ଅଡୁଆରେ ଆଇଏଏସ୍ ଅଫିସର ! ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ନେଇ ଏସଆରସି ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

ବିଷ୍ଣୁପଦ ସେଠୀ ରାଜ୍ୟ ସମବାୟ ବ୍ୟାଙ୍କର କର୍ମଚାରୀ ନଥିବା ବେଳେ ଭାରତୀୟ ପ୍ରଶାସନିକ ସେବାରେ ରହି କିଭଳି ବ୍ୟାଙ୍କରୁ ତିନି ବର୍ଷରେ ପ୍ରାୟ ୪ ଲକ୍ଷ ୨୮ ହଜାର ଟଙ୍କାର ବୋନସ ନେଲେ ଓ ତାହା ତାଙ୍କଠାରୁ ଆଦାୟ କରିବାକୁ ନିବେଦନ କରିଛନ୍ତି ।

295

କନକ ବ୍ୟୁରୋ: ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ଆଇଏଏସ୍ ଅଫିସର ବିଷ୍ଣୁ ସେଠୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍ । ବିଷ୍ଣୁ ସେଠୀ ୨୦୧୩ରୁ ୧୬ ମସିହା ଭିତରେ ରାଜ୍ୟ ସମବାୟ ବ୍ୟାଙ୍କର ମ୍ୟାନେଜମେଂଟ୍ ଇନ୍ଚାର୍ଜ ଥିବା ବେଳେ ପ୍ରାୟ ୪ ଲକ୍ଷ ୨୮ ହଜାର ଟଙ୍କା ବେଆଇନ ଭାବେ ଗ୍ରହଣ କରିଥିବା ଅଭିଯୋଗ ଆସିଛି । ନାବାର୍ଡ ଇନ୍ସପେକ୍ସନ ରିପୋର୍ଟ ମଧ୍ୟ ଏହାକୁ ଧରିଛି । ଏ ନେଇ ନବଗଠିତ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ଆସିବା ପରେ ବର୍ତମାନର ଏସ୍ଆରସି ବିଷ୍ଣୁପଦ ସେଠୀଙ୍କୁ ଅଗଷ୍ଟ ୧୯ ତାରିଖରେ ଉତ୍ତର ଦେବାକୁ ନୋଟିସ୍ କରିଛନ୍ତିି ଲୋକାୟୁକ୍ତ ।

ବିଷ୍ଣୁପଦ ସେଠୀ । ୧୯୯୫ ବ୍ୟାଚ୍ର ଏହି ଆଇଏଏସ୍ ଅଫିସର ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରହିବା ପରେ ଏବେ ରାଜ୍ୟ ରିଲିଫ୍ କମିଶନର ଓ କମର୍ସିଆଲ ଟ୍ୟାକ୍ସ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ବିଷ୍ଣୁପଦ ସେଠୀଙ୍କ ନାଁରେ ଆସିଛି ଦୁର୍ନୀତି ଓ ଅନିୟମିତତାର ଗୁରୁତର ଅଭିଯୋଗ । ଏ ନେଇ ସୂଚନା ଅଧିକାର କର୍ମୀମାନେ ଲୋକାୟୁକ୍ତଙ୍କ ନିକଟରେ କେତେକ ଅଭିଯୋଗ ଆଣିଛନ୍ତି । (ନୋଟିସ୍) ଆଉ ଏହାପରେ ଲୋକାୟୁକ୍ତ ବିଷ୍ଣୁପଦଙ୍କୁ ଅଗଷ୍ଟ ୧୯ ତାରିଖରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ ତାଙ୍କ ପିଟିସନରେ ନାବାର୍ଡ ଇନ୍ସପେକ୍ସନ ରିପୋର୍ଟକୁ ଉଦ୍ଧାର କରିଛନ୍ତି । ବିଷ୍ଣୁପଦ ସେଠୀ ରାଜ୍ୟ ସମବାୟ ବ୍ୟାଙ୍କର କର୍ମଚାରୀ ନଥିବା ବେଳେ ଭାରତୀୟ ପ୍ରଶାସନିକ ସେବାରେ ରହି କିଭଳି ବ୍ୟାଙ୍କରୁ ତିନି ବର୍ଷରେ ପ୍ରାୟ ୪ ଲକ୍ଷ ୨୮ ହଜାର ଟଙ୍କାର ବୋନସ ନେଲେ ଓ ତାହା ତାଙ୍କଠାରୁ ଆଦାୟ କରିବାକୁ ନିବେଦନ କରିଛନ୍ତି । ସେହଭଳି ଶ୍ରୀ ସେଠୀ ତିନି ବର୍ଷରେ ସ୍ତ୍ରୀ ଓ ବାପାଙ୍କ ଚିକିତ୍ସା ପାଇଁ ମେଡିକାଲ ବିଲ୍ ବାବଦରେ ୯ ଲକ୍ଷ ୪୬ ହଜାର ୭୧ ଟଙ୍କା ନେଇପାରିଲେ ତାହା ପ୍ରଶ୍ନ କରିଛନ୍ତି ।

ବିଷ୍ଣୁପଦ ସେଠୀ ଦୁଇ ଥର ଏବାବଦରେ ସରକାରଙ୍କଠାରୁ ଅନୁମତି ନେଇଥିବା ବେଳେ ଥରେ କୌଣସିି ଅନୁମତି ନେଇନଥିବା ଦେଖାଯାଇଛି । ସମବାୟ ବ୍ୟାଙ୍କରେ ବିଭିନ୍ନ ସମୟରେ ପ୍ରାୟ ୬୦୦ କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ହୋଇଥିବା ଦର୍ଶାଇ ସୂଚନା ଅଧିକାର କର୍ମୀମାନେ ଲୋକାୟୁକ୍ତଙ୍କ ନିକଟରେ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି । ତେବେ ଏହି ପ୍ରଥମ ମାମଲାରେ ବିଷ୍ଣୁପଦଙ୍କ କ୍ଷେତ୍ରରେ ଲୋକାୟୁକ୍ତ କିଭଳି ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।