ଭାଲେଂଟାଇନ୍ ଡେ ରେ ବଜରଙ୍ଗ ଦଳର ପହରା ! କଳିଙ୍ଗ ସେନା କର୍ମୀଙ୍କୁ ଉଠାଇ ନେଲା ପୋଲିସ, ସେପଟେ ଅହମଦାବାଦରେ ପ୍ରେମୀ ଯୁଗଳଙ୍କୁ ଗୋଡାଇ ପିଟିଲେ ବଜରଙ୍ଗୀ ବାଲା

53

କନକ ବ୍ୟୁରୋ:ଆଜି ଭାଲେଂଟାଇନ ଡେ । ଆଉ ଏହାକୁ ପାଳନ କରିବାକୁ ପ୍ରେମୀଯୁଗଳଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖାଦେଇଛି । ଭୁବନେଶ୍ୱରରେ ଏହାକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜିର ଦିବସର ବିରୋଧକୁ ଦେଖି ଭୁବନେଶ୍ୱର ଜୟଦେବ ବାଟିକାକୁ ବନ୍ଦ କରିଦିଆଯାଇଛି । ବାଟିକାର ଗେଟରେ କର୍ତୃପକ୍ଷ ବନ୍ଦ ନୋଟିସ ଲଗାଇଦେଇଛନ୍ତି । ଫଳରେ ବାଟିକାକୁ ଆସିଥିବା ପ୍ରେମୀଯୁଗଳ ଓ ପରିବାର ନିରାଶ ହୋଇଛନ୍ତି । ସେପଟେ ପ୍ରେମ ଦିବସ ପାଳନକୁ ବିରୋଧ କରିବାରୁ କଳିଙ୍ଗ ସେନାର ୩୦ ଜଣ ସଦସ୍ୟଙ୍କୁ ଉଠାଇ ନେଲା ପୋଲିସ । ଭାରତୀୟ ସଂସ୍କୃତିରେ ଭାଲେଂଟାଇନ୍ସ ଡେ’ ବା ପ୍ରେମ ଦିବସର କୌଣସି ଯଥାର୍ଥତା ନାହିଁ ବୋଲି କହିବା ସହ ଏହି ଦିବସ ପାଳନ କରିବାକୁ ବିରୋଧ କରିଛି କଳିଙ୍ଗ ସେନା । ବିଭିନ୍ନ ପାର୍କ ସବୁ ବନ୍ଦ କରିବାକୁ କଳିଙ୍ଗ ସେନା ପକ୍ଷରୁ ଦାବି କରାଯାଇଥିଲା ।

ସେପଟେ,ଭାଲେଂଟାଇନ୍ ଡେ ରେ ବଜରଙ୍ଗ ଦଳର ପହରା । ଅହମଦାବାଦରେ ପ୍ରେମୀ ଯୁଗଳଙ୍କୁ ଗୋଡେଇ ଗୋଡେଇ ପିଟିଲେ ବଜରଙ୍ଗ ଦଳର କର୍ମୀ । ଭାଲେଂଟାଇନ୍ ଡେ ମନାଇବାକୁ ଅହମଦାବାଦର ସାବରମତୀସ୍ଥିତ ୱାଟର ପାର୍କରେ ଏକାଠି ହୋଇଥିଲେ ଅନେକ ପ୍ରେମୀ ଯୁଗଳ ଓ ଦମ୍ପତି । ତେବେ ଭାଲେଂଟାଇନ୍ ଡେ ବା ପ୍ରେମ ଦିବସକୁ ବିରୋଧ କରୁଥିବା ବଜରଙ୍ଗ ଦଳର କର୍ମୀମାନେ ପୁଣି ଥରେ ସକ୍ରିୟ ହୋଇ ପଡିଥିଲେ । ଆଉ ହାତରେ ଲାଠି ଧରି ପ୍ରେମୀ ଯୁଗଳଙ୍କୁ ଗୋଡେଇ ଗୋଡେଇ ସେଠାରୁ ତଡିଥିଲେ । ଏହି ଦିବସ ପାଳନ ନକରିବା ପାଇଁ ଅନେକ ପ୍ରେମୀ ଯୁଗଳଙ୍କୁ ବଜରଙ୍ଗ ଦଳର କର୍ମୀମାନେ ଚେତାବନୀ ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ସାରା ବିଶ୍ୱ ଆଜି ପାଳନ କରୁଛି ଭାଲେଂଟାଇନ୍ସ ଡେ । ପ୍ରେମ ଆକାଶରେ ଉଡି ବୁଲୁଛନ୍ତି ଲଭ୍ ବାର୍ଡସ । କିଏ ଉପହାର ଦେଇ ନିଜ ପ୍ରେମକୁ ବ୍ୟକ୍ତ କରୁଛି ତ ଅନ୍ୟ କିଏ ପ୍ରେମର ପୂରା ସପ୍ତାହକୁ ମନଭରି ଉପଭୋଗ କରୁଛି । ଯୁବକ-ଯୁବତୀ ମାନେ ଏହି ଦିନକୁ ପାଳିବା ପାଇଁ ବେଶ୍ ଉତ୍ସାହ ଦେଖାଇଥାନ୍ତି । ଏହା ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିଲେ ବି ଭାରତରେ ଯୁବବର୍ଗ ଏହି ଦିବସ ପାଳିବାକୁ ବେଶ୍ ଆଗ୍ରହ ଦେଖାଉଛନ୍ତି । ଉପହାର ଦିଆନିଆ ସହ ପ୍ରେମୀ ଯୁଗଳ ଏକାଠି ବୁଲିବା ସହ ମଜା ମଜଲିସ କରୁଥିବା ଦେଖିବାକୁ ମିଳିଥାଏ ଭାଲେଂଟାଇନ୍ସ ଡେ’ରେ । ବିଭିନ୍ନ ପାର୍କ, ରେଷ୍ଟୁରାଂଟ୍ ଇତ୍ୟାଦିରେ ମଧ୍ୟ ଦେଖିବାକୁ ମିଳିଥାଏ ପ୍ରେମୀ ଯୁଗଳଙ୍କ ଗହଳି । ଖାଲି ସେତିକି ନୁହେଁ, ଏହି ଦିନ ଅନେକ ପ୍ରେମିକ ବା ପ୍ରେମିକ ନିଜ ମନର ମଣିଷଙ୍କୁ ପ୍ରପୋଜ୍ କରୁଥିବା ମଧ୍ୟ ଦେଖିବାକୁ ମିଳେ ।