ପ୍ରେମର ଦିବସରେ ନିଆରା ପ୍ରେମ କାହାଣୀ ! “ଏକ୍ ଛୋଟି ସି ଲଭ୍ ଷ୍ଟୋରୀ”

98

କନକ ବ୍ୟୁରୋ : ପ୍ରେମକୁ ନେଇ ଅନେକ ଗପ, ଅନେକ ଉପନ୍ୟାସ । ମଂଚରୁ ପରଦା, କେତେ କାହାଣୀ ଲେଖା ହୋଇଛି, କେତେ ମଂଚସ୍ଥ ହୋଇଛି । ହେଲେ ଆମ ସମାଜରେ ଏମିତି ଅନେକ ପ୍ରେମ କାହାଣୀ ରହିଛି, ଯାହା କୌଣସି ଫିଲ୍ମ ବା’ ଗପଠୁ, କମ୍ ନୁହେଁ । ପ୍ରେମର ଦିବସ କୁହାଯାଉଥିବା ଭାଲେନଟାଇନ୍ ଡେ’ ଜାଣିବା ଏମିତି ଦୁଇଟି କାହାଣୀ । ଯେଉଁଠି ପ୍ରେମୀ ଯୁଗଳ, ସମସ୍ତ ବାଧାବିଘ୍ନକୁ ଅତିକ୍ରମକୁ ନିଜର ପ୍ରିୟ ମଣିଷକୁ ଜୀବନସାଥୀ ଭାବେ ପାଇବାରେ ସଫଳ ହୋଇଛନ୍ତି ।

ପ୍ରେମିକା ଯେବେ ପତ୍ନୀ ସାଜନ୍ତି, ବୋଧେ ଏଭଳି ଆସେ ଭାଲେନଟାଇନ୍ ଡେ’ । କେକ୍ କଟାହୁଏ, ଗୋଲାପ ଦେଇ, ପ୍ରେମ ନିବେଦନ ବି ହୁଏ । ହାତ ଧରି ଦିନେ ପ୍ରେମ ନିବେଦନ କରିଥିବା ପ୍ରେମିକ, ଆଜି ସାରା ଜୀବନ, ହାତ ଧରି ବାଟ ଚାଲିବାକୁ ଶପଥ ନେଇଛି । ଆଉ ଏହି ସଂପର୍କକୁ ବିବାହର ବନ୍ଧନ ଆହୁରି ମଜବୁତ କରିଦେଇଛନ୍ତି ।

ଏଭଳିି ପ୍ରେମୀ ଯୁଗଳ ହେଉଛନ୍ତି-ବ୍ରହ୍ମପୁର ସହରର, ସନ୍ତୋଷ ଆଉ ପଦ୍ମାବତୀ । ପ୍ରେମୀ ଯୁଗଳରୁ ସଫଳ ଦମ୍ପତି ହେବାକୁ ଏମାନଙ୍କୁ ବି ଅତିକ୍ରମ କରିବାକୁ ପଡିଛି କଂଟକିତ ପଥ । ବିବାହକୁ ଏବେ ୯ ବର୍ଷ, ବିତିଗଲାଣୀ ହେଲେ ପ୍ରେମ ଠିକ୍ ସେମିତି ଅଛି, ଯେମିତି ଆରମ୍ଭ ହୋଇଥିଲା । ହେଲେ ସମାଜିକ ବାଧାବନ୍ଧନ ଅଡୁଆ ସୂତା ଏବେବି ଛନ୍ଦି ହୋଇ ରହିଛି । ପଦ୍ୱାବତୀଙ୍କୁ ପୁଅ ଘର ଲୋକ ନିଜ ଝିଅ ଭଳି ଗ୍ରହଣ କରି ନେଇଥିବା ବେଳେ, ଏଯାଏଁ ସନ୍ତୋଷଙ୍କୁ ଗ୍ରହଣ କରିପାରି ନାହିଁନ୍ତି ଝିଅ ଘର ଲୋକ ।

ଝୁମ୍ପୁଡିରେ ଫୁଟିପାରେ ପ୍ରେମ ରୂପକ ଫୁଲ । ପ୍ରେମ ଯେ, କେବଳ ଆର୍ଥିକ ସ୍ୱଚ୍ଛଳଙ୍କ ଭିତରେ ସୀମିତ, ଏହି ଧାରଣାକୁ ଭୁଲ ପ୍ରମାଣିତ କରିଦେଇଛି-ବାଲେଶ୍ୱର ନହରପଦା ଗାଁର ରାଜେଶ ଏବଂ ଭାରତୀଙ୍କ ପ୍ରେମ କାହାଣୀ । ଆଉ କୋଳରେ ଏବେ ପ୍ରେମର ସନ୍ତକ,  କୁନି ପୁଅ

ବାଲିପୁରର ଝିଅ ଭାରତୀଙ୍କୁ ରାଜେଶଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଆଉ ବିବାହ କରିବାର ନିଷ୍ପତି ନେଇ ଘର ଛାଡ଼ି ଦେଇଥିଲେ । ସେତେବେଳେ ନାବାଳିକା ଥିବା ଭାରତୀ, ଗର୍ଭବତୀ ହୋଇଗଲେ । ହେଲେ ରାଜେଶଙ୍କ ଘର ଲୋକ ତାଙ୍କୁ ଗ୍ରହଣ କରିନଥିଲେ । ନା’ ଝିଅକୁ ଘର ଲୋକ ରଖିଲେ, ନା ପୁଅ ଘର ଗ୍ରହଣ କଲେ । ଠିକଣା ପାଲଟିଗଲା ବାଲେଶ୍ୱର ନାରୀ ସଂଘ । ଯେଉଁଠି ସେ ପୁଅଟିଏ ଜନ୍ମ ଦେଇଥିଲେ । ନାରୀ ସଂଘର ସହାୟତାରେ ଭାରତୀଙ୍କୁ ବିବାହ କରିଛନ୍ତି ରାଜେଶ । ଏବେ ହାଇଦ୍ରାବାଦରେ ରାଜେଶ କାମ କରୁଛନ୍ତି । ହେଲେ ଏମାନଙ୍କୁ ଏଯାଏଁ ମିଳିନି ପରିବାରର ଆର୍ଶୀବାଦ ।

ପ୍ରେମ ତ ସମସ୍ତେ କରନ୍ତି । ହେଲେ ପ୍ରେମିକାକୁ ନିଜର କରିବାର ସାହାସ ସମସ୍ତଙ୍କର ନଥାଏ । ଯାହା ବାଲେଶ୍ୱରର ଭାରତୀ-ରାଜେଶ ଏବଂ ବ୍ରହ୍ମପୁରର ସନ୍ତୋଷ -ପଦ୍ମାବତୀ କରି ଦେଖାଇଛନ୍ତି ।