ଅଗଷ୍ଟରେ ୫୬ ଟଙ୍କା ସବସିଡି ! ଅଣ ସବସିଡି ୪୦ ଟଙ୍କା କମିଲା, ସବସିଡି ଏଲପିଜି ଦର ୨ ଟଙ୍କା ବଢ଼ିଲା

29

କନକ ବ୍ୟୁରୋ: ଇଣ୍ଡେନ୍ ପୋର୍ଟାଲର ତଥ୍ୟ ଅନୁଯାୟୀ ଭୁବନେଶ୍ୱରରେ ମଙ୍ଗଳବାର ଇଣ୍ଡେନର ୧୪.୨ କେଜି ଏଲପିଜି ସିଲିଣ୍ଡର୍ ମୂଲ୍ୟ ୫୪୬ ଟଙ୍କା ୫୦ ପଇସା ରହିଛି । ଏବଂ ସବସିଡିରେ ପ୍ରଦାନ କରାଯାଉଥିବା ସିଲିଣ୍ଡର୍ ମୂଲ୍ୟ ୪୯୦ ଟଙ୍କା ୫୦ ପଇସା ରହିଛି । ଅର୍ଥାତ ଏଲପିଜି ଉପରେ ସରକାର ପ୍ରଦାନ କରୁଥିବା ସବସିଡି ପରିମାଣ ୫୬ ଟଙ୍କାକୁ ଖସି ଆସିଛି । ଜୁଲାଇରେ ସବସିଡି ପରିମାଣ ୮୬ ଟଙ୍କା ଥିଲା । ଏହି ହିସାବ ଗ୍ୟାସ୍ ବ୍ୟବସାୟ ସହିତ ଜଡ଼ିତ ଜଣେ ବ୍ୟକ୍ତି ପ୍ରଦାଦ କରିଛନ୍ତି ।

ଯଦି ସରକାର ମାସକୁ ୪ ଟଙ୍କା ଲେଖାଏଁ ସବସିଡି କମ୍ କରି ଚାଲିବେ ତେବେ ୨୦୧୮ ମାର୍ଚ ବେଳକୁ ସିଲିଣ୍ଡର ପିଛା ସବସିଡି ପରିମାଣ ୨୮ ଟଙ୍କା କମ୍ ହୋଇଯିବ । ସେହି ସମୟରେ ସରକାର ଲୋକମାନଙ୍କୁ ସମ୍ଭବତଃ ମାତ୍ର ୨୮ଟଙ୍କାର ସବସିଡି ପ୍ରଦାନ କରିବେ । ଏହି ହିସାବ କେବଳ ଆନୁମାନିକ । ଯଦି ସରକାର ଏଲପିଜି ଦରରେ କୌଣସି ହ୍ରାସ କିମ୍ବା ବୃଦ୍ଧି ଘୋଷଣା କରନ୍ତି ତେବେ ସବସିଡି ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇପାରେ କିମ୍ବା ୨୮ ଟଙ୍କା ପାଖାପାଖି ରହିପାରେ ।

ଗତ ସୋମବାର ସବସିଡି ଏଲପିଜି ସିଲିଣ୍ଡର କିଣିବା ପାଇଁ ୫୮୬ ଟଙ୍କା ୫୦ ଗଣିବାକୁ ପଡୁଥିଲା । ସରକାର ଏଲପିଜି ମୂଲ୍ୟରେ ସିଲିଣ୍ଡର ପିଛା ୪୦ ଟଙ୍କା ହ୍ରାସ ଘୋଷଣା କରିବାରୁ ସବସିଡି ପରିମାଣ ୫୬ ଟଙ୍କାକୁ ହ୍ରାସ ପାଇଛି । ପ୍ରଚଳିତ ନିୟମ ଅନୁଯାୟୀ କେନ୍ଦ୍ର ସରକାର ଗୋଟିଏ ସିଲିଣ୍ଡର ପିଛା ସର୍ବାଧିକ ୨୨୫ ଟଙ୍କାର ସବସିଡି ପ୍ରଦାନ କରୁଛନ୍ତି । ଏହାଠାରୁ ଅଧିକ ସବ୍ସିଡି ସରକାର ବହନ କରିବେ ନାହିଁ । ଅର୍ଥାତ ପ୍ରତି କେଜି ପିଛା ୧୮ ଟଙ୍କାର ସବସିଡି କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି ।

ଅଣ ସବସିଡି ୪୦ ଟଙ୍କା କମିଲା, ସବସିଡି ଏଲପିଜି ଦର ୨ ଟଙ୍କା ବଢ଼ିଲା

ତେଲ କଂପାନିଗୁଡ଼ିକ ପକ୍ଷରୁ ଅଣ ସବସିଡି ଏଲପିଜିର ସିଲିଣ୍ଡର ପିଛା ଦର ୪୦ ଟଙ୍କା ହ୍ରାସ ପାଇଛି । ସବସିଡିରେ ପ୍ରଦାନ କରାଯାଉଥିବା ଏଲପିଜି ସିଲିଣ୍ଡର ମୂଲ୍ୟରେ ୨ ଟଙ୍କାର ବୃଦ୍ଧି ହୋଇଛି । ଫଳରେ ଭୁବନେଶ୍ୱରରେ ଇଣ୍ଡେନର ୧୪.୨ କେଜି ସିଲିଣ୍ଡର ପିଛା ଦର ୫୪୬ ଟଙ୍କା ୫୦ ପଇସା ହୋଇଛି । ସବସିଡି ସିଲିଣ୍ଡର ଦର ୪୯୦ ଟଙ୍କା ୫୦ ପଇସା ରହିଛି । ଏଲପିଜି ଦର ହ୍ରାସ ତତ୍କାଳ ଲାଗୁ ହୋଇଛି । ତେଲ କଂପାନିଗୁଡ଼ିକ ବିମାନ ଇନ୍ଧନ ମୂଲ୍ୟରେ କିଲୋଲିଟର ପିଛା ୧୦୯୭ ଟଙ୍କାର ବୃଦ୍ଧି ଘୋଷଣା କରିଛନ୍ତି ।

