ମାଦେରିଆ ସହରର ଫ୍ଲାୱାର ଫେଷ୍ଟିଭାଲ୍ : ବସନ୍ତ ଆଗମନରେ ପର୍ତ୍ତୃଗାଲର ଏକ ପ୍ରମୁଖ ପର୍ବ

56

ବସନ୍ତ ଋତୁ ଆସିଲେ ମାଦେରିଆର ଘର ଠାରୁ ଆରମ୍ଭ କରି ରାସ୍ତା ଘାଟ ଭିନ୍ନ ଭିନ୍ନ ଫୁଲର ବାସ୍ନାରେ ଭରିଯାଏ । କାରଣ ବସନ୍ତ ଆସିଲେ ମାଦେରିଆରେ ପାଳନ କରାଯାଏ ଫୁଲର ପର୍ବ ‘ଫେଷ୍ଟା ଦା ଫ୍ଲୋର୍’ । ପର୍ତ୍ତୃଗାଲ ଏକ ବଡ ସହର ମାଦେରିଆ । ମାଦେରିଆ ଫ୍ଲାୱାର ଫେଷ୍ଟିଭାଲ୍ ହେଉଛି ପର୍ତ୍ତୃଗାଲର ଅନ୍ୟତମ ଆକର୍ଷଣ । ପ୍ରତିବର୍ଷ ମେ’୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ସହରର ପାଣିପାଗରେ ବିଭିନ୍ନ ପ୍ରକାର ଫୁଲ ଏଠି ଦେଖାଯାଏ । ବିଶେଷ କରି ବସନ୍ତ ଋତୁରେ ଫୁଲର କୌଣସି ଅଭାବ ହୁଏନି । ସେଥିପାଇଁ ବସନ୍ତ ଆଗମନରେ ମାଦେରିଆରେ ପାଳନ କରାଯାଏ ‘ଫେଷ୍ଟା ଦା ଫ୍ଲୋର୍’ ।

ଫୁଲକୁ ପିନ୍ଧି ଏବଂ ଫୁଲର ଗାଡିରେ ବସି ରାସ୍ତାରେ ପରେଡ କରିଥାନ୍ତି ମାଦେରିଆ ବାସି । ଯାହାକୁ ଦେଖିବା ପାଇଁ ରାସ୍ତା କଡରେ ଜମିଥାଏ ଦର୍ଶକଙ୍କ ଭିଡ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ରଙ୍ଗବେରଙ୍ଗ ପୋଷାକ ସହିତ ଫୁଲ ପିନ୍ଧି ଏବଂ ଫୁଲ ଭଳି ସଜ ହୋଇ ବାହାରି ଥାନ୍ତି ଏହି ପରେଡରେ । ଫୁଲରେ ସୁସଜ୍ଜିତ ଗାଡିରେ କୁନି କୁନି ପିଲାଙ୍କୁ ଫୁଲ ଭଳି ସଜାଇ ଏହି ପରେଡରେ ସାମିଲ୍ କରାଇଥାନ୍ତି । ପରେଡ ସମୟରେ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ମ୍ୟୁଜିକର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଭିନ୍ନ ଭିନ୍ନ ଦଳ ଏକ ଥିମ୍ ସହ ପରେଡକୁ ଓହ୍ଲାଇଥାନ୍ତି । ସେମାନଙ୍କ ମଧ୍ୟରେ ଆୟୋଜିତ ହୋଇଥାଏ ଏକ ପ୍ରତିଯୋଗୀତା । ଆଉ ବିଜୟୀ ଦଳକୁ ପର୍ତ୍ତୃଗାଲ ସରକାରଙ୍କ ତରଫରୁ ଖାସ୍ ପୁରସ୍କାର ଦିଆଯାଇଥାଏ ।

୧୯୫୪ ମସିହାରୁ ଏହି ପର୍ବ ପ୍ରତିବର୍ଷ ମାଦେରିଆରେ ପାଳନ କରାଯାଇ ଆସୁଛି । ଜାତିସଙ୍ଘ ତରଫରୁ ଏହି ପର୍ବ ବିଶ୍ୱର ସବୁଠାରୁ ସୁନ୍ଦରତମ ପର୍ବର ଆଖ୍ୟା ପାଇଛି । ଏହି ପର୍ବକୁ ଉପଭୋଗ କରିବା ପାଇଁ ପ୍ରତ୍ୟେକ ବର୍ଷ ଅନେକ ପର୍ଯ୍ୟଟକ ମାଦେରିଆକୁ ଆସିଥାନ୍ତି । ତେବେ ବଢୁଥିବା ପର୍ଯ୍ୟଟକଙ୍କୁ ନଜରରେ ରଖି ପର୍ତ୍ତୃଗାଲ ସରକାର ଫ୍ଲାୱାର୍ ଫେଷ୍ଟିଭାଲ୍ ସମେତ ଆହୁରି ଅନେକ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାନ୍ତି ।