ବିଜୟ ମାଲ୍ୟାଙ୍କୁ ଭାରତ ଆଣିବାକୁ ଆଉ ପାଦେ ବଢିଲା ଭାରତ! ସିବିଆଇ ଦେଇଥିବା ତଥ୍ୟକୁ ଗ୍ରହଣ କଲେ ଲଣ୍ଡନ କୋର୍ଟ

29

କନକ ବ୍ୟୁରୋ : ବିଜୟ ମାଲ୍ୟାଙ୍କୁ ଭାରତ ଆଣିବାକୁ ଆଉ ପାଦେ ବଢିଲା ଭାରତ । ସିବିଆଇ ଦେଇଥିବା ତଥ୍ୟକୁ ଗ୍ରହଣ କରିଛନ୍ତି ଲଣ୍ଡନ କୋର୍ଟ । ଭାରତର ବିଭିନ୍ନ ବ୍ୟାଙ୍କର ପ୍ରାୟ ୯ହଜାର କୋଟି ଟଙ୍କା ଋଣ ପରିଶୋଧ ନକରି ବିଦେଶ ପଳାଇଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ସିବିଆଇ ଦାଖଲ କରିଥିବା ତଥ୍ୟ ପ୍ରମାଣକୁ ଗ୍ରହଣ କରିଛନ୍ତି ବ୍ରିଟେନ ଅଦାଲତ । ୧୧ଜୁଲାଇରେ ଏହି ମାମଲାର ନିର୍ଣ୍ଣାୟକ ରାୟ ଶୁଣାଇବେ କୋର୍ଟ । ଏହି ସମୟ ମଧ୍ୟରେ ମାଲ୍ୟାଙ୍କ ବୟାନ ରେକର୍ଡ କରାଯିବ । ସିବିଆଇ ଦାଖଲ କରିଥିବା ପ୍ରମାଣକୁ ତର୍ଜମା କରି କୋର୍ଟ ତାଙ୍କ ରାୟ ଶୁଣାଇବେ ।

ମାଲ୍ୟା ଏବେ ଲଣ୍ଡନରେ ଜାମିନରେ ଅଛନ୍ତି । ସ୍କଟଲ୍ୟାଣ୍ଡ ପୋଲିସ୍ ଗତବର୍ଷ ଏପ୍ରିଲ ମାସରେ ଅର୍ଥ ହେରଫେର ମାମଲାରେ ତାଙ୍କ ବିରୋଧରେ ୱାରେଂଟ ଜାରି କରିବା ପରେ ୱେଷ୍ଟମିନିଷ୍ଟର ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ତେବେ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତର ଆବେଦନକୁ ବ୍ରିଟେନ ଅଦାଲତ ପ୍ରତ୍ୟାଖାନ କରିଥିଲେ । ଏହି ମାମଲାରେ ଭାରତୀୟ ବ୍ୟାଙ୍କକୁ ସମପରିମାଣରେ ଦାୟୀ ବୋଲି କହିଥିଲେ ଅଦାଲତ ।ମାର୍ଚ୍ଚ ୧୬ ଶୁଣାଣିରେ ବିଚାରପତି କହିଥିଲେ ଯେ ମାଲ୍ୟାଙ୍କ ମାଲିକାନାରେ ଥିବା କିଙ୍ଗଫିସର ଏୟାରଲାଇନସକୁ ଋଣ ପ୍ରଦାନ କରିବା ବେଳେ ଅନେକ ନୀତି ନିୟମକୁ ଅଣଦେଖା କରାଯାଇଥିଲା।