କୂଅରୁ ବାହାରିଲା ୨୫୦ ଗ୍ୟାସ ସିଲିଣ୍ଡର ! ଏହାର ସତ୍ୟତା ଜାଣିବା ପାଇଁ ପୋଲିସ ଏବଂ ପ୍ରଶାସନର ଜାରି ରହିଛି ପ୍ରୟାସ ।

21

ୟୁପିର କୌସାମ୍ବୀରେ ଏକ କୂଅ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କୂଅ ତାର ଗଭିରତା କିମ୍ବା ତାର ପାଣି ପାଇଁ ଚର୍ଚ୍ଚାର ବିଷୟ ପାଲଟିନାହିଁ । କୂଅରୁ ବାହାରୁଥିବା ରୋସେଇ ଗ୍ୟାସ ସିଲିଣ୍ଡର କାରଣରୁ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଏବଂ ପ୍ରଶାସନ ଏହି ଘଟଣା ପଛରେ ଥିବା ସତ୍ୟତାକୁ ଜାଣିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଏହି ଘଟଣାକୁ ନେଇ କୌଣସି ବି ବ୍ୟକ୍ତି ମୁଁହ ଖୋଲି ନାହାଁନ୍ତି ।

ସୂଚନା ମୁତାବକ, ଏହି ମାମଲାଟି କୌସାମ୍ବୀ ଜିଲ୍ଲାର ମଂଝନପୁର ଥାନା ଅନ୍ତର୍ଗତ ଲୌଗାବା ଗ୍ରାମରେ ଘଟିଛି । ଗୁରୁବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ପୋଲିସର ଏକ ଅପରେସନରେ ଏହି କୂଅରୁ ୨୫୦ରୁ ଅଧିକ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ପୋଲିସ ଗାଁର କିଛି କାମିକା ଲୋକଙ୍କ ସାହାଯ୍ୟରେ ଏହି ସିଲିଣ୍ଡର ଗୁଡିକୁ କୂଅରୁ ବାହାର କରିଛି ।

ପୋଲିସର କହିବା ଅନୁସାରେ, ଇଲାହାବାଦର ଝୁଂସି ଅଞ୍ଚଳରେ ଅବସ୍ଥିତ ଇଣ୍ଡେନ ଗ୍ୟାସ କମ୍ପାନୀର ଏକ ଟ୍ରକ ଗତ ୨୦ ଦିନ ପୂର୍ବରୁ ଖାଲି ସିଲିଣ୍ଡର ଧରି କାନପୁର ଆଡକୁ ଯାଉଥିବା ବେଳେ ଝୁଂସି ରାସ୍ତାରେ କେତେକ ଦୁର୍ବୃତ ଟ୍ରକ ସହ ସମସ୍ତ ଗ୍ୟାସ ଗୁଡିକୁ ଲୁଟି ନେଇଥିଲେ । ଟ୍ରକ ଲୁଟ ହେବା ପରେ ଗ୍ୟାସ ଏଜେନ୍ସି ମାଲିକ ଝୁଂସି ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ହେବାର ସପ୍ତାହ ପରେ ପୋଲିସ ଟ୍ରକକୁ ଜବତ କରିଥିଲା । କିନ୍ତୁ ସିଲିଣ୍ଡରର ପତା ପାଇନଥିଲା । ଅଚାନକ ପୋଲିସକୁ ଖବର ମିଳିଥିଲା ଲୌଗାବା ଜିଲ୍ଲା ଅନ୍ତର୍ଗତ ଏକ ଗାଁରେ ଅବସ୍ଥିତ ଗୋଟେ ସୁଖିଲା କୂଅରେ ସିଲିଣ୍ଡର ପଡିଥିବାର । ସୂଚନା ପାଇଁ ପୋଲିସ ତୁରନ୍ତ କାର୍ଯ୍ୟରେ ଲାଗିପଡିଥିଲା । ଏହା ପରେ ପୋଲିସକୁ ଏବେ ଯାଏ ଚୋରି ହୋଇଥିବା ୨୫୦ ସିଲିଣ୍ଡର ମିଳିପାରିଛି । ଏବେ ମଧ୍ୟ କୂଅରୁ ସିଲିଣ୍ଡର ବାହାର କରିବା କାର୍ଯ୍ୟ ଜାରି ରହିଛି ।