ମୋଦି ସରକାରଙ୍କ ମହଙ୍ଗା ମାଡ଼ ! ଆସନ୍ତାବର୍ଷ ମାର୍ଚ୍ଚରୁ ବନ୍ଦହେବ ରନ୍ଧନ ଗ୍ୟାସ ଉପରେ ସରକାରୀ ସବସିଡି

38

କନକ ବ୍ୟୁରୋ: ମାଦି ସରକାରଙ୍କ ମହଙ୍ଗା ମାଡ଼ । ଆସନ୍ତାବର୍ଷରୁ ମହଙ୍ଗା ହେବ ରୋଷେଇ ଗ୍ୟାସ । କାରଣ ମାର୍ଚ୍ଚ ସୁଦ୍ଧା ରନ୍ଧନ ଗ୍ୟାସ ଉପରୁ ସବସିଡିକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଲୋକସଭାରେ ଗତକାଲି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧେର୍ମନ୍ଦ୍ର ପ୍ରଧାନ ।

ଏପରିକି ଗତ ଜୁନରୁ ପ୍ରତିମାସରେ ସିଲିଣ୍ଡର ପିଛା ୪ଟଙ୍କା ଲେଖାଏଁ ଦର ବୃଦ୍ଧି କରିବାକୁ ତୈଳ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦିଆସରିଛି । ଏହି ନିର୍ଦ୍ଦେଶ ମିଳିବା ପରଠାରୁ ଦୁଇଥର ଦର ବୃଦ୍ଧି ହୋଇସାରିଲାଣି । ପୂର୍ବ ନିର୍ଦ୍ଦେଶ ଅନୁସାରେ ୨୦୧୬ ଜୁଲାଇରୁ ସିଲିଣ୍ଡର ପିଛା ପ୍ରତିମାସ ୨ ଟଙ୍କା ଲେଖାଏ ଦର ବୃଦ୍ଧି କରୁଥିଲେ ତୈଳ କମ୍ପାନି । ତେବେ ଗତ ଜୁଲାଇରେ ଏକାଥରକେ ସିଲିଣ୍ଡର ପିଛା ଦର ୩୨ ଟଙ୍କା ବୃଦ୍ଧି କରାଯାଇଥିଲା । ଯାହା ଗତ ୬ବର୍ଷରେ ସର୍ବାଧିକ । ଏବେ ଗୋଟିଏ ସଂଯୋଗ ପିଛା ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ସବସିଡି ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର ।

ଭୁବନେଶ୍ୱରରେ ବର୍ତ୍ତମାନ ୧୪.୫ କେଜିର ଏଲପିଜି ସିଲିଣ୍ଡର ଦର ୫୮୬ ଟଙ୍କା ୫୦ ପଇସା ରହିଛି । କେନ୍ଦ୍ର ସରକାର ଏହା ଉପରେ ୧୦୧ ଟଙ୍କାର ସବସିଡି ଦେଉଛନ୍ତି । ଅର୍ଥାତ ଆପଣ ଗୋଟିଏ ରିଫିଲ୍ ସିଲିଣ୍ଡର ବାବଦରେ ଦେଉଛନ୍ତି ୪୮୫ ଟଙ୍କା ୫୦ ପଇସା । କିନ୍ତୁ ଆଗାମୀ ମାର୍ଚରୁ ସବସିଡି ବନ୍ଦ ହୋଇଗଲେ ସେହି ୫୮୬ ଟଙ୍କା ୫୦ ପଇସାରେ ହିଁ କିଣିବେ । ତେଣୁ ସିଲିଣ୍ଡର ପିଛା ଆପଣଙ୍କୁ ୧୦୧ଟଙ୍କାର ଅତିରିକ୍ତ ବୋଝ ପଡିବ ।