ଭୁବନେଶ୍ୱର ସପିଂ ମଲରେ ଲୁଟେରା ଗ୍ୟାଙ୍ଗ୍ । ଆଖି ପିଛୁଳାକେ ବୁଲାଉଛନ୍ତି କଳାକନା, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ । ଦେଖନ୍ତୁ ସେହି ସମୟର ଭିଡ଼ିଓ

467

କନକ ବ୍ୟୁରୋ: ସପିଂ ମଲରେ ସୁପର ଚୋରି । ଏହି କଥା ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ସିସିଟିଭି ଭିଜୁଆଲ ଦେଖିବା ପରେ ଆପଣ ବି ବିଶ୍ୱାସ କରିପାରିବେନି । ସପିଂ ମଲରେ କିପରି ଚାଲାକିର ସହ ଜଣେ ମହିଳାଙ୍କ ପର୍ସରୁ ଚୋରି ହେଉଛି ତାହା ଆପଣଙ୍କୁ ତାଜୁବ କରିଦେବ ।

ସପିଂମଲରେ ଗେମ ଖେଳୁଥିବା ବେଳେ କଳାକନା ବୁଲାଇଲେ ଚୋର । ସମସ୍ତଙ୍କ ଆଖି ସାମ୍ନାରେ ହାତସଫେଇ କରୁଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନଥିଲା । କିନ୍ତୁ ଚୋରିର ପୂରା ଘଟଣାକୁ କଏଦ କରିଥିଲା ସିସିଟିଭି କ୍ୟାମେରା । ଚୋରିର କ୍ରାଇମପ୍ଲେଟ ଏଭଳି ଥିଲା ଯେ, ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । କାରଣ ଆଖିପିଛୁଳାକେ ବେଶ ଚତୁରତାର ସହ ହାତସଫେଇ କରୁଥିଲେ ଛୋଟ ଛୋଟ ଛୁଆ ।

ଘଟଣା ଅନୁଯାୟୀ, ଗତକାଲି ପଟିଆ ଅଂଚଳର ସରୋଜ କୁମାର ବ୍ରହ୍ମ ଏବଂ ରୋଜାଲିନ ବିଶ୍ୱାଳ ଏସପ୍ଲାନେଡ ମଲର ଟାଇମଜୋନକୁ ନିଜ ଝିଅକୁ ଖେଳାଇବାପାଇଁ ଆଣିଥିଲେ । ଆଉ ଝିଅକୁ ସେଠାରେ ଖେଳାଇବା ସମୟରେ ଏହି ଦମ୍ପତିଙ୍କ ପାଖକୁ ଲାଗି ଛିଡା ହୋଇଥିଲେ ୨ଜଣ ଝିଅ ଓ ୨ଜଣ ପୁଅ । ଆଉ ସୁବିଧା ପାଇବା ମାତ୍ରକେ ଝିଅ ଜଣଙ୍କ ବେଶ୍ ଚତୁରତାର ସହ ରୋଜାଲିନଙ୍କ ଭ୍ୟାନିଟି ବ୍ୟାଗର ଚେନ ଖୋଲି ଟଙ୍କା ଥିବା ଛୋଟ ପର୍ସଟିକୁ ଚୋରି କରିନେଇଥିଲେ । ଆଉ ଏହି ଚୋରିକୁ ଏତେ ସର୍ତକତାର ସହ କରାଯାଇଥିଲା ଯେ, ମହିଳା ମଧ୍ୟ ଏ ବାବଦରେ ଟେର ମଧ୍ୟ ପାଇନଥିଲେ ।

ତେବେ ଖେଳିସାରିବା ପରେ ଭ୍ୟାନିଟି ଖୋଜିଥିଲେ ମଧ୍ୟ ଏହା ମିଳିନଥିଲା । ପରେ
ଏନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ଆସି ସପିଂ ମଲର ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଯାଂଚ ହୋଇଥିଲା ସିସିଟିଭି । ଚୋରିର ପୂରା ଦୃଶ୍ୟ ଦେଖିଥିଲେ ଦମ୍ପତି । କିନ୍ତୁ ସପିଂ ମଲର ସୁରକ୍ଷା ଅଧିକାରୀ ଦମ୍ପତିଙ୍କୁ କୌଣସି ସହାୟତା ନକରିବା ପରେ ଏନେଇ ସହିଦ ନଗର ଥାନାରେ ଏତଲା ଦେଇଛନ୍ତି ଦମ୍ପତି । କିନ୍ତୁ କଳାକନା ବୁଲାଇବା ପରେ ଘଟଣାସ୍ଥଳରୁ ଉଭାନ ହୋଇଯାଇଥିଲେ ୪ ଲୁଟେରା । ଯାହାଙ୍କୁ ଏବେ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି । ଏହି ଘଟଣା ପରେ ପୁଣିଥରେ ସପିଂ ମଲରେ ସୁରକ୍ଷାକୁ ନେଇ ପ୍ରଶ୍ନ ଛିଡା କରିଛି ।