ଆଜିଠୁ ଲଣ୍ଡନରେ ବିଶ୍ୱ ଆଥେଲେଟିକ୍ ଚାମ୍ପିଅନସିପ୍ ! ଓଡିଆ ଖେଳାଳି ଅଛନ୍ତି ଦୂତୀ ଚାନ୍ଦ ଓ ଜଉନା ମୁର୍ମୁ ନେବେ ଭାଗ 

41

କନକ ବ୍ୟୁରୋ : ଆଜିଠାରୁ ଲଣ୍ଡନରେ ଆରମ୍ଭ ହେବ ବିଶ୍ୱ ଦୌଡକୁଦ ଚାମ୍ପିଅନସିପ୍ । ଏହା ୧୦ ଦିନ ଧରି ଚାଲିବ ଏବଂ ଆସନ୍ତା ୧୩ ତାରିଖରେ ସରିବ । ଏହି ଚାମ୍ପିଅନସିପରେ ୨୦୫ଟି ଦେଶର ପ୍ରାୟ ୨ ହଜାରରୁ ଅଧିକ ଖେଳାଳି ଭାଗ ନେଉଛନ୍ତି । ମୋଟ ୪୮ଟି ସ୍ୱର୍ଣ୍ଣ ପଦକ ପାଇଁ ଟ୍ରାକକୁ ଓହ୍ଲାଇବେ ଖେଳାଳି । ପ୍ରଥମ ଥର ପାଇଁ ମହିଳାଙ୍କ ୫୦ କିଲୋମିଟର ଚାଲିକୁ ଏଥିରେ ସାମିଲ କରାଯାଇଛି । ଏହି ଚାମ୍ପିଅନସିପ୍ ସହ ଶେଷ ହେବ ବିଶ୍ୱ ବିଜୟୀ ଧାବକ ଉସେନ ବୋଲ୍ଟଙ୍କ ଯୁଗ । ଏହି ଚାମ୍ପିଅନସିପ୍ ପରେ ସେ ବିଶ୍ୱ ଦୌଡକୁଦ ଜଗତରୁ ସନ୍ୟାସ ନେବେ ବୋଲି ଘୋଷଣା କରି ସାରିଛନ୍ତି ।

ବିଶ୍ୱ ଦୌଡକୁଦ ଚାମ୍ପିଅନସିପରେ ଭାରତର ଏକ ୨୫ ଜଣିଆ ଦଳ ଭାଗ ନେଇଛି । ତେବେ ଏଠାରେ ପଦକ ଜିତିବା ଆଶା କ୍ଷୀଣ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଜାଭଲିନ ଥ୍ରୋୟର ନୀରଜ ଚୋପ୍ରା ଉପରେ ସମସ୍ତଙ୍କ ନଜର ରହିବ । ଏଥର ଭାରତୀୟ ଦଳରେ ଦୁଇ ଜଣ ଓଡିଆ ଖେଳାଳି ଅଛନ୍ତି ଦୂତୀ ଚାନ୍ଦ ଓ ଜଉନା ମୁର୍ମୁ । ସେମାନେ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନସିପରେ ଭାଗ ନେବାର ସୁଯୋଗ ପାଇଛନ୍ତି । ଏହା ସହ ଏସିୟ ଦୌଡକୁଦର ସଫଳ ଆୟୋଜନ ପରେ ଓଡିଶାର କ୍ରୀଡା ସଚିବ ବିଶାଳ ଦେବ ଏହି ଟୁରରେ ଭାରତୀୟ ଦଳର ମୁଖ୍ୟ ଭାବେ ଯୋଗ ଦେଇଛନ୍ତି ।