାବୁଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ମଧୁବାବୁ କହିଲେ ହଠାତ ଆଖି ସାମନାକୁ ଚାଲିଆସେ ମୁଣ୍ଡରେ ଓଡ଼ିଆ ପଗଡ଼ି ଭିଡ଼ା କୂଳବୃଦ୍ଧ ଉତ୍କଳଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କର ସେଇ ଦର୍ପିତ ଚେହେରା । ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଉତ୍କଳ ଟ୍ୟାନେରି ପ୍ରତିଷ୍ଠା କରି ନିଜେ ଦେବାଳିଆ ହୋଇଯାଇଥିଲେ ସ୍ଵାଭିମାନୀ ଓଡ଼ିଆ ମଧୁବାବୁ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି । ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ ଏବଂ ୪ ଫେବୃଆରୀ ୧୯୩୪ ରେ ସେ ଇହଧାମ ତ୍ୟାଗ କରିଥିଲେ ।

ତେବେ ମଧୁବାବୁଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟମ ଟ୍ୱିଟ୍ କରି କହିଛନ୍ତି ‘ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ଆଧୁନିକ ଓଡ଼ିଶାର ସ୍ରଷ୍ଟା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସରେ ମୋର ଶ୍ରଦ୍ଧାଞ୍ଜଳି। ଓଡ଼ିଶାରେ ଶିକ୍ଷା, ଶିଳ୍ପର ଉନ୍ନତି ସହ ସାହିତ୍ୟ ଓ ସମାଜ ସଂସ୍କାର ପାଇଁ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ।‘