ସ୍ମାର୍ଟ ଚୋର । ଫିଲ୍ମ ଷ୍ଟାଇଲରେ ୧୦ ଟଙ୍କା ପକାଇ ଲ୍ୟାପଟପ ଲୁଟି ନେଲେ ଦୁବୃର୍ତ, କ୍ୟାମେରାରେ କଏଦ ହେଲା ଚୋରିର ଚିତ୍ର

34

କନକ ବ୍ୟୁରୋ : ଆଖି ପିଛୁଳାକେ ଲୁଟ ହୋଇଯାଉଛି ଲ୍ୟାପଟପ । କିଛି ଚୋର ଆସୁଛନ୍ତି ଆଉ ନିଆରା ତରିକାରେ ଲୁଟି ନେଉଛନ୍ତି । କେହି କିଛି ଭାବିବା ପୂର୍ବରୁ ଲୁଟ ହେଉଛି । ଲୁଟର ଏ ପୁରା ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଘଟଣା ଘଟିଛି ପୁରୀ ବଡଦାଣ୍ଡରେ । କେମିତି ହେଉଛି ଲୁଟ, କେଉଁ ତରିକା ଆପଣାଇଛନ୍ତି ଲୁଟେରା ଏବଂ କେତେ ଚାଲାକିର ସହ କରୁଛନ୍ତି ଲୁଟ ତାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ ।

ଲୁଟ କରିବାର ନୂଆ ଟ୍ରେଣ୍ଡ । ପୁରୁଣା ତରିକା, ନୂଆ ଶିକାର ।ଲୁଟର ଏହି ପୁରା କାହାଣୀରେ ସାମିଲ ଅଛନ୍ତି ୪ରୁ୫ଜଣ ଯୁବକ । ପୂରା ଚାଲାକିର ସହ ହୋଇଛି ଏହି କାରନାମା । କାର ଭିତରେ ଜଣେ ବ୍ୟକ୍ତି ବସିଛନ୍ତି । ପ୍ରଥମେ ଲୁଟେରା ଜଣଙ୍କ ଆସି ପ୍ଲାନ ମୁତାବକ କାର ନିକଟରେ ଟଙ୍କା ପକାଉଛନ୍ତି । କାର ଭିତରେ ବସିଥିବା ବ୍ୟକ୍ତିଙ୍କୁ ଟଙ୍କା ପଡିଥିବା କଥା କହୁଛନ୍ତି । ବ୍ୟକ୍ତି ଜଣଙ୍କ କାରରୁ ଓହ୍ଲାଇ ଆସି ଟଙ୍କା ଗୋଟାଉଥିବା ବେଳେ ଏହି ଗ୍ୟାଙ୍ଗର ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ଆଉ ଜଣେ ସାହାର୍ଯ୍ୟ କରିବା ଆଳରେ ତାଙ୍କ ପାଖରେ ପହଞ୍ଚୁଛନ୍ତି । ଠିକ ସେହି ସମୟରେ ତୃତୀୟ ବ୍ୟକ୍ତି ଜଣଙ୍କ କାର ଭିତରେ ଥିବା ଲ୍ୟାପଟପ ବ୍ୟାଗକୁ ସେଠାରୁ ଲୁଟ କରୁଛନ୍ତି । ଅତି ଚତୁରତାସହ ପ୍ଲାନ ସଫଳ ହେବାପରେ ସମସ୍ତେ ସେଠାରୁ ହୋଇଯାଉଛନ୍ତି ଉଭାନ ।

କିଛି ଦିନ ତଳେ ସମାନ ତରିକାରେ ୧୦ ଟଙ୍କା ପକାଇ ଜଣେ ଶିଳ୍ପପତିଙ୍କୁ ଚୁନ ଲଗାଇଥିଲେ ଲୁଟେରା । ପୁଣି ଏବେ ସେହି ଉପାୟରେ ନୂଆ ଶିକାର କରିଛନ୍ତି ଲୁଟେରା । ଶ୍ରୀମନ୍ଦିର ଠାରୁ ଅଳ୍ପ କିଛି ଦୂରରେ ପୁରୀ ବଡଦାଣ୍ଡରେ ଘଟିଲା ଏହି ଅଭାବନୀୟ ଘଟଣା । ଘଟଣା ଘଟିବା ସ୍ଥାନରେ ଲାଗିଥିବା ସିସିଟିଭିରେ କଏଦ ହେଲା ପୁରା ଦୃଶ୍ୟ । ଆଉ ଏହାକୁ ଆଧାର କରି ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ଜାଲ ବିଛାଇଛି । ପୋଲିସର କହିବା ହେଲା ଏପରି ଘଟଣା କିଛି ନୁଆ ନୁହେଁ । ଏହି ଘଟଣାକୁ ବେଶ ଗୁରୁତର ସହ ନିଆଯାଇଛି ।ପୂର୍ବରୁ ଘଟିଥିବା ଲୁଟ ଘଟଣାରେ ପ୍ରମାଣ ନଥିବା ବେଳେ ଏହି ଘଟଣାରେ ପ୍ରମାଣ ରହିଛି । ତେଣୁ ପୋଲିସ ଲୁଟେରାଙ୍କୁ ଚିହ୍ନଟ କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଲୁଟେରାମାନେ ଆଇନର ଜାଲ ଭିତରେ ଫଶିବା ଆଗରୁ ଆଉ କାହାକୁ ଶିକାର କରିବେନି ତ ।