ଜଗତସିଂହପୁରର ପ୍ରସିଦ୍ଧ ଗୋରଖନାଥ ମନ୍ଦିର ରୋଷେଇ ଘରେ ପଡ଼ିଲା ତାଲା । ମନ୍ଦିର ବାହାରେ ଧାରଣାରେ ବସିଲେ ସେବାୟତଙ୍କ ପରିବାର । ପ୍ରଶାସନର ଟେଣ୍ଡର ନିଷ୍ପତ୍ତିକୁ ସେବାୟତଙ୍କ ପ୍ରତ୍ୟାଖ୍ୟାନ

328

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୁତି କ୍ଷେତ୍ର ଗୋରଖନାଥଙ୍କ ପୀଠରେ ପଣ୍ଡା ପୂଜକଙ୍କ ଅନଶନ ଓ ଧାରଣା । ଦୀର୍ଘ ବର୍ଷ ଧରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଅନ୍ନ ପ୍ରସାଦ ସେବାକୁ ବନ୍ଦ କରିବା ସହିତ ପ୍ରଶାସନ ପକ୍ଷରୁ ରୋଷ ଘରେ ତାଲା ପକାଇବା ପରେ ଜୋର ଧରିଛି ବିବାଦ । ଏହି ପୀଠରେ ପଣ୍ଡା ଓ ପୂଜକଙ୍କ ପରିବାର ଲୋକ ଧାରଣାରେ ବସିଥିବା ବେଳେ ମନ୍ଦିରକୁ ଆସୁଥିବା ଶହ ଶହ ଭକ୍ତ ପ୍ରସାଦ ନ ପାଇ ନିରାଶ ହୋଇ ଫେରୁଛନ୍ତି ।

ପୂଜକମାନଙ୍କ ଦ୍ୱାରା ହୋଇ ଆସୁଥିବା ମାନସିକ ପ୍ରସାଦ ଭୋଗ ତଥା ଭୋଗ ବ୍ୟବସ୍ଥାକୁ ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବନ୍ଦ କରିଦେଇଛି । ଜାନୁଆରୀ ୧ ତାରିଖରୁ ରୋଷ ଘରେ ତାଲା ପକାଇ ଦିଆଯାଇଛି ଏବଂ ଏହାର ପ୍ରତିବାଦରେ ଧାରଣାରେ ବସିଛନ୍ତି ଗୋରଖନାଥ ପୀଠର ସେବାୟତ । ଏହି ରୋଷଶାଳାରେ ଖାଦ୍ୟ ପ୍ରସ୍ତୁତ କରି ଭକ୍ତଙ୍କୁ ଅନ୍ନ ପ୍ରସାଦ ଦେଇଥାନ୍ତି । ଏହାର ବିକ୍ରି ଅର୍ଥରେ ସେମାନଙ୍କ ପରିବାର ପ୍ରତିପୋଷଣ କରନ୍ତି ବୋଲି କହିଛନ୍ତି ପୂଜକ ।

ରୋଷ ଘରେ ତାଲା ପଡିବା ପରେ ପୀଠକୁ ଆସୁଥିବା ଭକ୍ତଙ୍କୁ ମାନସିକ ଭୋଗ ମିଳି ପାରୁନାହିଁ । ଫଳରେ ନିରାଶ ହୋଇ ଫେରୁଛନ୍ତି ଭକ୍ତ । ସବୁବେଳେ ଭିଡ ଲାଗି ରହୁଥିବା ପ୍ରସାଦ ଖଳା ଏବେ ଖାଁ ଖାଁ ।

ସେପଟେ ଏକ ଶୃଙ୍ଖଳିତ ଢଙ୍ଗ ପ୍ରସାଦ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ ଓ ମନ୍ଦିର ସେବାୟତଙ୍କ ମଧ୍ୟରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ୩ ଲକ୍ଷ ଟଙ୍କାର ଟେଣ୍ଡର ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ସେବାୟତ ପ୍ରତ୍ୟାଖ୍ୟାନ କରିଥିବା କହିଛନ୍ତି ଉପଜିଲ୍ଲାପାଳ । ତେବେ ଗୋରଖନାଥ ପୀଠରେ ଚାଲିଥିବା ଏହି ବିବାଦର ତୁରନ୍ତ ସମାଧାନ ପାଇଁ ଦାବି ହେଉଛି ।