ପେଟ୍ରୋଲ ପମ୍ପରେ ଦିନ ଦ୍ୱିପହରରେ ଚାଲିଛି ଠକେଇ: ୧୧ ଶହ ଟଙ୍କାରେ ମିଳିଲା ୨୦୫ ଟଙ୍କାର ପେଟ୍ରୋଲ, ଅଧା ବାଟରେ ସରିଗଲା ତେଲ .. ଗ୍ରାହକ ହଟହଟା

979

କନକ ବ୍ୟୁରୋ : ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଲୁଟ । ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ନେଇ କିପରି କମ୍ ପରିମାଣର ପେଟ୍ରୋଲ ଦେଇ କିପରି ଠକା ଯାଇପାରେ ତାର ଏକ ଉଦାହରଣ ସାମ୍ନାକୁ ଆସିଛି । ଭୁବନେଶ୍ୱର ନିକଟସ୍ଥ ଫୁଲନଖରାଠାରେ ଥିବା ରିଲାଏନ୍ସର ହାଇୱେ ରିଫିଲ୍ର ଏଭଳି କାରବାର ହୋଇଥିବା ଅଭିଯୋଗ ହୋଇଛି । ଜଣେ ଗ୍ରାହକ ଡେବିଟ୍ କାର୍ଡରେ ନିଜ କାରରେ ୧୧ଶହ ୧୧ଟଙ୍କାର ପେଟ୍ରୋଲ ପକାଇଥିଲେ । ହେଲେ ତାଙ୍କୁ ମାତ୍ର ୨୦୫ଟଙ୍କାର ପେଟ୍ରୋଲ ମିଳିଥିଲା ଓ ତାହା ମଧ୍ୟ ଡିଲରଙ୍କ କମ୍ପ୍ୟୁଟର ସ୍କ୍ରିନ୍ରୁ ଜାଣିବାକୁ ମିଳିଛି । ଆଉ ଅଧା ବାଟରେ ଗାଡ଼ିରୁ ତେଲ ସରିଯିବାରୁ ହଟହଟା ହୋଇଛନ୍ତି ଗ୍ରାହକ ।

ଭୁବନେଶ୍ୱର ନିକଟସ୍ଥ ଫୁଲନଖରାରେ ଥିବା ରିଲାଏନ୍ସର ”ହାଇୱେ ରିଫିଲ୍’’ ପେଟ୍ରୋଲ ପମ୍ପ୍ । ଅନେକ ଗ୍ରାହକଙ୍କୁ ନିକ ଗାଡ଼ିରେ ତେଲ ପକାଇଲା ବେଳେ କିଭଳି ଠକାଯାଉଛି ତାର ଏକ ଚିତ୍ର ପଦାକୁ ଆସିଛି । ଭୁବନେଶ୍ୱରର ଶିବ ମହାନ୍ତି ଏପରି ଠକାମିର ଶିକାର ହୋଇଛନ୍ତି  । ସେ  ଜଣେ ଡକୁମେଂଟାରୀ ଫିଲ୍ମ ମେକର । ୧୯ ତାରିଖ ବୁଧବାର ସକାଳ ୮ଟା ୦୨ ମିନିଟରେ ସେ ”ହାଇୱେ ରିଫିଲ୍’’ରେ ନିଜ କାରରେ ୧୧ଶହ ୧୧ ଟଙ୍କାର ପେଟ୍ରୋଲ ପକାଇଲେ । ତାଙ୍କୁ ୧୧ଶହ ୧୧ଟଙ୍କାର ରସିଦ୍ ମିଳିଗଲେ ବି ତାଙ୍କ ଗାଡ଼ିର ମିଟର କଂଟା ଉଠିଲା ନାହିଁ । ତାଙ୍କର ସନ୍ଦେହ ହେଲା ଓ ସେ ସେହି ସମୟରେ ତତକ୍ଷଣାତ୍ ଯାଇ ସେଲ୍ସ ରୁମରେ ଥିବା କମ୍ପ୍ୟୁଟରର ଡାଟା ଦେଖିଥିଲେ । ତାହାକୁ ତାଙ୍କ ମୋବାଇଲରେ ବି କ୍ୟାପଚର କରିନେଇଥିଲେ । ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ । କମ୍ପ୍ୟୁଟର ସ୍କ୍ରିନରେ ମାତ୍ର ୨୦୫ଟଙ୍କାର ପେମେଣ୍ଟ୍ ହୋଇଥିବା ଦେଖାଯାଉଥିଲା । ତେବେ ସର୍ଭର ଡାଉନ୍ ପାଇଁ ଏପରି ହୋଇଥିଲା ବୋଲି ପେଟ୍ରୋଲ ପମ୍ପ ମ୍ୟାନେଜର ଯୁକ୍ତି ବାଢ଼ିଥିଲେ ।

ସର୍ଭର ଡାଉନ୍ ପାଇଁ କେବଳ ଶିବ ମହାନ୍ତିଙ୍କର ଭୁଲ୍ ହୋଇଛି, ଅନ୍ୟମାନଙ୍କର ନୁହେଁ ବୋଲି ପମ୍ପର ମ୍ୟାନେଜର ଦେବେନ୍ଦ୍ରନାଥ ମିଶ୍ର ଫୋନ୍ରେ କହିଥିବା ବେଳେ ତାହା ସତ୍ୟ ନୁହେଁ ବୋଲି ସ୍ପଷ୍ଟ ହୋଇଛି । କାରଣ ଡେବିଟ୍ କାର୍ଡରେ ହଜାର ହଜାର ଟଙ୍କାର ପେମେଂଟ୍ ସହ କମ୍ପ୍ୟୁଟର ସ୍କ୍ରିନ୍ର ପେମେଂଟ୍ ତଥ୍ୟ ମେଳ ଖାଉନାହିଁ । ଏଭଳି ଘଟଣାରୁ ଏଭଳି ଅନେକ ପେଟ୍ରୋଲ ପମ୍ପ ରାଜ୍ୟରେ ଗ୍ରାହକଙ୍କୁ ଠକୁଥିବା ସନ୍ଦେହ ସୃଷ୍ଟି ହୋଇଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀ ଡିଲରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଦେଖାଦେଇଛି ।