ବିଜେପିରେ ମିଶିବ ଲୁଲୁ ସେନା ! କଂଗ୍ରେସର ଖରାପ ସ୍ଥିତିକୁ ନେଇ ଚର୍ଚ୍ଚା

75

କନକ ବ୍ୟୁରୋ: ଆସନ୍ତା ୧୨ ତାରିଖରେ ଲୁଲୁ ସେନା ବିଜେପିରେ ମିଶିବାକୁ ଯାଉଛି । ଏହାକୁ ନେଇ ରାଜନୀତି ପାଣିପାଗ ସରଗରମ ହେବାକୁ ଲାଗିଲାଣି । ୟୁନିଟ୍ ୩ ପ୍ରଦର୍ଶନୀ ପଡିଆରେ ଲୁଲୁଙ୍କ ପରିବାର ସହିତ ଲୁଲୁ ସେନାର ବହୁ କର୍ମୀ ବିଜେପିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ନୀତି ଆଦର୍ଶରେ ଗଠନ ହୋଇଥିବା ଲୁଲୁ ସେନା ବିଜେପିରେ ମିଶିଲେ ରାଜ୍ୟ କଂଗ୍ରେସ ବିଶେଷ ପ୍ରଭାବିତ ହେବ ବୋଲି ମତପ୍ରକାଶ ପାଇଛି । ରାଜ୍ୟରେ କଂଗ୍ରେସ ସ୍ଥିତି ଖରାପ ଥିବାବେଳେ ଲୁଲୁ ସେନା ଏଭଳି ନିଷ୍ପତ୍ତି ନେଇଥିବା ଆଳୋଚନା ହେଉଛି । ତେବେ ଏଥିପାଇଁ ଏଆଇସିସିକୁ ଦାୟୀ କରିଛି ଲୁଲୁ ସେନା ।

ଏଠାରେ ଆମ କହି ରଖୁଛୁ କି, କିଛି ଦିନ ତଳେ ଲୁଲୁସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭଞ୍ଜକଳା ମଣ୍ଡପଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଅବସରରେ ବକ୍ସି ପରିବାରଙ୍କୁ ସମର୍ଦ୍ଧନା ଦେଇଥିବାରୁ ଏହି ପ୍ରତିସମ୍ବର୍ଦ୍ଧନା ଦିଆଯାଇଛି ବୋଲି ଲୁଲୁସେନା ପକ୍ଷରୁ କୁହାଯାଇଥିଲା । ରାଜନୀତିକୁ ଆସିଲେ ମାମୁଁ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆସିବେ ବୋଲି ଲୁଲୁଙ୍କ ଝିଅ ଉପାସନା ମଧ୍ୟ କହିଥିଲେ । ଏଥିସହିତ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପାଇଁ ବହୁତ କିଛି କରିଛନ୍ତି ବୋଲି ଉପାସନା କହିଥିଲେ ।

ଅନ୍ୟପଟେ, ଲୁଲୁଙ୍କ ଭାଇ ବି ଏହାକୁ ସ୍ୱୀକାର କହିଥିଲେ । ସେ କହିଥିଲେ, ଲୁଲୁସେନା ସହ ଆଲୋଚନା କରି ବିଜେପି ସହ ଯିବା କଥା ଚିନ୍ତା କରିବୁ । ଯଦି ସମସ୍ତେ ଚାହିଁବେ ତାହେଲେ ଲୁଲୁସେନା ତାହା ହିଁ କରିବ ବୋଲି ମତବ୍ୟକ୍ତ କରିଥିଲେ ।