ରାଜ୍ୟ ସରକାରଙ୍କ ନିରାମୟ ଯୋଜନାରେ ମିଳୁଛି ନିମ୍ନ ମାନର ଔଷଧ ! ପାରାସିଟାମଲ ଓ କାଛୁ କୁଣ୍ଡିଆ ଲୋସନକୁ ନେଇ ଆସିଲା ଅଭିଯୋଗ

ଇ ମାସର ବ୍ୟବଧାନ ପରେ ରାଜ୍ୟରେ ଆଉ ଏକ ନିମ୍ନମାନର ଔଷଧ ସାମ୍ନାକୁ ଆସିଛି

173

କନକ ବ୍ୟୁରୋ : ଦୁଇ ମାସର ବ୍ୟବଧାନ ପରେ ରାଜ୍ୟରେ ଆଉ ଏକ ନିମ୍ନମାନର ଔଷଧ ସାମ୍ନାକୁ ଆସିଛି। ପୂର୍ବରୁ ସାଲାଇନ୍ ନିମ୍ନମାନର ଜଣାପଡ଼ିଥିବା ବେଳେ ଏବେ ଶିଶୁଙ୍କ ପାଇଁ ଦିଆଯାଉଥିବା ପାରାସିଟାମଲ ଓ କାଛୁ କୁଣ୍ଡିଆ ରୋଗ ପାଇଁ ପରମିଥ୍ରିନ୍ ଲୋସନ ନିମ୍ନମାନର ବୋଲି ଜଣାପଡ଼ିଛି। ରାଜ୍ୟ ଔଷଧ ନିଗମକୁ ନିମ୍ନମାନର ଔଷଧ ଯୋଗାଇବା ଯୋଗୁଁ ହରିୟାଣାସ୍ଥିତ ଜି ଲାବୋରେଟାରିକୁ କଳା ତାଲିକାଭୁକ୍ତ କରାଯାଇଛି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ନିଗମ ପକ୍ଷରୁ ୧୯ଟି କମ୍ପାନି ଓ ଏହାର ଉତ୍ପାଦକୁ କଳାତାଲିକାଭୁକ୍ତ କରାଯାଇଥିବା ସ୍ପଷ୍ଟ ହୋଇଛି।

 

ସୂଚନା ଅନୁଯାୟୀ, ଜିଲା ଲାବ୍ରୋଟୋରି ଚଳିତବର୍ଷ ଜାନୁଆରି ମାସରୁ ରାଜ୍ୟ ଔଷଧ ନିଗମକୁ ବିଭିନ୍ନ ବ୍ୟାଚରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ପାରାସିଟାମଲ ଓରାଲ ସସ୍ପେନସନ ଆଇପି(୫ଏମ୍ଏଲ୍) ଯୋଗାଇ ଆସୁଥିଲା। ତେବେ ଏଥିରୁ ୨ଟି ବ୍ୟାଚରେ ଔଷଧ ନିମ୍ନମାନର ଥିବା ଜଣାପଡ଼ିଥିଲା। ନିଗମ ପକ୍ଷରୁ ସ୍ବୀକୃତିପ୍ରାପ୍ତ ୩ଟି ଏନ୍ଏବିଏଲ୍ ଲାବ୍ରୋଟୋରି ମଧ୍ୟରୁ ୨ଟିରେ ଏହା ନିମ୍ନମାନର ବୋଲି ସ୍ପଷ୍ଟ ହୋଇଥିଲା। ଏ ସଂକ୍ରାନ୍ତରେ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହିତ ୭ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଥିଲା। ତେବେ ସଂସ୍ଥା ଏହି ଦୁଇ ଲାବ୍ରୋଟୋରି ରିପୋର୍ଟକୁ ସନ୍ତୋଷଜନକ ବୋଲି ଦର୍ଶାଇବା ସହିତ ହିମାଚଳ ପ୍ରଦେଶର ଡ୍ରଗ୍ସ କଂଟ୍ରୋଲର୍ ଏହାର ତଦନ୍ତ କରୁଥିବା ଯୋଗୁଁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଜଣାଇଥିଲା।

 

ତେବେ ଏହି ବାବଦରୁ ଦୂରେଇ ରହିବା ପାଇଁ ନିଗମ ପକ୍ଷରୁ ଟେଣ୍ଡର ଆହ୍ବାନ ସମୟରେ ହୋଇଥିବା ସର୍ତବାଳୀ ଅନୁସାରେ ଏହାକୁ କଳା ତାଲିକାଭୁକ୍ତ କରାଯାଇଛି। ସେହିପରି କମ୍ପାନି ପକ୍ଷରୁ ଦିଆଯାଉଥିବା କାଛୁ କୁଣ୍ଡିଆ ପରମିଥ୍ରିନ୍ ଲୋସନ (୬୦ମିଲି) ମଧ୍ୟ କଳା ତାଲିକାଭୁକ୍ତ ହୋଇଛି। ଫେବ୍ରୁଆରି ମାସରେ କମ୍ପାନି ପକ୍ଷରୁ ଯୋଗାଯାଇଥିବା ୪ଟି ବ୍ୟାଚରେ ଏହି ଲୋସନ୍ ନିମ୍ନମାନର ଥିବା ଜଣାପଡ଼ିଥିଲା। ଏ କ୍ଷେତ୍ରରେ କମ୍ପାନି ପକ୍ଷରୁ ସମାନ ଢଙ୍ଗରେ ଉତ୍ତର ଦିଆଯାଇଥିଲା। ତେବେ ନିଗମ ଏହାକୁ ମଧ୍ୟ କଳା ତାଲିକାଭୁକ୍ତ କରିଛି।

 

ରାଜ୍ୟ ଔଷଧ ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁ କମ୍ପାନିରୁ ୨ରୁ ଅଧିକ ବ୍ୟାଚରେ ଔଷଧ ନିମ୍ନମାନର ବୋଲି ଏନ୍ଏବିଏଲ୍ ଲାବ୍ରୋଟୋରିରେ ଜଣାପଡ଼େ ସେହି କମ୍ପାନିକୁ କଳାତାଲିକାଭୁକ୍ତ କରାଯାଉଛି। କମ୍ପାନି ପକ୍ଷରୁ ନିଗମକୁ ଔଷଧ ଯୋଗାଣ ପରେ ଡାକ୍ତରଖାନାକୁ ପଠାଯିବା ପୂର୍ବରୁ ଏହାକୁ ନିଗମର ସ୍ବୀକୃତିପ୍ରାପ୍ତ ଏନ୍ଏବିଏଲ ଲାବ୍ରୋଟୋରିକୁ ପରୀକ୍ଷା ପାଇଁ ପଠାଯାଇଥାଏ। ସେଠାରେ ଏହା ନିମ୍ନମାନର ଜଣାପଡ଼ିବା ପରେ ଏହାକୁ କଳା ତାଲିକାଭୁକ୍ତ କରାଯାଇଛି। ଆସନ୍ତା ୩ବର୍ଷ ପାଇଁ ଏହି କମ୍ପାନି ନିଗମର କୌଣସି ଟେଣ୍ଡର୍ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।