ପ୍ରତି ମାସରେ ବଢିବନି ରନ୍ଧନ ଗ୍ୟାସ ଦର । ସରକାର ପ୍ରତ୍ୟାହାର କଲେ ନିଷ୍ପତି ।

30

କନକ ବ୍ୟୁରୋ : ଏଣିକି ପ୍ରତି ମାସରେ ଆଉ ବଢିବନି ରନ୍ଧନ ଗ୍ୟାସ ଦର । ମାସିକିଆ ଦରବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହାର କରିନେଇଛନ୍ତି ସରକାର । ପୂର୍ବରୁ ମାସକୁ ଏଲପିଜି ସିଲିଣ୍ଡର ମୂଲ୍ୟରେ ୪ ଟଙ୍କା ବୃଦ୍ଧି କରିବାକୁ ସରକାର ନିଷ୍ପତି ନେଇଥିଲେ । ଏହା ପଛରେ ଉଦ୍ଦେଶ୍ୟ ଥିଲା ୨୦୧୮ ସୁଦ୍ଧା ଗ୍ୟାସ ଉପରେ ଦିଆଯାଉଥିବା ସବସିଡିକୁ ଉଚ୍ଛେଦ କରିବା । ପ୍ରତି ମାସରେ ଗ୍ୟାସ ଦରରେ ହେଉଥିବା ବୃଦ୍ଧିକୁ କିନ୍ତୁ ସାଧାରଣ ଜନତା ଅଲଗା ଦୃଷ୍ଟିରେ ଦେଖିଥିଲେ । ଏହା ଜାଣିବା ପରେ ଦର ବୃଦ୍ଧି ଉପରେ ରୋକ ଲଗାଇଛନ୍ତି ସରକାର ।

କିନ୍ତୁ ଚଳିତ ବର୍ଷ ଅକ୍ଟୋବର ପରଠାରୁ ଦର ବୃଦ୍ଧି ପ୍ରକ୍ରିୟା ବନ୍ଦ ହୋଇଯାଇଛି। ତିନି ସରକାରୀ ତେଲ କଂପାନି ଅକ୍ଟୋବର ପରେ ଆଉ ଗ୍ୟାସ ଦର ବଢ଼ାଇ ନାହାନ୍ତି।୨୦୧୬ ଜୁଲାଇ ପରଠାରୁ ଗ୍ୟାସ ଦର ମାସକୁ ୨ ଟଙ୍କା ଲେଖାଏଁ ବୃଦ୍ଧି କରାଯାଉଥିଲା। ଏହା ପରେ କଂପାନିଗୁଡ଼ିକ ୧୦ ଥର ଗ୍ୟାସ ଦର ବୃଦ୍ଧି କରିଛନ୍ତି। ୨୦୧୭ ମେ’ ପରଠାରୁ ଦର ବୃଦ୍ଧିର ମାତ୍ରା ଦ୍ୱିଗୁଣିତ କରାଯାଇଥିଲା। ଗ୍ୟାସ ଦର ମାସକୁ ଚାରି ଟଙ୍କା ଲେଖାଏଁ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା। ଏହା ପଛର ଉଦ୍ଦେଶ୍ୟ ଥିଲା ଗ୍ୟାସ ଉପରେ ପ୍ରଦାନ କରାଯାଉଥିବା ସବସିଡିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା। ୨୦୧୮ ମାର୍ଚ ସୁଦ୍ଧା ଗ୍ୟାସ ଉପରେ ପ୍ରଦାନ କରାଯାଉଥିବା ସବସିଡି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ପ୍ରତି ମାସରେ ଗ୍ୟାସ ଦରରେ ହେଉଥିବା ବୃଦ୍ଧିକୁ କିନ୍ତୁ ସାଧାରଣ ଜନତା ଅଲଗା ଦୃଷ୍ଟିରେ ଦେଖୁଥିବା ବିଷୟରେ ସରକାର ଜାଣିବା ପରେ ଦର ବୃଦ୍ଧି ଉପରେ ରୋକ ଲଗାଇଛନ୍ତି।

ଲୋକମାନଙ୍କ ମନରେ ଧାରଣା ସୃଷ୍ଟି ହୋଇଛି ଯେ ଉଜ୍ଜ୍ୱଳା ଯୋଜନାରେ ସରକାର ଗରିବ ଲୋକଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ପ୍ରଦାନ କରୁଥିବା ବେଳେ ଅନ୍ୟ ପଟେ ଗ୍ୟାସର ଦର ବଢ଼ାଇ ଚାଲିଛନ୍ତି। ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସେହି ଧାରଣାକୁ ଦୂର କରିବା ପାଇଁ ଗ୍ୟାସ ଦର ବୃଦ୍ଧି ଉପରେ ସରକାର ରୋକ ଲଗାଇଥିବା କୁହାଯାଉଛି। ଅକ୍ଟୋବର ପରେ ମଧ୍ୟ ଗ୍ୟାସ ଦର ବଢ଼ିଛି। କିନ୍ତୁ ସେହି ଦର ବୃଦ୍ଧି ମାସିକିଆ ନୁହେଁ ବରଂ ଟିକସ ହାରରେ ହୋଇଥିବା ପରିବର୍ତନ ଯୋଗୁଁ ବଢ଼ିଛି ବୋଲି କୁହାଯାଉଛି।

ବିଗତ ୧୭ ମାସ ଭିତରେ ଏଲପିଜି ଦର ୧୯ ଥରରେ ୭୬ ଟଙ୍କା ୫୦ ପଇସା ବଢ଼ିଛି। ଶେଷ ଥର ପାଇଁ ନଭେମ୍ବର ୧ରେ ଏଲପିଜି ଦରରେ ୪ ଟଙ୍କା ୫୦ ପଇସାର ବୃଦ୍ଧି ହୋଇଥିଲା। ଏବେ ପ୍ରତି ସିଲିଣ୍ଡର ପିଛା ଲୋକମାନଙ୍କୁ ୨୫୧ ଟଙ୍କା ୩୧ ପଇସାର ସବସିଡି ମିଳୁଛି। ବିଭିନ୍ନ ରାଜ୍ୟରେ ଏହି ସବସିଡି ପରିମାଣ କିଛି ଟଙ୍କାର କମ ମଧ୍ୟ ରହୁଛି। ସରକାର ପ୍ରତି ପରିବାର ପିଛା ବର୍ଷକୁ ୧୨ଟି ଏଲପିଜି ସିଲିଣ୍ଡର ରିହାତି ଦରରେ ପ୍ରଦାନ କରୁଛନ୍ତି। ଏହାଠାରୁ ଅଧିକ ସିଲିଣ୍ଡର କିଣିବାକୁ ହେଲେ ବଜାର ଦର ଗଣିବାକୁ ପଡୁଛି। ଦେଶରେ ୧୮.୧୧ କୋଟି ଗ୍ରାହକ ରିହାତି ଦରର ଏଲପିଜି ସିଲିଣ୍ଡର ଖରିଦ କରୁଛନ୍ତି। ସେଥି ମଧ୍ୟରୁ ୩ କୋଟି ହେଉଛନ୍ତି ଗରିବ ମହିଳା।