କ୍ଷତିରେ ଚାଲୁଛି ଏୟାର ଇଣ୍ଡିଆ, ହେଲେ ପାଇଲଟଙ୍କ ଦରମା ବଢ଼ିଲା ଲକ୍ଷାଧିକ ଟଙ୍କା : ଜାଣିଲେ ଆପଣଙ୍କ ଉଡିଯିବ ହୋଶ !

25

ଏୟାର ଇଣ୍ଡିଆର ବିପୁଳ କ୍ଷତିରେ ସରକାର ଏବେ ଚିନ୍ତାରେ ଅଛନ୍ତି । କିନ୍ତୁ କମ୍ପାନୀ ଉପରେ ଏହାର କିଛି ଫରକ ପଡୁନଥିବା ଭଳି ଲାଗୁଛି । ଏୟାର ଇଣ୍ଡିଆ ଜାହାଜର ପାଇଲଟ ମାନଙ୍କ ଦରମାରେ ୧୨ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।

ସୁଚନା ମୁତାବକ ୧୦୦ ପାଇଲଟଙ୍କୁ କମ୍ପାନୀ ତରଫରୁ ପ୍ରମୋସନ ମିଳିବା ସହ ତାଙ୍କ ଦରମାରେ ବୃଦ୍ଧି ହେବାକୁ ଯାଉଛି । ଏହି ପାଇଲଟମାନଙ୍କୁ ପ୍ରମୋସନ ଦିଆଯାଇ ଏକଜିକ୍ୟୁଟିଭ ର୍ୟାଙ୍କ ଦେବାକୁ କମ୍ପାନୀ ସ୍ଥିର କରିଛି । ବର୍ତ୍ତମାନ ସରକାର ଏୟାର ଇଣ୍ଡିଆର ଘରୋଇକରଣ ପାଇଁ ଚେଷ୍ଟା ଜାରି ରଖିଛନ୍ତି । କମ୍ପାନୀ କଥାକୁ ଘୋଡାଇବାକୁ ଯାଇ ଏହି ପାଇଲଟମାନଙ୍କୁ ୧୦ ବର୍ଷ ହେଲା ପ୍ରମୋସନ ଦିଆଯାଇନଥିବା କଥା କହିଛି କିନ୍ତୁ ଅଚାନକ ଦରମା ବୃଦ୍ଧି ପୁଣି କମ୍ପାନୀର ଆର୍ଥିକ ସ୍ଥିତି ଖରାପ ଥିବା ସମୟରେ ଶୁଣିବାକୁ ଅଜବ ଲାଗୁଛି ।

ଦୁଇଦିନ ପୂର୍ବରୁ ସରକାର ଭିଭିଆପି ଜାହାଜ କିଣିବା ଏବଂ ଏହାର ସାଜସଜ୍ଜା ପାଇଁ ନ୍ୟାସନାଲ ସ୍ମଲ୍ ସେଭିଙ୍ଗ ଫଣ୍ଡସ ଆକାଉଣ୍ଟରୁ ଏୟାର ଇଣ୍ଡିଆକୁ ପଇସା ଦେଇଥିବାର କଥା ଘୋଷଣା କରିଥିଲେ । ଗତବର୍ଷ ଜୁନ ମାସରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଏୟାର ଇଣ୍ଡିଆକୁ ଘରୋଇକରଣ କରିବା ନିମନ୍ତେ ମଂଜୁରୀ ଦେଇଥିଲା । ଚଳିତ ବର୍ଷ ଏୟାର ଇଣ୍ଡିଆକୁ ୪୯ ପ୍ରତିଶତ ବିଦେଶୀ ନିବେଶକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏୟାର ଇଣ୍ଡିଆର ୬ ସବସିଡିଆରିରୁ ୩ଟିର ଅବସ୍ଥା ଖରାପ ରହିଛି । ୨୦୧୨ ମସିହାରୁ ଏବେ ପର୍ଯ୍ୟନ୍ତ ସରକାର ୨୩ ହଜାର କୋଟି ଟଙ୍କାର ପୁଞ୍ଜି ଏହି କମ୍ପାନୀରେ ଲଗାଇ ସାରିଛି ।