ଏଲପିଜି ଦର ୭ ଟଙ୍କା ବଢ଼ିଲା

85

କନକ ବ୍ୟୁରୋ: ସରକାର କହିଥିଲେ ରିହାତି ଦରରେ ଦିଆଯାଉଥିବା ଏଲପିଜି ସିଲିଣ୍ଡର ଦର ପ୍ରତି ମାସରେ ଚାରି ଟଙ୍କା ବଢ଼ିବ । କିନ୍ତୁ ଶୁକ୍ରବାର ଏଥିରେ ଏକାଥରକେ ସାତ ଟଙ୍କାର ବୃଦ୍ଧି ଘୋଷଣା କରାଯାଇଛି । ସେପ୍ଟେମ୍ବର ମାସ ପାଇଁ ଏଲପିଜି ଦର ଶୁକ୍ରବାର ବୃଦ୍ଧି ପାଇଛି । ଦରବୃଦ୍ଧି ପରେ ଭୁବନେଶ୍ୱରରେ ରିହାତି ଏଲପିଜି ସିଲିଣ୍ଡର ମୂଲ୍ୟ ୪୯୫ ଟଙ୍କା ହୋଇଛି ବୋଲି ଇଣ୍ଡିଆନ୍ ଅଏଲ୍ ଓ୍ଵବସାଇଟରେ ସୂଚନା ପ୍ରଦାନ କରାଯାଇଛି । କେବଳ ସବସିଡି ନୁହେଁ ଅଣ ସବସିଡି ଏଲପିଜି ସିଲିଣ୍ଡର ଦରରେ ମଧ୍ୟ ୭୩ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି । ଅଣ ସବସିଡି ଏଲପିଜି ସିଲିଣ୍ଡର (୧୪.୨ କେଜି) ମୂଲ୍ୟ ୬୨୦ ଟଙ୍କା ହୋଇଛି ।

ଇନ୍ଧନ ମୂଲ୍ୟରେ ହେଉଥିବା ବୃଦ୍ଧି ଗ୍ରାହକମାନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ପେଟ୍ରୋଲ୍ ଏବଂ ଡିଜେଲ ମୂଲ୍ୟରେ ପ୍ରତିଦିନ ୧-୧୫ ପଇସାର ବୃଦ୍ଧି ହେଉଛି । ଏପଟେ ଏଲପିଜି ଦରରେ ଏଭଳି ବୃଦ୍ଧି ଆରମ୍ଭ ହୋଇଗଲାଣି । ତେଣୁ ଆଗାମୀ ମାସଗୁଡ଼ିକରେ ଲୋକମାନେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସିଲିଣ୍ଡର ବାବଦରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

ସୂଚନା ମୁତାବକ, ଗତବର୍ଷ ଜୁଲାଇ ପରଠାରୁ ସିଲିଣ୍ଡର ପିଛା ମୂଲ୍ୟରେ ମାସକୁ ୨ ଟଙ୍କା ଲେଖାଏଁ ବୃଦ୍ଧି କରାଯାଉଥିଲା । ବର୍ଷକ ଭିତରେ ସିଲିଣ୍ଡର ମୂଲ୍ୟରେ ୬୮ ଟଙ୍କାର ବୃଦ୍ଧି ହୋଇଛି । ଏହା ଦ୍ୱାରା ଏଲପିଜି ଉପରେ ପ୍ରଦାନ କରାଯାଉଥିବା ସବସିଡି ପରିମାଣ ହ୍ରାସ ପାଇଛି । ସରକାର ବର୍ଷକୁ ପ୍ରତି ପରିବାର ପିଛା ୧୨ଟି ସିଲିଣ୍ଡର ରିହାତି ଦରରେ ପ୍ରଦାନ କରୁଛନ୍ତି । ଏହା ବାଦ ସିଲିଣ୍ଡର କିଣିବାକୁ ହେଲେ ବଜାର ଦର ଗଣିବାକୁ ପଡ଼ୁଛି । ତେଲ କଂପାନିଗୁଡ଼ିକ ବିମାନ ଇନ୍ଧନ ଏଟିଏଫ୍ ମୂଲ୍ୟରେ ମଧ୍ୟ ୪% ବୃଦ୍ଧି ଘୋଷଣା କରିଛନ୍ତି । ଫଳରେ ଏଟିଏଫର କିଲୋଲିଟର ପିଛା ମୂଲ୍ୟ ୫୦,୦୨୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ଅଗଷ୍ଟ ୧ରେ ଏଟିଏଫ୍ ମୂଲ୍ୟ ୨.୩% ବଢ଼ିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ପେଟ୍ରୋଲ୍ ଏବଂ ଡିଜେଲ୍ ଦରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣମୁକ୍ତ କରିବା ପରେ ଏବେ ଏଲପିଜି ଏବଂ କିରାସିନି ଉପରେ ପ୍ରଦାନ କରାଯାଉଥିବା ସବସିଡି ଉଚ୍ଛେଦ କରିବା ଉପରେ ସରକାର କାମ କରୁଛନ୍ତି । ୨୦୧୮ ମାର୍ଚ ସୁଦ୍ଧା ଏଲପିଜି ଉପରୁ ସବସିଡିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବାକୁ ଯୋଜନା ରହିଛି । ସେଥିପାଇଁ ପ୍ରତି ମାସରେ ଏଲପିଜି ଦର ୪ ଟଙ୍କା ଲେଖାଏଁ ବଢ଼ାଇବାକୁ ଯୋଜନା ରହିଛି । ଏହା ଅଲଗା କଥା ଯେ ଆନ୍ତର୍ଜାତିକ ବଜାରରେ ଦରକୁ ଦୃଷ୍ଟିରେ ରଖି କଂପାନିଗୁଡ଼ିକ ଦର ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ବଢ଼ାଉଛନ୍ତି । ପ୍ରତି ମାସରେ କିରାସିନିର ଲିଟର ପିଛା ମୂଲ୍ୟରେ ୨୫ ପଇସା ଲେଖାଏଁ ବୃଦ୍ଧି କରାଯାଉଛି ।

