ବାଘ ଦିବସରେ ବଡ ଖବର । ରାଇଗୁଡାର ପ୍ରେମ କାହାଣୀ, ଏକାଠି ହେଲେ ସାତକୋଶିଆ ବାଘୁଣୀ ଓ ମଧ୍ୟପ୍ରଦେଶ ବାଘ ।

103

କନକ ବ୍ୟୁରୋ : ଓଡିଶା ବାଘୁଣୀ ପ୍ରେମରେ ମହାବୀର । ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ସାତକୋଶିଆ ଆସିଥିବା ଯୁବ ବାଘ ମହାବୀର, ଏଠାରେ ପୂର୍ବରୁ ଥିବା ବାଘୁଣୀ ସହ ଏକାଠି ବୁଲୁଥିବାର ସୂଚନା ପାଇଛି ବନବିଭାଗ । ସାତକୋଶିଆ କର୍ତ୍ତୃପକ୍ଷ ଆକଳନ କରିଥିଲେ ଯେ, ପ୍ରଥମେ ମହାବୀରକୁ ଜଙ୍ଗଲକୁ ଛାଡି, ସେଠାରେ ଥିବା ଏକମାତ୍ର ବାଘୁଣୀ ସହ ସଙ୍ଗମ କରିବାକୁ ସୁଯୋଗ ଦେଲେ ବଂଶବୃଦ୍ଧି ହେବାର ନୂତନ ସୁଯୋଗ ସୃଷ୍ଟି ହେବ । ଫଳରେ ବନବିଭାଗର ବାଘ ବଂଶ ବୃଦ୍ଧି ଉଦ୍ୟମକୁ ମିଳିଛି ପ୍ରଥମ ସଫଳତା ।

ସେପଟେ ସାତକୋଶିଆରେ ବାଘ ଛଡାଯିବାକୁ ନେଇ ଅଭୟାରଣ୍ୟ ମଧ୍ୟରେ ଥିବା ଗ୍ରାମବାସୀଙ୍କ ବିରୋଧ ପରେ ଘଟଣା ନେଇ ବିସ୍ତୃତ ରିପୋର୍ଟ ମାଗିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ କତ୍ତୃପକ୍ଷ (ଏନଟିସିଏ) । ପ୍ରକଳ୍ପ ଭିତରେ ବସବାସ କରୁଥିବା ଲୋକଙ୍କ ସହ ତୁରନ୍ତ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଦେଇଛି ପରାମର୍ଶ । ଫଳରେ ବର୍ଷାଋତୁ ସରିବା ପରେ ଦ୍ୱିତୀୟ ପର୍ଯ୍ୟାୟ ବାଘ ସ୍ଥାନାନ୍ତରଣ କାର୍ଯ୍ୟ କରାଯାଇପାରିବ ।

ସାତକୋଶିଆକୁ ବାଘ ଆଣିବା ପୂର୍ବରୁ କୋର ଏରିଆରେ ଥିବା ଏକ ଗ୍ରାମକୁ ଅନ୍ୟତ୍୍ର ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଏହା ସତ୍ତେ୍ୱ ଅଭୟାରଣ୍ୟ ଭିତରେ ଥିବା ଅନ୍ୟ କିଛି ଗ୍ରାମକୁ ସ୍ତାନାନ୍ତର କରାଯାଇବାରିନାହିଁ । କିନ୍ତୁ ବନବିଭାଗ ପକ୍ଷରୁ ସଂପୃକ୍ତ ଅଂଚଳରେ ଗଠନ କରାଯାଇଥିବା ଇକୋ ଡେଭେଲୋପମେଂଟ ସେଂଟର ଗୁଡିକ ସହ ଆଲୋଚନା କରି ବାଘ ଆଣିବା ନିଷ୍ପତି ନେଇଥିଲେ । ତେଣୁ ବିରୋଧ ପଛରେ କିଛି ରାଜନୈତିକ ଅଭିସନ୍ଧି ଥିବା ଅନୁମାନ କରୁଛି ବନବିଭାଗ ।

ସାତକୋଶିଆରେ ଥିବା ବାଘୁଣୀ ସହ ମହାବୀରର ମିଳାମିଶା ଦେଖି ଆଶାବାଦୀ ହୋଇପଡିଛନ୍ତି କର୍ତ୍ତୃପକ୍ଷ । ତେଣୁ ଖୁବ୍ ଶୀଘ୍ର ଏନକ୍ଲୋଜରରେ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟ ଜଙ୍ଗଲକୁ ଛାଡିବାକୁ ବିଚାର କରାଯାଉଛି । ଏପଟେ ବିରୋଧ କରୁଥିବା ଗ୍ରାମବାସୀଙ୍କ ସହ ଚାଲିଛି ଆଲୋଚନା । ବିରୋଧ ପରେ ମଧ୍ୟପ୍ରଦେଶ ଆଉ ବାଘ ଦେବାକୁ ରାଜି ହେବନି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ବନବିଭାଗ ମୁଣ୍ଡରେ ଚିନ୍ତା ପଶିଛି । ତେଣୁ ଖୁବ୍ ଶୀଘ୍ର ଘଟଣାର ସମାଧାନ ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ବନ କର୍ତ୍ତୃପକ୍ଷ ।