ଫଳରେ କିଲୋଲିଟର ପିଛା ବିମାନ ଇନ୍ଧନ ମୂଲ୍ୟ ୪୮,୧୧୦ ଟଙ୍କାକୁ ହ୍ରାସ ପାଇଛି । ଘରୋଇ କଂପାନିଙ୍କ ପାଇଁ ବେପାର ସୁଯୋଗ ଏଲପିଜି ଦର ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ହୋଇଗଲେ ଘରୋଇ କଂପାନିଗୁଡ଼ିକ ପାଇଁ ଏଲପିଜି କାରବାରରେ ପ୍ରବେଶ କରିବାର ସୁଯୋଗ ମିଳିବ । ସରକାରୀ ଏବଂ ଘରୋଇ ଏଲପିଜି କଂପାନିଗୁଡ଼ିକ ଭିତରେ ପ୍ରତିଦ୍ୱନ୍ଦିତା ହୋଇପାରିବ ଯାହା ଏବେ ସବସିଡି ଯୋଗୁଁ ହୋଇପାରୁନାହିଁ । ସରକାର ପୂର୍ବରୁ ପେଟ୍ରୋଲ୍ ଏବଂ ଡିଜେଲ ମୂଲ୍ୟ ନିର୍ଧାରଣ ପ୍ରକ୍ରିୟାକୁ ନିୟନ୍ତ୍ରଣମୁକ୍ତ କରିସାରିଛନ୍ତି । ଏବେ ଏଲପିଜି ପାଳି । ଆଉ ଏକମାତ୍ର ପେଟ୍ରୋଲିୟମ୍ ଉତ୍ପାଦ କିରାସିନି ଉପରେ ସରକାର ସବସିଡି ଜାରି ରଖିବେ ।

ସଞ୍ଚୟ ହେବ ୩୦,୦୦୦ କୋଟି

ଏଲପିଜି ଗ୍ୟାସ୍ ଉପରୁ ସବସିଡି ପ୍ରତ୍ୟାହାର କରିବା ଦ୍ୱାରା କେନ୍ଦ୍ର ସରକାରଙ୍କର ୩୦ ହଜାର କୋଟି ଟଙ୍କାର ସଞ୍ଚୟ ହେବ । ବଜାର ଦରଠାରୁ କମ୍ ମୂଲ୍ୟରେ ଏଲପିଜି ପ୍ରଦାନ କରିବା ଯୋଗୁଁ କଂପାନିଗୁଡ଼ିକର ହେଉଥିବା କ୍ଷତି ପରିମାଣ ୨୦୧୬-୧୭ରେ ୬୧୦ କୋଟି ଟଙ୍କା ଏବଂ ୨୦୧୭-୧୮ରେ ୩ ହଜାର କୋଟି ଟଙ୍କା କମିଯିବ । ସବସିଡି ପ୍ରତ୍ୟାହାର ହେଲେ ଖାଉଟିଙ୍କର କିଛି ଲାଭ ହେଉ ନ ହେଉ ଗ୍ୟାସ୍ କଂପାନିଗୁଡ଼ିକ ବହୁତ ଭଲ ସ୍ଥିତିରେ ରହିବେ । କ୍ଷତି ଭରଣା କରିବା ପାଇଁ ସେମାନଙ୍କୁ ଆଉ ସରକାରଙ୍କ ନିକଟରେ ଆଉ ହାତ ପତାଇବାକୁ ପଡ଼ିବ ନାହିଁ । ଯେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୬୫ ଡଲାରରୁ ଅଧିକ ହୋଇଯିବ ସେଭଳି ପରିସ୍ଥିତିରେ କଂପାନିଗୁଡ଼ିକ ଦର ବୃଦ୍ଧି ଘୋଷଣା କରି କ୍ଷତି ପରିମାଣକୁ କମ୍ କରିପାରିବେ ।

ଏଲପିଜି ତଥ୍ୟ(ଜାତୀୟ)

ସହରାଞ୍ଚଳ ୧୧.୨୨ କୋଟି

ଗ୍ରାମାଞ୍ଚଳ ୯.୫୫ କୋଟି

ମୋଟ ୨୦.୭୭ କୋଟି

ସବସିଡି ଗ୍ରାହକ ୧୮.୧୧ କୋଟି

ଅଣ ସବସିଡି ଗ୍ରାହକ ୨.୬୬ କୋଟି

ଓଡ଼ିଶାରେ ଏଲପିଜି ସଂଯୋଗ

• ରାଜ୍ୟର ଏଲପିଜି ସାନ୍ଧତ୍ରା ୨୦%ରୁ ବୃଦ୍ଧି ପାଇ ୪୩%ରେ ପହଞ୍ଚିଛି । ଅର୍ଥାତ ପ୍ରତି ୧୦୦ ପରିବାର ମଧ୍ୟରୁ ୪୩ଟି ପରିବାର ପାଖରେ ଏଲପିଜି ସଂଯୋଗ ରହିଛି ।

• ୨୦୧୮-୧୯ ସୁଦ୍ଧା ଉଜ୍ୱଳା ଯୋଜନାରେ ରାଜ୍ୟ ୩୦ ଲକ୍ଷ ନୂଆ ଏଲପିଜି ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।