ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଜଣ ନିଜ ମା’ଙ୍କର ଅତ୍ୟନ୍ତ ନିକଟତର ଅଟନ୍ତି । ପ୍ରଧାନମନ୍ତ୍ରୀ ମୋଦି ବହୁ ଥର ନିଜ ମା’ ହୀରାବେନଙ୍କର ସଂଘର୍ଷ ବିଷୟରେ କହିଛନ୍ତି । ସେପଟେ ରାହୁଲ ଗାନ୍ଧି ମଧ୍ୟ ନିଜ ମା ସୋନିଆ ଗାନ୍ଧିଙ୍କର ସ୍ୱାସ୍ଥ୍ୟରେ ଅବନତି ପରେ ତାଙ୍କର ଯତ୍ନ ନେଉଥିବା ଦେଖାଯାଇଛି । ରାହୁଲ ଅନେକ ଥର ନିଜ ମା ସୋନିଆଙ୍କର ସାହସିକତାର ଉଦାହରଣ ଦେଇଛନ୍ତି ।

କଂଗ୍ରେସ ଅଧିବେଶନରେ ମଧ୍ୟ ରାହୁଲ ସୋନିଆଙ୍କ ଅଭିଭାଷଣ ପରେ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ସୋନିଆ ମଧ୍ୟ ନିଜ ଭାଷଣରେ ଅନେକ ଥର ରାହୁଲଙ୍କ ବିଷୟରେ କହିଥିଲେ । କଂଗ୍ରେସର ଅତି ଘଡିସନ୍ଧି ମୁହୂତ୍ତରେ ରାହୁଲ ଦାୟିତ୍ୱଭାର ସମ୍ଭାଳିଥିବା ସୋନିଆ କହିଥିଲେ । ସୋନିଆ କହିଥିଲେ ସମସ୍ତଙ୍କୁ ଏକାଠି ହୋଇ ରାହୁଲଙ୍କ ନେତୃତ୍ୱରେ କାମ କରିବା ଦରକାର । ଏହି ସମୟ, ନିଜ ଅଂହକାର ଏବଂ ସ୍ୱାର୍ଥ ବିଷୟରେ ଭାବିବାର ନୁହେଁ । ରାହୁଲ ଗାନ୍ଧିଙ୍କ ସହ କଂଗ୍ରେସ ଏବେ ଆଗକୁ ଯିବାର ସମୟ ଆସିଛି ।

ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପଦରେ ରାହୁଲ ଗାନ୍ଧି ଅବସ୍ଥାପିତ ହେବା ସମୟରେ କେତେକ ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି କାର୍ଯ୍ୟକ୍ରମରେ ସୋନିଆଙ୍କ ଭାଷଣ ପରେ ରାହୁଲ ତାଙ୍କ ମଥାରେ ଚୁମ୍ବନ କରିଥିଲେ । ଏହା ଏକ ଭାବବିହ୍ୱଳ ସମୟ ଥିଲା । ସେହି ସମୟରେ ମଧ୍ୟ ସୋନିଆ ନିଜ ଭାଷଣରେ ଗାନ୍ଧି ପରିବାରର ସଂଘର୍ଷକୁ ମନେପକାଇ ରାହୁଲଙ୍କର ପ୍ରଂଶସା କରିଥିଲେ ।

ରାହୁଲଙ୍କ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମା ହୀରାବେନଙ୍କ ଅତ୍ୟନ୍ତ ଆପଣାର ଅଟନ୍ତି । ସର୍ବସାଧାରଣ ଭାବେ ମୋଦି ନିଜ ମାଙ୍କ ସହ ବହୁତ କମ୍ ହିଁ ନଜର ଆସନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦିନ ଗୁଡିକରେ ସେ ନିଜ ମାଙ୍କ ଆର୍ଶୀବାଦ ନେବାକୁ କେବେ ଭୁଲି ନଥାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ୬୪ତମ ଜନ୍ମ ଦିବସରେ ଅହମ୍ମଦାବାଦ ଯାଇ ନିଜ ମାଙ୍କ ଠାରୁ ଆର୍ଶୀବାଦ ନେଇଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କ ମାଙ୍କ ସହ ଥିଲା ପ୍ରଥମ ସାକ୍ଷାତ । ଏହା ପରେ ମୋଦି ଦୁଇ ବର୍ଷ ଯାଏଁ ନିଜ ଜନ୍ମଦିନରେ ମାଙ୍କୁ ସାକ୍ଷାତ କରିବାକୁ ଯାଇଥାନ୍ତି ।

ଏହା ପୂର୍ବରୁ ଲୋକସଭା ନିର୍ବାଚନ ଫଳାଫଳ ପରେ ମୋଦି ନିଜ ମାଙ୍କ ସହ ସାକ୍ଷାତ କରି ଆର୍ଶୀବାଦ ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ କଥାବାର୍ତ୍ତା ହେବା ସମୟରେ ମଧ୍ୟ ନିଜ ମା’ଙ୍କ ବିଷୟରେ କହିଥିଲେ । ଏପରିକି ଟାଉନ ହଲରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୋଦିଙ୍କ ଏହି ସଫଳତା ପଛରେ ତାଙ୍କ ମା’ଙ୍କ କଣ ଭୂମିକା ରହିଛି ବୋଲି ମାର୍କ ଜୁକରବର୍ଗ ମୋଦିଙ୍କୁ ପ୍ରଶ୍ନ କରିଥିଲେ । ଫେସବୁକର ଆମେରିକା ସ୍ଥିତ କାର୍ଯ୍ୟଳୟରେ ଲୋକଙ୍କ ସହ କଥାବାର୍ତ୍ତା ହେବା ସମୟରେ ନିଜ ମା’ଙ୍କୁ ନେଇ ଭାବୁକ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅତି ନମ୍ର ସ୍ୱରରେ କହିଥିଲେ ଯେ, ଅତି ଗରିବ ପରିବାରର ହେବା ସତ୍ତ୍ୱ ମଧ୍ୟ ତାଙ୍କ ମା’ ମୋଦିଙ୍କ ଲାଳନପାଳନ ପାଇଁ ପଡୋଶୀଙ୍କ ଘରେ ବାସନ ମାଜୁଥିଲେ ଏବଂ ମୁଲ ଲାଗୁଥିଲେ ।