ବାଲେଶ୍ୱରରେ ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର । କୁନି କୁନି ପିଲା ଖାଉଛନ୍ତି ପଥର ମିଶା ଥଣ୍ଡା ଭାତ ସାଙ୍ଗକୁ ପଚା ଆଳୁର ତରକାରୀ ।

624

କନକ ବ୍ୟୁରୋ : ବାଲେଶ୍ୱରରୁ ଆସିଛି ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର । ପିଲାଙ୍କ ଥାଳିରେ ପରଷା ଯାଉଛି ଗୋଡି, ପଥର ମିଶା ଥଣ୍ଡା ଭାତ ଓ ପଚା ଆଳୁର ତରକାରୀ । ଏପରି ନିମ୍ନମାନର ମଧ୍ୟାହ୍ନ ଭୋଜନ କୁନି କୁନି ପିଲାଙ୍କୁ କାହିଁକି ଖାଇବାକୁ ଦିଆଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି ।

ପିଲାଙ୍କ ଥାଳିରେ ବଢା ଯାଉଛି ଚାଉଳିଆ ଭାତ । ତା ସହ ଦିଆଯାଉଛି ଡାଲି ସିଝା ପାଣି ନା ଡାଲାମା ଜଣାପଡୁନାହିଁ । ପଚା ଆଳୁ, ମଟର ତରକାରୀରେ ପୋକ ଭାସୁଛି । ଭାତରୁ ପଥର ଗୋଡି ବାହାରୁଛି । ବାଲେଶ୍ୱର ମୁନସିପାଲଟି ଅଂଚଳର ଫିରିଙ୍ଗିପାଟଣା ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ଥାଳିରେ ଏଭଳି ନିମ୍ନମାନର ମଧ୍ୟାହ୍ନ ଭୋଜନ ପରଷା ଯାଉଛି । ପୂର୍ବରୁ ସ୍କୁଲ ପରିସରରେ ମିଡଡେ ମିଲ ପ୍ରସ୍ତୁତ କରି ପିଲାଙ୍କୁ ଗରମ ଗରମ ପରଷାଯାଉଥିଲା । ହେଲେ ଏବେ ଦୀର୍ଘ ୧୫ କିଲୋମିଟର ଦୁର ସେରଗଡ ସେଂଟ୍ରାଲ କିଚେନରୁ ସ୍କୁଲକୁ ମଧ୍ୟାହ୍ନ ଭୋଜନ ଆସୁଛି । ଏପରିକି ପିଲା ସଂଖ୍ୟା ତୁଳନାରେ କମ ଖାଦ୍ୟ ଆସୁଥିବା ଅଭିଯୋଗ ହୋଇଛି ।

କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ବାଲେଶ୍ୱର ମୁନସିପାଲଟି ଅଂଚଳର ୫୦ରୁ ଅଧିକ ସ୍କୁଲକୁ ସେଣ୍ଟ୍ରାଲ କିଚେନରୁ ଖାଦ୍ୟ ଆସୁଛି । ସ୍କୁଲ ପରିସରରେ ମିଡଡେ ମିଲ ପ୍ରସ୍ତୁତ ବନ୍ଦ ହୋଇଥିବା ବେଳେ ଗତ ୧୫ଦିନ ହେଲା ସେଣ୍ଟ୍ରାଲ କିଚେନରୁ ଖାଦ୍ୟ ଯୋଗାଯାଉଛି । ମଧ୍ୟାହ୍ନ ଭୋଜନର ମାନକୁ ନେଇ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବେ କହିଛନ୍ତି ସ୍କୁଲ ପରିଚାଳନା କମିଟି ସଦସ୍ୟ ।

ବାଲେଶ୍ୱର ମୁନସିପାଲଟି ଅଂଚଳର ପ୍ରାୟ ୫୦ ହଜାର ସ୍କୁଲ ପିଲାଙ୍କ ପାଇଁ ଗୋଟିଏ ସ୍ଥାନରୁ ରୋଷେଇ କରି ସମସ୍ତ ସ୍କୁଲକୁ ପଠାଯାଉଛି । ତେଣୁ ଖାଦ୍ୟର ମାନ ଯାଂଚ କରି ପଦକ୍ଷେପ ନେବାକୁ ଦାବି ହେଉଛି ।