ଶଙ୍କରାଚାର୍ଯ୍ୟଙ୍କ ସମ୍ପତି ଚୋରି ! ପୁରୀ ଗୋବର୍ଦ୍ଧନ ପୀଠ ବିମଳା ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟ୍, ମନ୍ଦିର ପଛପଟୁ ଭଙ୍ଗା ହୁଣ୍ଡି ଠାବ

59

କନକ ବ୍ୟୁରୋ : ପୁରୀ ଗୋବର୍ଦ୍ଧନ ପୀଠରେ ଥିବା ବିମଳା ମନ୍ଦିର ହୁଣ୍ଡିକୁ ଲୁଟି ନେଇଛନ୍ତି ଲୁଟେରା । ଶୁକ୍ରବାର ରାତି ଅଧରେ ମନ୍ଦିରର ତାଲା ଭାଙ୍ଗି ହୁଣ୍ଡିକୁ ତାଡି ନେଇଛନ୍ତି । ସକାଳୁ ମନ୍ଦିର ପୂଜକ ଏହା ଦେଖିବା ପରେ ସମୁଦ୍ରକୂଳ ଥାନାରେ ଅଭିଯୋଗ କରାଯାଇଥିଲା । ପୁରୀ ଏସପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ କରିଛନ୍ତି । ଏପରିକି ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ ହୋଇଛି । ତେବେ ସୁରକ୍ଷା କର୍ମୀ ନିୟୋଜିତ ଥିବା ଗୋବର୍ଦ୍ଧନ ପୀଠରୁ ଲୁଟ୍ ହେବା ସୃଷ୍ଟି କରିଛି ବଡ ପ୍ରଶ୍ନ ।

ଶୁକ୍ରବାର ରାତିରେ ଦୁର୍ବୃତ ଗୋବର୍ଧନ ପୀଠ ପରିସରରେ ପଶିବା ସହ ବିମଳା ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗିଦେଇଛନ୍ତି । ଏହା ସହ ଭିତରେ ଥିବା ହୁଣ୍ଡିକୁ ଭାଙ୍ଗି ଲୁଟି ନେଇଛନ୍ତି । ସକାଳୁ ମନ୍ଦିର ପୂଜକ ଦେଖିଲା ପରେ ଲୁଟ୍ ହୋଇଥିବା ଜଣାପଡିଥିଲା । ମନ୍ଦିର ପଛପଟୁ ଭଙ୍ଗା ହୁଣ୍ଡିକୁ ଠାବ କରାଯାଇଥିଲା । ଆସ୍ଥା ଓ ବିଶ୍ୱାସର କେନ୍ଦ୍ର କୁହାଯାଉଥିବା ଶଙ୍କରାଚାର୍ଯ୍ୟଙ୍କ ପୀଠରୁ ଚୋରୀ ହେବା ଘଟଣା ଚିନ୍ତା ବଢାଇ ଦେଇଛି ।

ସମୁଦ୍ରଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିଛି । ଅନ୍ୟ ପଟେ ସାଇଂଟିଫିକ୍ ଟିମ୍ ମଧ୍ୟ ଯାଂଚ କରିଛି । ପୋଲିସ ଏହି ଘଟଣାକୁ ଗୁରୁତ୍ୱ ଦେବା ସହ ପୁରୀ ଏସପି ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି । ଗୋବର୍ଦ୍ଧନ ପୀଠରେ ଲାଗିଥିବା ସିସିଟିଭିର ଫୁଟେଜକୁ ମଧ୍ୟ ଯାଂଚ କରାଯାଇଛି । ଲୁଟେରା ମାନେ ବାଡ ଡେଇଁ ମନ୍ଦିର ଭିତରେ ପଶିଥିବା ଜଣାପଡିଛି । ଗୋବର୍ଦ୍ଧନ ପୀଠରେ ସୁରକ୍ଷା କର୍ମୀ ନିୟୋଜିତ ଥିବା ବେଳେ କେମିତି ମନ୍ଦିର ପରିସରରୁ ଚୋରି ହେଲା ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି ।