ସମ୍ବଲପୁର ରାଣୀଖେଣ୍ଡା ଗାଁରେ ଭୟାବହ ଅଗ୍ନିକାଣ୍ଡ ! ଗ୍ୟାସ୍ ସିଲିଣ୍ଡର ଫାଟି ୩ ଶିଶୁ ଜୀବନ୍ତ ଦଗ୍ଧ

24

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ଶାସନ ଥାନା ରାଣିଖେଣ୍ଡା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳି ୩ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ନିଆଁ ଲାଗିବା ଫଳରେ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି । ନରୋତମ ଜବରଙ୍କ ୧୧ ବର୍ଷର ପୁଅ ଓ ୧୩ ବର୍ଷର ଝିଅଙ୍କ ସହ ତାଙ୍କ ଘରକୁ ଆସିଥିବା ସଂପର୍କୀୟଙ୍କ ଝିଅ ମଧ୍ୟ ପ୍ରାଣ ହରାଇଛନ୍ତି । ୩ ଜଣ ଶିଶୁଙ୍କ ମୃତ୍ୟୁ ପରେ ରାଣିଖେଣ୍ଡ ସ୍ତବ୍ଧ ହୋଇଯାଇଛି ।

ଗତକାଲି ରାତି ୯ଟା ୧୫ରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୁରୁଣାବସ୍ତିର ମୂଳନିବାସୀ ନରୋତମ ସ୍ଥାନୀୟ ଏକ କାରଖାନାରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଗାଁରେ କୋ÷ଣସି ସମସ୍ୟା ହେବାରୁ ସେ ୩ବର୍ଷ ତଳେ ଶାସନ ପାଖ ରାଣିଖେଣ୍ଡ ଗାଁକୁ ଆସି ଟୁନଟୁନ୍ ଶତପଥିଙ୍କ ଘରେ ଭଡ଼ାରେ ରହୁଥିଲେ । ଗତ ରାତିରେ ରୋଷେଇ କରିବାବେଳେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ପ୍ରାଣ ବିକଳରେ ନରୋତମ ଓ ପତ୍ନୀ ଲିଳିମା ଘରୁ ବାହାରକୁ ଚାଲି ଆସିଥିଲେ ।

ସେତେବେଳେ ନରୋତମଙ୍କ ସପ୍ତମ ଶ୍ରେଣୀ ପଢ଼ୁଆ ଝିଅ ବିଜୟିନୀ ଓ ତୃତୀୟ ଶ୍ରେଣୀରେ ପଢ଼ୁଥିବା ପୁଅ ପ୍ରେମାନନ୍ଦ ଏବଂ କୁଣିଆ ଆସିଥିବା ତାଙ୍କ ସମ୍ପର୍କୀୟଙ୍କ ୧୫ବର୍ଷର ଝିଅ ଭିତରେ ପାଠ ପଢ଼ୁଥିଲେ । ସେମାନେ ଘରୁ ବାହାରକୁ ବାହାରି ପାରିନଥିଲେ । ଦେଖୁ ଦେଖୁ ଚାରିଆଡ଼କୁ ନିଆଁ ବ୍ୟାପି ଯାଇଥିଲା । ହୁ ହୁ ହୋଇ ଜଳୁଥିବା ନିଆଁକୁ ଦେଖି ନରୋତମ କିମ୍ବା ଅନ୍ୟ କେହି ସ୍ଥାନୀୟ ଲୋକ ଘରକୁ ପଶି ପିଲାମାନଙ୍କୁ ଉଦ୍ଧାର କରବାକୁ ସାହାସ ଜୁଟାଇ ପାରିନଥିଲେ ।

ସମସ୍ତଙ୍କ ଆଖି ସାମ୍ନାରେ ଜଳି ଯାଇଥିଲେ ୩ଶିଶୁ । ଗାଁ ଲୋକ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ରେଙ୍ଗାଳୀରୁ ଅଗ୍ନିଶମ ବାହିନୀ ପହଂଚି ଥିଲେ । ମାତ୍ର ସେତେବେଳକୁ ସବୁକିଛି ସରି ସାରିଥିଲା । ୩ବଖରିଆ ଆଜବେଷ୍ଟସ୍ ଭଡ଼ା ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।