ଲକ୍ଷ୍ନୌରେ ଆତଙ୍କବାଦୀ ବିରୋଧି ଅପରେସନ୍ ଶେଷ ! ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀ ସୈଫୁଲ୍ଲା ମୃତ

41

କନକ ବ୍ୟୁରୋ : ଲକ୍ଷ୍ନୌରେ ଶେଷ ହୋଇଛି ଆତଙ୍କବାଦୀ ବିରୋଧୀ ଅପରେସନ୍ । ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀ ସୈଫୁଲ୍ଲାର ମୃତ୍ୟୁ ହୋଇଛି । ତା’ ଠାରୁ ଗୋଟିଏ ପିସ୍ତଲ ଓ ରିଭଲଭର ସହ ଛୁରୀ ମଧ୍ୟ ଜବତ କରାଯାଇଛି । ମୃତ ଆତଙ୍କବାଦୀର ଆଇଏସଆଇଏସ ସହ ସଂପର୍କ ଥିବା ଏଡିଜି, ଲ’ ଦଲଜିତ ଚୌଧରୀ ସୂଚନା ଦେଇଛନ୍ତି । ବିଳମ୍ବିତ ରାତିରେ ଏନକାଉଂଟର ଶେଷ ହେବା ପରେ ଘଟଣାସ୍ଥଳକୁ ବିଶୋଧନ କରିଛନ୍ତି ସୁରକ୍ଷାକର୍ମୀ ।

ଦୀର୍ଘ ୧୨ ଘଂଟା ଧରି ଚାଲିଥିଲା ଅପରେସନ୍ । ଆତଙ୍କବାଦୀକୁ ଜିଅନ୍ତା ଧରିବାକୁ ଯଥାସମ୍ଭବ ଉଦ୍ୟମ କରାଯାଇଥିବା ପୋଲିସ ସୂଚନା ଦେଇଛି । ପ୍ରଥମେ ଦୁଇ ଜଣ ଆତଙ୍କବାଦୀ ଘର ଭିତରେ ଲୁଚିଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ଭିତରେ ଜଣେ ଆତଙ୍କବାଦୀ ଥିଲା ବୋଲି କହିଛନ୍ତି ଏଟିଏସ ଆଇଜି । ଗତକାଲି ଲକ୍ଷ୍ନୌ ଠାକୁରଗଂଜ ଅଂଚଳର ହାଜି କଲୋନିରେ ଏକ ଘରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା ।

ଏହା ପରେ ପୋଲିସ ଓ ଏଟିଏସ ପକ୍ଷରୁ ଆରମ୍ଭ ହୋଇଥିଲା ମିଳିତ ଅପରେସନ୍ । ଆତଙ୍କବାଦୀକୁ ପ୍ରଥମେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । କିନ୍ତୁ ସେ ମନା କରିବା ସହ ଭିତରୁ ଗୁଳି ମାଡ କରିଥିଲା । ଲଙ୍କା ବୋମା ବ୍ୟବହାର କରି ଆତଙ୍କବାଦୀକୁ ଧରିବାକୁ ଉଦ୍ୟମ କରାଯାଇଥିଲା ବୋଲିକହିଛନ୍ତି ଏଟିଏସ ଆଇଜି ଅସୀମ ଅରୁଣ ।