ମ୍ୟାଜିକ୍ ପେନରେ ଟଙ୍କା ଲୁଟ୍ । ଏଚଡିଏଫସି ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଯୁବକଙ୍କୁ ଚୂନ ଲଗାଇଲେ ଦୁର୍ବୃତ, ଆକାଉଂଟରୁ ଲୁଟିନେଲେ ୨୨,୫୦୦ ଟଙ୍କା, ସିସିଟିଭିରେ କଏଦ ହେଲା ଲୁଟର ପୁରା ଦୃଶ୍ୟ ।

534

କନକ ବ୍ୟୁରୋ : ଚେକରୁ ଦସ୍ତଖତ ଲିଭିଗଲା, ବ୍ୟାଙ୍କ ଆକାଉଂଟରୁ ଟଙ୍କା ଚାଲିଗଲା । ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କୁ ଚୂନ ଲଗାଇ ଦେଇଛି ଲୁଟେରା । ଲୁଟେରା ଜଣଙ୍କ ଏଚଡିଏଫସି ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇ, ବ୍ୟବସାୟୀଙ୍କୁ ହୋଲି ଅଫରରେ ଲୋନର ଲୋଭ ଦେଖାଇଥିଲା । ଟଙ୍କାର ଆବଶ୍ୟକତା ଥିବାରୁ ଲୁଟେରାର ଚାଲକୁ ନବୁଝି ଲୋନ୍ ନେବାକୁ ରାଜି ହୋଇଯାଇଥିଲେ ବ୍ୟବସାୟୀ ଜଣଙ୍କ । ଯାହାର ସୁଯୋଗ ନେଇ ମ୍ୟାଜିକ୍ ପେନ୍ ବ୍ୟବହାର କରି ବ୍ୟବସାୟୀଙ୍କ ଆକାଉଂଟରୁ ହଜାର ହଜାର ଟଙ୍କା ଲୁଟି ନେଇଛି ଲୁଟେରା ।

ଲୁଟି ନେଇଗଲା ମ୍ୟାଜିକ୍ ପେନ୍ । ବ୍ୟାଙ୍କରୁ ଗାଏବ ୨୨ ହଜାର ଟଙ୍କା । ଏହି ଭିଡିଓକୁ ଦେଖନ୍ତୁ । କିଭଳି ଜଣେ ବ୍ୟକ୍ତି ଆସି ନୀଳ ପୋଷାକ ପିନ୍ଧିଥିବା ଯୁବକଙ୍କ ସହ ଆଲୋଚନା କରୁଛନ୍ତି ଏବଂ ବିଭିନ୍ନ କାଗଜପତ୍ର ଯାଂଚ କରୁଛନ୍ତି । କେବଳ ସେତିକି ନୁହେଁ ଦେଖନ୍ତୁ କିଭଳି ଗୋଟିଏ ପରେ ଗୋଟିଏ ଚେକ୍ରେ ଲେଖିବା ପରେ ଯୁବକ ଜଣଙ୍କୁ ଦସ୍ତଖତ କରିବାକୁ ଦେଉଛନ୍ତି । ଏପରିକି ଫଟୋ ଉଠାଇ ଚେକ୍ ନେଇ ଫେରିଯାଉଛନ୍ତି । ଏହା ପରେ ଯାହା ଘଟିଛି ତାହା ଯୁବକଙ୍କ ମୁଣ୍ଡ ଘୁରାଇ ଦେଇଛି ।

ଭୁବନେଶ୍ୱର ବାପୁଜୀ ନଗର ଅଂଚଳରେ ଥିବା କ୍ୟାପିଟାଲ ଫ୍ୟାନ୍ସି ଲାଇଟ୍ ଦୋକାନରେ କାମ କରନ୍ତି ସୋମନାଥ ସାହୁ । ଦୁଇ ଦିନ ତଳେ ଏଚଡିଏଫସି ବ୍ୟାଙ୍କର ପର୍ସନାଲ ଲୋନ୍ ଅଫର ଚାଲିଥିବା କହିବା ସହ ଏକ ଫୋନ କଲ୍ ଆସିଥିଲା । ହୋଲି ଅଫରରେ ଏହି ଲୋନ୍ ଦେଉଥିବା କହିଥିଲେ ଫୋନ କରିଥିବା ବିକାଶ ସିଂ ।

କିଛି ଟଙ୍କାର ଆବଶ୍ୟକତା ଥିବାରୁ ଲୋନ୍ ନେବାକୁ ରାଜି ହୋଇଥିଲେ ସୋମନାଥ ଏବଂ ଏଚଡିଏଫସି ବ୍ୟାଙ୍କର କର୍ମଚାରୀ ପରିଚୟ ନେଇ ତାଙ୍କୁ ଭେଟିବାକୁ ଆସିଥିଲେ ସୟଦ ଅଲ୍ଲି ନାମକ ଯୁବକ । ସମସ୍ତ କାଗଜପତ୍ର ଓ କ୍ୟାନସଲ ଚେକ୍ ଏବଂ ପ୍ରୋସେସିଂ ଫି ବାବଦରେ ୧୦୦ ଟଙ୍କା ଲେଖା ଥିବା ଚେକ୍ ନେଇ ଯାଇଥିଲେ ଏହି ବ୍ୟକ୍ତି ଜଣକ । କିନ୍ତୁ ଏହା ପରେ ପରେ ଏଟିଏମରୁ ଟଙ୍କା ଉଠାଣ ନହେବାରୁ ବ୍ୟାଙ୍କରୁ ବୁଝିବାରୁ ତାଙ୍କ ଖାତାରୁ ୨୨ ହଜାର ୫ଶହ ଟଙ୍କା ଗାୟବ ହୋଇଥିବା ଜାଣି ପାରିଥିଲେ ସୋମନାଥ ।

ଦେଖନ୍ତୁ ବ୍ୟାଙ୍କରେ ଜମା ହୋଇଥିବା ଚେକର ନକଲ ଉପରେ । ସୋମନାଥଙ୍କ ଦସ୍ତଖତ ଅଛି, କିନ୍ତୁ ରଜତ କୁମାର ଶର୍ମାଙ୍କ ନାଁରେ ୨୨ ହଜାର ୫ଶହ ଟଙ୍କା ଦିଆଯାଇଥିବା ଉଲ୍ଲେଖ ରହିଛି । ଅନ୍ୟ ଏକ ଚେକକୁ ବ୍ୟାଙ୍କ ଅଟକାଇ ରଖିଥିବା ସୂଚନା ମିଳିଛି । ଏହି କାମ ପାଇଁ ମ୍ୟାଜିକ୍ ପେନ୍ ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ସୋମନାଥ ।

ମ୍ୟାଜିକ୍ ପେନରେ ଥିବା ରସାୟନ ଯୁକ୍ତ କାଳି ଆପଣଙ୍କୁ ସାଧାରଣ କାଳି ଭଳି ଦେଖାଯିବ, କିନ୍ତୁ ପରେ ଏହା ଲିଭିଯାଇଥାଏ । ଟିକିଏ ଅସତର୍କତା ଯୋଗୁଁ ହଜାର ହଜାର ଟଙ୍କାର ଠକେଇର ଶିକାର ହୋଇଛନ୍ତି ସୋମନାଥ ।