ସାକାର ହେବ ଆପଣାର ଘର କରିବାର ସ୍ୱପ୍ନ ! କମ୍‌ ସୁଧରେ ମିଳିବ ୩୫ ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ

34

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏକ ୪୫ ଲକ୍ଷ ଟଙ୍କିଆ ଘର ନିର୍ମାଣ କରିବା ପାଇଁ ଯଦି ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ନିଆଯିବ ତେବେ ଉକ୍ତ ଋଣ ରାଶିକୁ ଅଗ୍ରାଧିକାର କ୍ଷେତ୍ରର ଋଣ ଭାବେ ବିଚାର କରାଯିବ । ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ସୁଲଭ ବାସଗୃହ କ୍ଷେତ୍ର ପାଇଁ ବିଶେଷ ଭାବେ ସହାୟକ ହେବ ବୋଲି କୁହାଯାଉଛି ।

ଅଗ୍ରାଧିକାର କ୍ଷେତ୍ରର ଋଣ ସୁଧ ହାର ଅନ୍ୟ ଋଣ ତୁଳନାରେ କମ୍‌ ରହିଥାଏ । ସେହି ଦୃଷ୍ଟିରୁ ଗ୍ରାହକମାନେ ଲାଭବାନ ହେବେ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଜଣାଇ ଦିଆଯାଇଛି ଯେ ମେଟ୍ରୋ ସହରଗୁଡ଼ିକ ପାଇଁ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ଅନ୍ୟାନ୍ୟ ଅଞ୍ଚଳ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣକୁ ଅଗ୍ରାଧିକାର କ୍ଷେତ୍ରର ଋଣ ବୋଲି ବିଚାର କରାଯିବ । ଏଥିପାଇଁ ଏକ ସର୍ତ୍ତ ମଧ୍ୟ ରହିଛି । ଏହି ସୁବିଧା ହାସଲ କରିବାକୁ ହେଲେ ମେଟ୍ରୋ ଅଞ୍ଚଳରେ ନିର୍ମାଣ କରାଯାଉଥିବା ଘର ମୂଲ୍ୟ ୪୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଅଞ୍ଚଳରେ ୩୦ ଲକ୍ଷ ଟଙ୍କାରୁ ଅଧିକ ହୋଇପାରିବନି । ବର୍ତ୍ତମାନ, ମେଟ୍ରୋ ସହର ପାଇଁ ୨୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ଅନ୍ୟାନ୍ୟ ଅଞ୍ଚଳ ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣକୁ ଅଗ୍ରାଧିକାର କ୍ଷେତ୍ରର ଋଣ ଭାବେ ବିଚାର କରାଯାଉଛି । ଏଥିପାଇଁ ସର୍ତ୍ତ ରହିଥିଲା ଯେ ମେଟ୍ରୋ ସହରରେ ଘର ମୂଲ୍ୟ ୩୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଅଞ୍ଚଳ ପାଇଁ ୨୫ ଲକ୍ଷ ଟଙ୍କାରୁ ଅଧିକ ହୋଇପାରିବ ନାହିଁ । ଅର୍ଥନୈତିକ ଦୁର୍ବଳ ଶ୍ରେଣୀ (ଇଡବ୍‌ଲ୍ୟୁଏସ୍‌) ଓ ସ୍ୱଳ୍ପ ଆୟ ବର୍ଗ (ଏଲ୍‌ଆଇଜି) ପାଇଁ ପରିବାରର ବାର୍ଷିକ ଆୟର ସୀମାକୁ ଯଥାକୟମେ ୩ ଲକ୍ଷ ଟଙ୍କା ଓ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସୀମା ଉଭୟ ବର୍ଗ ପାଇଁ ୨ ଲକ୍ଷ ଟଙ୍କା ଥିଲା ।