କନକ ବ୍ୟୁରୋ : ଆସନ୍ତା ରବିବାର ଉପକୂଳର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ । ୧୭ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିବ । ତାମିଲନାଡ଼ୁ ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତଦିନିଆ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୨ ତାରିଖ ଯାଏଁ ଥଣ୍ଡା ଲାଗି ରହିବ ।

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ବର୍ତ୍ତମାନ ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ବହୁଛି । ଆଜି ଏହାର ବେଗ ଘଣ୍ଟାକୁ ୨୦ କି.ମି. ରହିଛି । ୧୨ ତାରିଖରେ ତାମିଲନାଡ଼ୁ ଉପକୂଳରେ ଲଘୁଚାପ ସୃଷ୍ଟି ହେଲେ ଏହାର ଆଂଶିକ ପ୍ରଭାବ ପଡ଼ିବ ଉପକୂଳ ଓଡ଼ିଶାରେ। ଉପକୂଳର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ । ତେବେ ୧୬ ତାରିଖ ବେଳକୁ ଲଘୁଚାପ ତାମିଲନାଡ଼ରୁ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ଅଧିକ । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଅଧିକ ପରିମାଣର ବର୍ଷା ହୋଇପାରେ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ।

ଗତକାଲି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩° ସେଲ୍‌ସିୟସ ଥିବା ବେଳେ ଫୁଲବାଣୀରେ ୧୪° ରେକର୍ଡ କରାଯାଇଛି। ସେହିପରି ହୀରାକୁଦରେ ୧୫.୩°, କେନ୍ଦୁଝରରେ ୧୬.୫°, ସୁନ୍ଦରଗଡ଼, ଅନୁଗୁଳରେ ୧୭°, କୋରାପୁଟରେ ୧୭.୪°, ସମ୍ବଲପୁରରେ ୧୭.୬°, ବଲାଙ୍ଗୀର, ଭବାନୀପାଟଣାରେ ୧୮.୨°, ଢେଙ୍କାନାଳରେ ୧୮.୭°, ସୋନପୁର, ବାରିପଦାରେ ୧୮.୮°, ଝାରସୁଗୁଡ଼ା, ତାଳଚେରରେ ୧୯°, କଟକ, ଭୁବନେଶ୍ୱରରେ ୧୯.୨°, ବାଲେଶ୍ୱରରେ ୧୯.୫° ରହିଛି।