ଲୁଧିଆନାରେ ଏନଆଇଏ ଟିମ ଉପରକୁ ଗୁଳି ଓ ପଥର ମାଡ । ପୋଲିସ ଅଧିକାରୀ ଆହତ

19

କନକ ବ୍ୟୁରୋ : ତଦନ୍ତ କରିବାକୁ ଯାଇଥିବା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ଉପରେ ଆକ୍ରମଣ । ଦୁବୃତ୍ତ ର୍ମାନେ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଭା ସହ ଟେକାପଥର ମାଡ କରିଥିଲେ । ଆକ୍ରମଣରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଲୁଧିଆନାର ଆରଏସଏସ ନେତା ରବିନ୍ଦର ଗୋସାଇଁଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଉପରେ ଆକ୍ରମଣ ହୋଇଛି। ଆରଏସଏସ ନେତା ଗୋସାଇଁଙ୍କ ହତ୍ୟା ଘଟଣାରେ ରବିବାର ଏନଆଇଏ ଟିମ ଉତ୍ତରପ୍ରଦେଶ ପୋଲିସ ସହାୟତାରେ ଗାଜିଆବାଦରେ ଯାଞ୍ଚ ଚଳାଇଥିଲାବେଳେ ଏହି ଆକ୍ରମଣ ହୋଇଛି।

ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଏନଆଇଏ ପ୍ରବକ୍ତା କହିଛନ୍ତି, ଆରଏସଏସ ନେତା ଗୋସାଇଁଙ୍କ ହତ୍ୟା ମାମଲାରେ ଅଭିଯୁକ୍ତକୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ବ୍ୟକ୍ତିଙ୍କୁ ଠାବ କରାଯାଇଛି । ତଦନ୍ତକାରୀ ଅଧିକାରୀମାନେ ଏ ବାବଦରେ ସମସ୍ତ ପ୍ରମାଣ ହାସଲ କରିଛନ୍ତି। ଉକ୍ତ ସନ୍ଦିଗ୍ଧ ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀକୁ ଧରିବା ଲାଗି ଏନଆଇଏ ଟିମ ସ୍ଥାନୀୟ ପୁଲିସ ସହାୟତାରେ ଗତରାତିରେ ମିରଟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘରେ ଚଢ଼ଉ କରିଥିଲେ।

ଏଠାରୁ ଅଧିକ ସୂଚନା ପାଇ ଏନଆଇଏ ରବିବାର ସକାଳେ ଗାଜିଆବାଦର ନାହାଲି ଗ୍ରାମର ସନ୍ଦିଗ୍ଧ ମାଲୁକ ଘରେ ଚଢ଼ଉ କରିଥିଲେ। ଏହି ଚଢ଼ଉବେଳେ କେତେକ ଦୁର୍ବୃତ୍ତ ଭିଡ଼ର ସୁଯୋଗ ନେଇ ଏନଆଇଏ ତଦନ୍ତରେ ବାଧା ଉପୁଜାଇଥିଲେ। ଜଣେ ଦୁର୍ବୃତ୍ତ ତଦନ୍ତକାରୀ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଥିଲା। ଏହି ଆକ୍ରମଣରେ ଉତ୍ତରପ୍ରଦେଶ ପୁଲିସର ଜଣେ କନଷ୍ଟେବଳ ତାହଜିବ ଖାନ ଆହତ ହୋଇଛନ୍ତି। ତଦନ୍ତକାରୀ ଦଳଙ୍କ ଗାଡ଼ି ମଧ୍ୟ ଭାଙ୍ଗିରୁଜି ଯାଇଛି।

ସ୍ଥାନୀୟ ଲୋକଙ୍କୁ ଉସୁକାଇ ରାସ୍ତା ଅବରୋଧ କରି ତଦନ୍ତରେ ବାଧା ସୃଷ୍ଟି କରାଯାଇଥିଲା ବୋଲି ଏନଆଇଏ ଅଧିକାରୀ କହିଛନ୍ତି। ଫଳରେ ୟୁପି ପୁଲିସ ଫାଙ୍କା ଗୁଳିଚାଳନା କରିଥିଲା । ଏହି ମାମଲାରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଏନଆଇଏ ପଚରାଉଚରା କରୁଛି। ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୧୭ ତାରିଖରେ ଆରଏସଏସ ନେତା ଗୋସାଇଁଙ୍କୁ ତାଙ୍କ ଲୁଧିଆନାସ୍ଥିତ ଗଙ୍ଗଦୀପ କଲୋନିର ବାସଭବନ ସମ୍ମୁଖରେ ଦୁଇଜଣ ଅଜଣା ବ୍ୟକ୍ତି ମୋଟରସାଇକେଲରେ ଆସି ଗୁଳିମାରି ହତ୍ୟାକରି ଫେରାର ହୋଇଯାଇଥିଲେ।