ରାଜ୍ୟରେ ମିଳୁଛି ନିମ୍ନମାନର ସାଲାଇନ୍ ! ଭେଜାଲ ସାଲାଇନକୁ ନେଇ ସରକାରୀ ସ୍ତରରେ ବଡ ଧରଣର ତନାଘନା ।

35

କନକ ବ୍ୟୁରୋ : ରାଜ୍ୟରେ ବିକ୍ରି ହେଉଛି ନିମ୍ନମାନର ସାଲାଇନ । ୨୦୧୭ରୁ ଓଡ଼ିଶାକୁ ଆସୁଥିଲା ବିପୁଳ ପରିମାଣର ବ୍ୟବହାର ଅନୁପଯୋଗୀ ସାଲାଇନ୍ । ଏବଂ ଏହା ଯାଉଥିଲା ରାଜ୍ୟର ବିଭିନ୍ନ ହସ୍ପିଟାଲକୁ । ଏହାକୁ ରୋଗୀଙ୍କ ବ୍ୟବହାରରେ ମଧ୍ୟ ଲଗାଯାଇଛି । ଓଡ଼ିଶା ରାଜ୍ୟ ମେଡ଼ିକାଲ କର୍ପୋରେସନ ଲିମିଟେଡ୍ ବା ଓଏସଏମସିଏଲ୍ ଲେଖିଥିବା ଏକ ଚିଠିରୁ ଏହା ଜଣାପଡିଛି । ବ୍ୟବହାର ଅନୁପଯୁକ୍ତ ସାଲାଇନ୍ ଯୋଗାଉଥିବା ଗୁଜୁରାଟ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏପରିକି ୩ବର୍ଷ ପାଇଁ ଗୁଜରାଟ୍ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇପାରେ ମେଡ଼ିକାଲ କର୍ପୋରେସନ । ଫଳରେ କର୍ପୋରେସନକୁ ସାଲାଇନ୍ ଯୋଗାଉଥିବା ଗୁଜରାଟର ଆକ୍ୟୁଲାଇଫ୍ ହେଲଥକେୟାର୍ କମ୍ପାନୀ ଆଗାମୀ ୩ ବର୍ଷ ପାଇଁ ସାଲାଇନ୍ ଯୋଗାଣ କରିପାରିବ ନାହିଁ ।

ଦୀର୍ଘଦିନ ହେବ କମ୍ପାନୀ ସାଲାଇନ୍ ଯୋଗାଇ ଆସୁଥିଲା । ତେବେ ଏଥିରୁ ୭ଟି ବ୍ୟାଚ୍ ନଂ ଯୁକ୍ତ ରିଙ୍ଗର୍ସ ଲାକ୍ଟେଟ୍ ସାଲାଇନ୍ ବ୍ୟବହାର ଅନୁପଯୁକ୍ତ ବୋଲି ପରୀକ୍ଷାଗାରରେ ଯାଂଚ୍ ପରେ ଜଣାପଡ଼ିଥିଲା । ଏନେଇ ଚିଠି କରାଯିବା ପରେ କମ୍ପାନୀ ମେଡ଼ିକାଲ କର୍ପୋରେସନ୍ ସାମ୍ନାରେ ନିଜ ପକ୍ଷ ରଖିଥିଲା । ତେବେ ୩ ବର୍ଷର ପ୍ରତିବନ୍ଧକ ପରେ କମ୍ପାନୀ ଓଡ଼ିଶା ସ୍ୱାସ୍ଥ୍ୟସେବା ଯୋଗାଣର ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବ ନାହିଁ । ଏନେଇ ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି । ଗତ ଅଗଷ୍ଟ ୧୦ ତାରିଖରେ ଓଏସଏମସିଏଲର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଏନେଇ ଚିଠି କରିଥିଲେ । ଏନେଇ ରାଜ୍ୟର ବିଭିନ୍ନ ଔଷଧ ବିତରକ କେନ୍ଦ୍ରକୁ ମଧ୍ୟ ସଂପୃକ୍ତ ସାଲାଇନ୍ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।