୨୧ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଲା, ୫୯୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା ଦେଶର ସବୁଠୁ ଲମ୍ବା ଦୁଇ ଥାକିଆ ବ୍ରିଜ । ମୋଦି କରିବେ ଉଦଘାଟନ

1,064

ଆସାମ ଓ ଅରୁଣାଚଳପ୍ରଦେଶର ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବ । କାରଣ ବହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇ ସାରିଛି ଦେଶର ସବୁଠୁ ଲମ୍ବା ଦୁଇ ଥାକିଆ ପୋଲ । କେବଳ ଉଦଘାଟନ ପାଇଁ ଅପେକ୍ଷା । ଏହି ପୋଲ ଦ୍ୱାରା ଦୁଇ ରାଜ୍ୟ ମଧ୍ୟରେ ଗମନାଗମନ ଆହୁରି ସହଜ ହୋଇଯିବ । ଏହାଛଡା ଉତ୍ତର ପୂର୍ବ ସୀମା ଅଞ୍ଚଳରେ ଥିବା ଭାରତୀୟ ଯବାନଙ୍କ ପାଇଁ ମଧ୍ୟ ଏହି ବ୍ରିଜ ବେଶ ସହାୟକ ହେବ । ଖ୍ରୀଷ୍ଟମାସ ଅବସରରେ ଏହାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସପର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ବ୍ରିଜ ଏଥିପାଇଁ ଦୁଇ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ବ୍ରହ୍ମପୁତ୍ର ନଦୀକୁ ଯୋଡିଥାଏ । ଏହି ବ୍ରିଜ ନିର୍ମାଣ କରିବା ମଧ୍ୟ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା । କାରଣ ଏଠାରେ ଅଧିକାଂଶ ସମୟ ବର୍ଷା ଓ ଭୂମିକମ୍ପ ଦେଖିବାକୁ ମିଳିଥାଏ । ତେଣୁ ଏଭଳି ପରିସ୍ଥିତିରେ ଏହି ବ୍ରିଜ ନିର୍ମାଣ କରିବା ଏତେ ସହଜ ନଥିଲା । ଏହି ଦୁଇ ଥାକିଆ ପୋଲକୁ ଭାରତୀୟ ରେଳବିଭାଗ ନିର୍ମାଣ କରିଛି ।

ଏହି ଦୁଇ ଥାକିଆ ବ୍ରିଜର ତଳ ପାଶ୍ୱର୍ରେ ଦୁଇଟି ରେଳଲାଇନ ଥିବା ବେଳେ ଉପର ପାଶ୍ୱର୍ରେ ୩ ଲେନ୍ ବିଶିଷ୍ଟ ରାସ୍ତା ରହିଛି । ଏହି ବ୍ରିଜ ଉତ୍ତରରେ ଧେମାଜୀ ଓ ଦକ୍ଷିଣରେ ଡିବ୍ରୁଗଡକୁ ଯୋଡିବ । ବ୍ରିଜ ହେବା ପୂର୍ବରୁ ଧେମାଜୀରୁ ଡିବ୍ରୁଗଡକୁ ଯିବାକୁ ପାଖାପାଖି ୫୦୦ କିଲୋମିଟର ସହ ୩୪ ଘଣ୍ଟାର ଯାତ୍ରା କରିବାକୁ ପଡୁଥିଲା । କିନ୍ତୁ ଏହି ବ୍ରିଜ ପରେ ଏହାର ଦୂରତା ୧୦୦ କିଲୋମିଟରକୁ ହ୍ରାସ ପାଇବ ଓ ମାତ୍ର ୩ ଘଣ୍ଟାରେ ଧେମାଜୀରୁ ଡିବ୍ରୁଗଡରେ ପହଞ୍ଚି ହେବ ।

୫୯୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜରେ ସେନାବାହିନୀର ଟ୍ୟାଙ୍କର ମଧ୍ୟ ଯାତାୟତ କରିପାରିବ । ୪.୯୪ କିଲୋମିଟର ଲମ୍ବ ଏହି ବ୍ରିଜର ନିର୍ମାଣ ପାଇଁ ୧୯୯୭ରେ ଶିଳାନ୍ୟାସ ହୋଇଥିଲା । ଆଉ ଦୀର୍ଘ ୨୧ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ଏହି ଲମ୍ବା ବ୍ରଜିର କାମ ଶେଷ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମେଡିକାଲ କାମରେ ଏହି ବ୍ରିଜ ବେଶ ସହାୟକ ହେବ । କାରଣ ପୂର୍ବରୁ ମେଡିକାଲ କାମରେ ଡିବ୍ରୁଗଡ ଯିବାକୁ ହେଲେ ଜାହାଜ ଉପରେ ନିର୍ଭର କରିବାକୁ ପଡୁଥିଲା । କିନ୍ତୁ ଏବେ ସେମିତି ସ୍ଥିତି ଉପୁଜିବ ନାହିଁ । ୨୦୧୪ରେ ବିଜେପି ସରକାରକୁ ଆସିଲେ ଏହି ବ୍ରିଜକୁ ଖୁବଶୀଘ୍ର ନିର୍ମାଣ କରିବ ବୋଲି ପ୍ରତିଶୃତି ଦେଇଥିଲା । ଯାହା ଏବେ ପୂରଣ ହେବାକୁ ଯାଉଛି ।