ପଦାରେ ପଡ଼ିଲା ବିଏସଏଫ୍ ଯବାନଙ୍କ ପ୍ରେମ ଓ ପ୍ରତାରଣାର କାହାଣୀ : ଯୁବତୀଙ୍କ ଅଭିଯୋଗ, ମନ୍ଦିରରେ ବିବାହ କରି ଧୋକା ଦେଲେ . . . . ଯବାନଙ୍କ ଯୁକ୍ତି, ମିଛଟାରେ ଫଶାଇବାକୁ ଚେଷ୍ଟା କରୁଛନ୍ତି ଯୁବତୀ

721

କନକ ବ୍ୟୁରୋ : ଭୁବନେଶ୍ୱରରେ ଜଣେ ଡିଏସପି ରାଙ୍କର ବିଏସଏଫ ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଯୁବତୀ । ସେ କହିଛନ୍ତି, ମନ୍ଦିରରେ ବିବାହ କରିବା ପରେ ତାଙ୍କୁ ପ୍ରତାରଣା ଦେଇଛନ୍ତି ଏହି ବିଏସଏଫ ଯବାନ । ସେପଟେ ଯବାନ ପାଲଟା ଅଭିଯୋଗ ଆଣି କହିଛନ୍ତି ଯେ, ଜମି ଦେବାକୁ କହି ଏହି ଯୁବତୀ ତାଙ୍କ ଠାରୁ ୧୨ଲକ୍ଷ ଟଙ୍କା ନେଇଛନ୍ତି । ଏବେ ମିଛ କହି ତାଙ୍କୁ ଫସାଇବାକୁ ଉଦ୍ୟମ କରୁଛନ୍ତି ।

ଡାକ୍ତରୀ ପରୀକ୍ଷା ପାଇଁ ଯାଉଥିବା ଏହି ବିଏସଏଫ ଯବାନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଯୁବତୀଙ୍କ ଅଭିଯୋଗ ହେଲା, ପ୍ରେମ କରିବା ପରେ ମନ୍ଦିରରେ ବିବାହ କରି ପ୍ରତାରଣା ଦେଇଛନ୍ତି ଏହି ବିଏସଏଫ ଯବାନ । ଯବାନ ଜଣଙ୍କ ତାଙ୍କ ଠାରୁ ବହୁପରିମାଣର ଟଙ୍କା ନେଇଯାଇଛନ୍ତି । ଆହୁରି ୧୦ଲକ୍ଷ ଟଙ୍କା ମାଗିଛନ୍ତି । ଟଙ୍କା ନଦେବା କାରଣରୁ ତାଙ୍କୁ ବ୍ଲାକମେଲ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ସମ୍ପର୍କ ରଖିବାର ପ୍ରାୟ ୧ ବର୍ଷ ପରେ ଯବାନ ଜଣଙ୍କ ବିବାହିତ ବୋଲି ଜାଣିଥିଲେ ଯୁବତୀ । ସିଧା ପହଂଚିଥିଲେ ମହିଳା ଥାନାରେ । ଥାନାରେ ଅଭିଯୋଗ ପରେ ପୋଲିସ ଏହି ବିଏସଏଫ ଯବାନଙ୍କୁ ଗିରଫ କରିଛି ।

ତେବେ ପୀଡିତା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଏସଏଫ ଯବାନ । ପାଲଟା କହିଛନ୍ତି ଜମି ଦେବାକୁ କହି ଏହି ଯୁବତୀ ଜଣଙ୍କ ତାଙ୍କ ଠାରୁ ୧୨ଲକ୍ଷ ଟଙ୍କା ନେଇଛନ୍ତି । ଜମି ଦେଉନାହାନ୍ତି କି ଟଙ୍କା ଫେରାଉ ନାହାନ୍ତି । ଟଙ୍କା ଫେରାଇବାକୁ ଅସମର୍ଥ ହେବା କାରଣରୁ ମିଛରେ ଫଶାଇ ଦେବା ପାଇଁ ଯୁବତୀ ଜଣଙ୍କ ଏପରି ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ଠାରୁ ଦୁଷ୍କର୍ମ ନେଇ ଅଭିଯୋଗ ପାଇବା ପରେ ପୋଲିସ ଆରମ୍ଭ କରିଛି ଛାନବିନ । ଆଇପିସିର ଧାରା ୧୬୪ରେ ଯୁବତୀଙ୍କ ବୟାନ ରେକର୍ଡ କରିବା ସହିତ ଯବାନଙ୍କ ଡାକ୍ତରୀ ପରୀକ୍ଷା କରାଇଛି ।

ପୀଡିତା ଏବଂ ବିଏସଏଫ ଯବାନ ପରସ୍ପର ଉପରେ ଦୋଷାରପ କରୁଥିବା ବେଳେ ପ୍ରକୃତ ସତ କଣ ତାହା ତଦନ୍ତ ପରେ ସ୍ପଷ୍ଟ ହୋଇଯିବ । ଏବେ ଅପେକ୍ଷା କଣ କହୁଛି ପୋଲିସର ତଦନ୍ତ ରିପୋର୍ଟ ।