ଆସନ୍ତାକାଲି ଚନ୍ଦ୍ରଗ୍ରହଣ : ବଢିଲା ଗୃହିଣୀଙ୍କ ଚିନ୍ତା,ପାକ ନିଷେଧ ନେଇ ଆରମ୍ଭ ହେଲା ବିତର୍କ

87

କନକ ବ୍ୟୁରୋ : ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣକୁ ଆସନ୍ତାକାଲି ସମଗ୍ର ବିଶ୍ୱବାସୀ ଦେଖିପାରିବେ । ଏହି ଚନ୍ଦ୍ରଗ୍ରହଣରେ ପୃଥିବୀର ୨୫ପ୍ରତିଶତ ଛାୟା ଚନ୍ଦ୍ର ଉପରେ ପଡୁଥିବାରୁ ଏହା ଆଂଶିକ ଭାବରେ ଦେଖାଯିବ । ଭାରତ ଓ ଓଡିଶାର ମଧ୍ୟ ଏହା ସବୁ ଅଂଚଳରେ ଦୃଶ୍ୟମାନ ହେବ । ଲୋକମାନେ ଏହାକୁ ଖାଲି ଆଖିରେ ଦେଖିପାରିବେ କିନ୍ତୁ ଯଦି ଆକାଶ ମେଘାଛନ୍ନ ରୁହେ ତେବେ ଏହା ଦୃଶ୍ୟମାନ ହେବନାହିଁ ।

ରାତି ୯ଟା ୨୦ ମିନିଟରୁ ୧ଟା ୨୦ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣର ସମୟ ରହିଛି । ୯ଟା ୨୦ମିନିଟରୁ ରାତି ୧୦ଟା ୫୦ ପର୍ଯ୍ୟନ୍ତ ଆଂଶିକ ଛାୟା ରହୁଥିବାବେଳେ ୧୦ଟା ୫୦ ମିନିଟରୁ ୧୨ଟା ୫୦ ମିନିଟ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଛାୟା ବା ଗାଢ ଅନ୍ଧକାର ଦେଖାଯିବ । ଯାହା ଖାଲି ଆଖିରେ ଦେଖାଯାଇପାରିବ ବୋଲି ସୂଚନା ଦେଇଛନ୍ତି ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ।

ଯେତେବେଳେ ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟପରାଗ ହୋଇଥାଏ, ଘରେ ଘରେ ଏହାକୁ ନେଇ ବହୁତଗୁଡିଏ ଅନ୍ଧବିଶ୍ୱାସ ଯୋଡିହୋଇ ରହିଥାଏ । ହାଣ୍ଡିଛାଡ କଥା କୁହନ୍ତୁ ଅବା ପାକ ଛାଡ । ଏହି ସମୟରେ ଖାଇବାଠାରୁ ଆରମ୍ଭ କରି ରୋଷେଇ କରିବାରେ ମଧ୍ୟ ପ୍ରତବନ୍ଧକ ରହିଥାଏ । ଯାହାକି ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ମଧ୍ୟ ଲୋକେ ବିଶ୍ୱାସ କରୁଛନ୍ତି ଓ ଏହାକୁ ଅମଳ ମଧ୍ୟ କରୁଛନ୍ତି । ତେବେ ଏହା କେବଳ ଅନ୍ଧବିଶ୍ୱାସ ଏବଂ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ସହିତ କୌଣସି ସମ୍ପର୍କ ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଆସନ୍ତା ଅଗଷ୍ଟ ୨୧ ତାରିଖରେ ହେବାକୁ ଯାଉଛି ସଂପୂର୍ଣ୍ଣ ସୂର୍ଯ୍ୟପରାଗ । ତେବେ ଏହା କେବଳ ଆମେରିକାରେ ହିଁ ଦୃଶ୍ୟମାନ ହେବ ବୋଲି ଅନୁମାନ କରାଯାଉଛି ।