ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଣ୍ଟର ଭିତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ! ୧୪ଟି ଜିଲ୍ଲାକୁ ଯୋଗାଣ ହେବ ଏଲପିଜି, ଖର୍ଚ୍ଚ ହେବ ୧୦୩ କୋଟି ଟଙ୍କା

42

କନକ ବ୍ୟୁରୋ : ବଲାଙ୍ଗୀରରେ ଆଜି ଏଲପିଜି ବଟଲିଂ ପ୍ଲାଂଟର ଭିିତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଲାଙ୍ଗୀର ସହର ଉପକଣ୍ଠ ବରକାନି ଗାଁରେ ଏକ ଏଲପିଜି ବଟଲିଂ ପ୍ଲାଂଟ ପ୍ରତିଷ୍ଠ କରିବାକୁ ଯାଉଛି ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ- ବିପିସିଏଲ । ସାମାଜିକ ନ୍ୟାୟ ଓ ସଶକ୍ତି କରଣ ମନ୍ତ୍ରୀ ଥାବରଚନ୍ଦ ଗେହଲଟ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ।

୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ୨୦୨୦ ମସିହା ସୁଦ୍ଧା ଶେଷ ହେବ । ଏହି ପ୍ଲାଂଟରୁ ୧୪ଟି ଜିଲ୍ଲାକୁ ଏଲପିଜି ଯୋଗାଣ ହେବ । ଏଠାରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଭରିବ । ବଲାଙ୍ଗୀର ଷ୍ଟେସନଠାରୁ ୧୨ କିଲୋମିଟର ଦୂରରେ ଏହି ଏଲପିଜି ବଟଲିଂ ପ୍ଲାଂଟ ପ୍ରତିଷ୍ଠା କରିବା ପାଇଁ ୨୩ ଏକର ଅଂଚଳ ଅଧିଗ୍ରହଣ କରାଯାଇଛି । ବାର୍ଷିକ ୪୨ ଲକ୍ଷ ରନ୍ଧନ ଗ୍ୟାସ ସିଲିଣ୍ଡର ଏଠାରୁ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟରେ ୨୦୧୯ରେ ବିଜେପି କ୍ଷମତାକୁ ଆସିବାକୁ ଲକ୍ଷ ରଖିଛି । ମିଶନ ୧୨୦ ନେଇ କାର୍ୟ୍ୟ କରୁଛି । ପୂର୍ବଭାରତ ଉପରେ ରହିଛି ମୋଦି-ଶାହାଙ୍କ ନଜର । ଆଉ ପୂର୍ବଭାରତର ପ୍ରମୁଖ ଏକ ରାଜ୍ୟ ଓଡିଶାରେ ଧର୍ମେନ୍ଦ୍ର ଧରିଛନ୍ତି ମଙ୍ଗ । ତେଣୁ ରାଜନୈତିକ ଦୃଶ୍ୟପଟ୍ଟରେ ଆଜିର ଦିନରେ ଭିତ୍ତିପ୍ରସ୍ତର ସ୍ଥାପନର ଗୁରୁତ୍ୱ ଯଥେଷ୍ଟ ବଢିଯାଉଛି । ଅନ୍ୟପକ୍ଷରେ ବଲାଙ୍ଗୀରରେ ଏହି ପ୍ଲାଣ୍ଟ ସ୍ଥାପନର ଅର୍ଥ ପଶ୍ଚିମ ଓଡିଶାର ଲୋକଙ୍କ ଉପରେ ନଜର । ଏମିତିରେ ବି କିଛିଦିନ ତଳେ ଅମିତ ଶାହା ବଲାଙ୍ଗୀରରେ ନିର୍ବାଚନୀ ବିଗୁଲ ବଜାଇଥିଲେ । ପଶ୍ଚିମ ଓଡିଶାରେ ବିଜେପିର ସ୍ଥିତି ଅପେକ୍ଷାକୃତ ମଜଭୁତ ଅଛି । ତେଣୁ ବଲାଙ୍ଗୀରରେ ବଟଲିଂ ପ୍ଲାଣ୍ଟ ସ୍ଥାପନର ଭିତ୍ତିପ୍ରସ୍ତର ପକାଇ ଏହାକୁ ଏକ ନିର୍ବାଚନୀ ମୁଦ୍ଦା କରିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହୁଛି । ଏଲପିଜି ଭରିବା ହେଉ, ଯୋଗାଣ ହେଉ ଅବା ଉଜ୍ଜ୍ୱଳା ଯୋଜନା, ଏହା ବିଜେପିର ଏକ ଫ୍ଲାଗଶିପ କାର୍ୟ୍ୟକ୍ରମ ହୋଇଥିବାରୁ, ଏହାକୁ ମଧ୍ୟ ଆଖି ଆଗରେ ରଖି ଆଜିର ଗୋଟିଚାଳନା ହୋଇଥିବା କୁହାଯାଉଛି ।