ଏଠାରେ ଆମେ କହି ରଖୁଛୁ କି, ଗରିବମାନଙ୍କୁ ଏଲପିଜି ସିଲିଣ୍ଡର୍ ଉପରେ ପ୍ରଦାନ କରାଯାଉଥିବା ସବସିଡି ବନ୍ଦ ହେବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଗରିବ ଲୋକମାନେ ବ୍ୟବହାର କରୁଥିବା ଏଲପିଜି ଏବଂ କିରାସିନି ଉପରୁ ସବସିଡି ପ୍ରତ୍ୟାହାର କରିବାର ଆମର କୌଣସି ଯୋଜନା ନାହିଁ ବୋଲି ସେ କହିଥିଲେ ।

କିଛି ଦିନ ତଳେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ପ୍ରତି ମାସରେ ରିହାତି ଦରରେ ପ୍ରଦାନ କରାଯାଉଥିବା ଏଲପିଜି ସିଲିଣ୍ଡର ମୂଲ୍ୟରେ ୪ ଟଙ୍କା ଲେଖାଏଁ ବୃଦ୍ଧି କରାଯିବ । ୨୦୧୮ ମାର୍ଚ ସୁଦ୍ଧା ଏଲପିଜି ଉପରୁ ସବସିଡି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାର ଯୋଜନା ରହିଛି ବୋଲି ସରକାର ଘୋଷଣା କରିଥିଲେ । କିରାସିନିର ଲିଟର ପିଛା ମୂଲ୍ୟରେ ପ୍ରତି ୧୫ ଦିନରେ ଥରେ ୨୫ ପଇସା ଲେଖାଏଁ ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି ।

କିରାସିନି ଉପରେ ମଧ୍ୟ ସବସିଡି ପ୍ରତ୍ୟାହାର କରିବାକୁ ସରକାରଙ୍କ ଯୋଜନା ରହିଛି । ଏହି ଦୁଇ ଖବର ସାର୍ବଜନୀନ ହେବା ପରେ ବିଭିନ୍ନ ମହଲରେ ତାହାକୁ ବିରୋଧ କରାଯିବା ସହ ସାରା ଦେଶର ବିଭିନ୍ନ ସ୍ଥାନରେ ଅନେକ ସଂଗଠନ ପକ୍ଷରୁ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ସେଥିପାଇଁ ତୈଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ସବସିଡି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ ନାହିଁ ।

ଗରିବମାନଙ୍କ ସ୍ୱାର୍ଥ ରକ୍ଷା କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିବା ସହ ଗରିବମାନଙ୍କୁ ସବସିଡି ଦରରେ ଏଲପିଜି ଏବଂ କିରାସିନି ମିଳିବ । ତେବେ କେଉଁ ଗରିବମାନଙ୍କ କଥା ସେ କହିଛନ୍ତି ତାହା ସ୍ପଷ୍ଟ ହୋଇନଥିଲା । ଯଦି ଉଜ୍ୱଳା ସଂଯୋଗ ଥିବା ଲୋକମାନଙ୍କୁ ସବସିଡି ଏଲପିଜି ଏବଂ କିରାସିନି ପ୍ରଦାନ କରାଯିବ ତେବେ ଯେଉଁ ବିପିଏଲ୍ ପରିବାରଗୁଡ଼ିକ ଉଜ୍ୱଳା ଏଲପିଜି ସଂଯୋଗ ନେଇନାହାନ୍ତି ସେମାନଙ୍କ ପାଇଁ କ’ଣ ବ୍ୟବସ୍ଥା ରହିବ ତାହା ସ୍ପଷ୍ଟ ହୋଇନଥିଲା ।