ସୁପ୍ରିମକୋର୍ଟରେ ପହଁଚିଲା ସିବିଆଇ ମାମଲା ! ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କୁ ଛୁଟିରେ ପଠାଇଥିଲେ ସରକାର : ଏମ୍.ନାଗେଶ୍ୱର ରାଓଙ୍କୁ ଦିଆଯାଇଛି ଅନ୍ତରୀଣ ନିର୍ଦ୍ଦେଶକ ଦାୟିତ୍ୱ

34

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପହଁଚିଲା ସିବିଆଇ ବିବାଦ । ଛୁଟିରେ ପଠାଯିବା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଦ୍ଦେଶକ ଆଲୋକ ବର୍ମା । ବର୍ମାଙ୍କ ଆବେଦନ ଉପରେ ଆସନ୍ତା ଶୁକ୍ରବାର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ବିବାଦ ପରେ ରାତି ଅଧିଆ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଆଜିଠାରୁ ଛୁଟିରେ ପଠାଇଦେଇଛନ୍ତି କେନ୍ଦ୍ର ସରକାର । ଏବଂ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ନାଗେଶ୍ୱର ଆଜି ସକାଳୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ସହିତ ସିବିଆଇ କାର୍ଯ୍ୟାଳୟର ୧୦ମ ଓ ୧୧ତମ ଫ୍ଲୋରକୁ ବନ୍ଦ୍ କରି ଦିଆଯାଇଛି । ସେହିପରି ଅରୁଣ ଶର୍ମାଙ୍କୁ ଆଂଟି କରପ୍ସନ ହେର୍ଡକ୍ୱାର୍ଟରରୁ ହଟାଇ ଦିଆଯାଇଛି । ଏସି-ଥ୍ରୀର ଡିଆଇଜି ମନୀଷ ସିହ୍ନାଙ୍କୁ ବି ତାଙ୍କ ପଦରୁ ହଟାଇ ଦିଆଯାଇଛି । ସିବିଆଇ ରାକେଶ ଆସ୍ଥାନାଙ୍କ ବିରୋଧରେ ଥିବା ମାମଲାକୁ ଫାଷ୍ଟଟ୍ରାକ୍ କୋର୍ଟକୁ ପଠାଇ ଦେଇଛି ।

 

ତେବେ ରାକେଶଙ୍କୁ ସୋମବାର ପର୍ଯ୍ୟନ୍ତ ଗିରଫ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଅନ୍ୟପଟେ ରାକେଶ ଆସ୍ଥାନାଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଦୁର୍ନୀତି ଅଭିଯୋଗ ପରେ ତାଙ୍କ ନାଁରେ ଜବରଦସ୍ଥ ଟଙ୍କା ଅସୁଲ କରୁଥିବା ଅଭିଯୋଗ କରି ଏଫଆଇଆର ମାମଲା ଦାଖଲ କରିଛି ସିବିଆଇ । ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାରେ ଏଭଳି ଅଫିସର ଲଢେଇକୁ ନେଇ ସାରା ଦେଶ ସ୍ତମ୍ଭୀଭୂତ ହୋଇଯାଇଛି । ତେବେ ଏମ ନାଗେଶ୍ୱର ରାଓ ହେଇଛନ୍ତି ୧୯୮୬ ବ୍ୟାଚର ଆଇପିଏସ ଅଫିସର ଏମ. ନାଗେଶ୍ୱର ରାଓ । ସିବିଆଇର ମଧ୍ୟବର୍ତ୍ତାକାଳୀନ ନିର୍ଦେଶକ ଦାୟିତ୍ୱ ନେଇଛନ୍ତି ନାଗେଶ୍ୱର । ଏହା ପୂର୍ବରୁ ସେ ସିବିଆଇ ଯୁଗ୍ମ ନିର୍ଦେଶକ ଭାବେ କାର୍ଯ୍ୟ ସମ୍ପାଦାନ କରୁଥିଲେ । ସେ ଓଡିଶାର ରେଳବାଇ ପୋଲିସର ଅତିରିକ୍ତ ଡିଜି ଭାବେ ଦାୟିତ୍ୱରେ ରହିଥିଲେ । ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନ ପୋଷ୍ଟ ଗ୍ରାଜୁଏଟ୍ କରିବା ପରେ ମାଡ୍ରାସ ଆଇଆଇଟିରେ ରିସର୍ଚ କରିଛନ୍ତି । ସେ ସାକ୍ଷାତକାର ଦେଇ କହିଥିଲେ ଚ୍ୟାଲେଂଜ ସହ କାମ କରିବା ପାଇଁ ପସନ୍ଦ କରନ୍ତି ।