ପାର୍ବଣ ପୂର୍ବରୁ ଭିଜିବ ଓଡିଶା । ବଙ୍ଗୋପସାଗରରେ ଲଘୁଚାପ, ୧୨ଘଂଟାରେ ନେଇପାରେ ୱେଲମାର୍କର ରୂପ । ୧୦ରୁ ବର୍ଷା ସମ୍ଭାବନା

73

କନକ ବ୍ୟୁରୋ: ପାର୍ବଣ ପୂର୍ବରୁ ଭିଜିବ ଓଡିଶା । ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବାରୁ ଏହି ଆଶଙ୍କା କରାଯାଉଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଉତ୍ତରଆଣ୍ଡାମାନ ସମୁଦ୍ରରେ ସୃ୍ଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୨୪ଘଂଟା ମଧ୍ୟରେ ଏହା ଡିପ୍ରେସନର ପରିଣତ ହୋଇ ଉତ୍ତରପଶ୍ଚିମ ଦିଗରେ ଗତି କରିବ ।

 

୭୨ଘଂଟା ମଧ୍ୟରେ ଓଡିଶା ଉପକୂଳ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଉତର ଆଣ୍ଡାମାନ ସମୁଦ୍ର, ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନରେ ଘଂଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ୧୦ରୁ ଓଡିଶାରେ ବର୍ଷାର ପରିମାଣ ବଢ଼ିବ । ଏବଂ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ରିପୋର୍ଟ ଅନୁସାରେ ଲଘୁଚାପ ପ୍ରଭାବରେ ୨ ଦିନ ପରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଗାମୀ ଅକ୍ଟୋବର ୧୦ରୁ ବର୍ଷା ଆରମ୍ଭ ହେବ ଏବଂ ଏହା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ। ବର୍ଷା ଅଭାବରେ ଧାନ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପ୍ରାୟ ୨ ସପ୍ତାହରୁ ଅଧିକ ସମୟ ହେବ ବର୍ଷା ହୋଇ ନଥିବାରୁ ପଶ୍ଚିମ ଓଡ଼ିଶାରେ ଅବସ୍ଥା ଆହୁରି ଦୟନୀୟ ହୋଇ ଉଠିଛି। ଉଚ୍ଚ ଭୂମିରେ ଥିବା ଧାନ କ୍ଷେତ ଶୁଖିଲା ପଡ଼ିଥିବାରୁ ଚାଷୀମାନେ ବହୁ ଦୂରରେ ଥିବା ଜଳାଶୟରୁ ମେସିନ ସାହାଯ୍ୟରେ ପାଣିର ବ୍ୟବସ୍ଥା କରୁଛନ୍ତି। ଏଥିପାଇଁ ଚାଷୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଯେଉଁ ଚାଷୀମାନଙ୍କ ପାଖରେ ପାଣିପମ୍ପ ନାହିଁ, ସେମାନଙ୍କୁ ଘଣ୍ଟା ପ୍ରତି ମେସିନ ଭଡା ପାଖାପାଖି ୨୦୦ ଟଙ୍କା ଦେବାକୁ ପଡୁଛି।