ପଦାରେ ପଡ଼ିଲା ସେବାୟତଙ୍କ ଅସଲ ଚେହେରା! ଜଗନ୍ନାଥ ମନ୍ଦିରରେ କରୁଥିଲେ ପକେଟମାର, ରେଡ଼୍-ହ୍ୟାଣ୍ଡ ଧରିଲେ ଭକ୍ତ

77

କନକ ବ୍ୟୁରୋ : ପୁଣି ପଦାରେ ପଡିଲା ସେବାୟତଙ୍କ କଳାକାରନାମା । କେତେବେଳେ ପର୍ଯ୍ୟଟକଙ୍କୁ ସେବାୟତଙ୍କ ମାଡ ତ ଆଉ କେତେବେଳେ ଭକ୍ତଙ୍କୁ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରି ବିବାଦରେ ଛନ୍ଦି ହୋଇପଡିଥିବା ପୁରୀ ସେବାୟତଙ୍କ ନାଁରେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । ଗତକାଲି ରାତିରେ ଭକ୍ତଙ୍କ ଠାରୁ ଲୁଟ କରି ଧରାପଡିଛନ୍ତି ସେବାୟତ । ଏଭଳି କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରୀମନ୍ଦିର ସେବାୟତ ଶ୍ୟାମ ସୁନ୍ଦର ପ୍ରତିହାରୀ ।

ସୁଚନା ମୁତାବକ କଟକର ସ୍ୱପ୍ନଜୀତ ନାୟକ ନାଟମଣ୍ଡପ ନିକଟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ସେବାୟତ ଶ୍ୟାମ ସୁନ୍ଦର ତାଙ୍କ ପର୍ସଟି ଚୋରି କରିଥିଲେ । ସ୍ୱପ୍ନଜୀତ ଏହା ଜାଣିବା ପରେ ତାଙ୍କୁ ତତକ୍ଷଣାତ୍ ରେଡ ହ୍ୟାଣ୍ଡରେ ଧରିଥିଲେ । ପରେ ସିଂହଦ୍ୱାରା ଥାନାରେ ପକେଟ ମାର କରିଥିବା ସେବାୟତଙ୍କ ବିରୋଧରେ ଏତାଲା ଦେଇଥିଲେ ଭକ୍ତ ସ୍ୱପ୍ନଜୀତ । ସିଂହଦ୍ୱାର ଥାନା ପୋଲିସ ମନ୍ଦିରରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଶ୍ୟାମ ସୁନ୍ଦରଙ୍କୁ ପଚରା ଉଚୁରା କରୁଛି ପୋଲିସ ।

ଅନ୍ୟପଟେ ବାଲେଶ୍ୱରର ଜଣେ ଯାତ୍ରୀ ବାହାର କାଠ ନିକଟରେ ଦର୍ଶନ କରୁଥିବା ସମୟରେ ପକେଟମାରର ଶିକାର ହୋଇଛନ୍ତି । ଅଭିଯୋଗ ଅନୁସାରେ ପୁରୀ ହାଡଗୋମାଡିଆ ସାହିର ନିରଞ୍ଜନ ପ୍ରଧାନକୁ ଗିରଫ କରିଛି ସିଂହଦ୍ୱାରା ପୋଲିସ । ଉଭୟ ଆରେପୀଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ କହିଛି । ଗୋଟିଏ ପଟେ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସେବାୟତଙ୍କ ଉପରେ ନଜର ରଖିବାକୁ ସିସିଟିଭି ଲଗାଯାଇଥିବା ବେଳେ ଏଭଳି ପକେଟମାର ଅଭିଯୋଗ ଶ୍ରୀମନ୍ଦିର ଭିତରକୁ ପୁଣିଥରେ ବିବାଦ ଘେରକୁ ଟାଣି ନେଇଛି ।