ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ବିଫଳ ହେଲା ଭାରତ ! ୱକ୍ସଙ୍କ ଶତକ ବଳରେ ଇଂଲଣ୍ଡର ସ୍କୋର ୩୫୭/୬ ।

37

ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସ୍ ଷ୍ଟାଡିୟମରେ ୫ ଟେଷ୍ଟ ମ୍ୟାଚର ୨ୟ ମୁକାବିଲା ୩ୟ ଦିନରେ ଶନିବାର ଇଂଲଣ୍ଡର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଖରାପ ଆଲୋକ ଯୋଗୁଁ ମ୍ୟାଚ୍ ଅଟକିବା ପୂର୍ବରୁ କ୍ରିସ ଓ୍ଵକ୍ସ ଶତକ (ଅପରାଜିତ ୧୨୦) ହାସଲ କରିଛନ୍ତି । ସାମ କୁରାନ ୨୨ ରନ୍ ଯୋଡ଼ି ଅପରାଜିତ ଅଛନ୍ତି । ୮୧ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୩୫୭ ରନ୍ ସଂଗ୍ରହ କରିବା ପରେ ଇଂଲଣ୍ଡ ୨୫୦ ରନରେ ଅଗ୍ରଣୀ ରହିଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଖେଳି ଜନି ବେୟାରଷ୍ଟୋ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ୍ ଦେଇଥିଲେ । ଏହା ପୂର୍ବରୁ ବେୟାରଷ୍ଟୋ ୯୩ ରନ୍ ସଂଗ୍ରହ କରି ନେଇଥିଲେ । ଇଂଲଣ୍ଡର ଓପନର ଆଲିଷ୍ଟର କୁକ୍ ୨୧ ରନ୍, କିଏଟନ୍ ଜେନିଙ୍ଗସ୍ ୧୧ ରନ୍, ଅଧିନାୟକ ଜୋଏ ରୁଟ୍ ୧୯ ରନ୍, ଓଲାଇ ପୋପ୍ ୨୮ ରନ୍ ଓ ଜୋସ୍ ବଟଲର୍ ୨୪ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ୩ଟି ଓ୍ଵିକେଟ୍ ମିଳିଥିବା ବେଳେ ଈଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି ।

ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଭାରତୀୟ ବ୍ୟାଟସମ୍ୟାନମାନେ ୩୫.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୦୭ ରନ୍ ସଂଗ୍ରହ କରିଥିଲେ । ପ୍ରଥମ ଦିନ ବର୍ଷା ଯୋଗୁଁ ଖେଳ ବନ୍ଦ ଥିବା ବେଳେ ୨ୟ ଦିବସରେ ଶୁକ୍ରବାର ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୨୯ ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୫୭ଟି ବଲ ଖେଳି ୨୩ ରନ୍ ଯୋଡ଼ିଥିଲେ ।