ବିଧାନସଭାରେ ଲୋକାୟୁକ୍ତ ତାତି ! ୩ ଦିନ ହେଲା ଗୃହକୁ ଚଳାଇ ଦେଉନାହନ୍ତି ବିରୋଧୀ, ଗୁରବାର ସରକାର ରଖିପାରନ୍ତି ବିବୃତି

48

କନକ ବ୍ୟୁରୋ : ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଲଗାତର ୩ ଦିନ ହେଲା ଅଚଳ ହୋଇପଡିଛି ବିଧାନସଭା । ସରକାର ବହୁ ଦୁର୍ନୀତିରେ ସଂପୃକ୍ତ ଥିବାରୁ ଲୋକାୟୁକ୍ତ ନିଯୁକ୍ତ କରୁନାହାଁନ୍ତି ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ । ଗତକାଲି ବାଚସ୍ପତିଙ୍କ ପୋଡିୟମ ତଳେ ବସି ବିରୋଧୀ ହୋହାଲ୍ଲା କରିଥିବା ବେଳେ ଆଜି ବ୍ୟାନର ଓ ପୋଷ୍ଟର ଧରି ହଙ୍ଗାମା କରିଛନ୍ତି । ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ କରିଛନ୍ତି । ଆସନ୍ତାକାଲି ସରକାର, ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିବା ସମ୍ଭାବନା ରହିଛି ।

ବୁଧବାର ବିଧାନସଭା ଶାନ୍ତି ଶୃଙ୍ଗଳାରେ ଚାଲିବ ବୋଲି ଆଶା ରହିଥିଲା । କିନ୍ତୁ ବାଚସ୍ପତି ଆସିବା ମାତ୍ରେ ଆରମ୍ଭ ହୋଇଗଲା ବିରୋଧୀଙ୍କ ହୋହାଲ୍ଲା । ବ୍ୟାନର ଓ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ଆଗକୁ ମାଡି ଆସିଲେ କଂଗ୍ରେସ ଓ ବିଜେପି ସଦସ୍ୟ । ଉଭୟ ଦଳର ବିଧାୟକଙ୍କ ହାତରେ ଥିଲା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଲେଖାଯାଇଥିବା ବ୍ୟାନର । ଦର୍ଶାଯାଇଥିଲା ରାଜ୍ୟ ସରକାର ଚିଟଫଣ୍ଡ, ଖଣି ଓ ପାଣି ଦୁର୍ନୀତି କରିଥିବାରୁ ଲୋକାୟୁକ୍ତ ନିଯୁକ୍ତି କରୁନାହାଁନ୍ତି । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗରେ ଏକ ହୋଇଯାଇଛନ୍ତି ।

ଗତ ତିନି ଦିନ ଧରି ଏହି ପ୍ରସଙ୍ଗ ବିଧାନସଭାକୁ ଅଚଳ କରି ରଖିଛି । ଲୋକାୟୁକ୍ତ ବିଲର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରୁଛନ୍ତି ବିରୋଧୀ । ତିନି ଦିନ ଧରି ଗୃହ ଅଚଳ ହେବା ପରେ ସ୍ୱାଭାବିକ କରିବାକୁ ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ । ତେବେ ଗୁରୁବାର ଏହି ପ୍ରସଙ୍ଗରେ ବିବୃତି ରଖିପାରନ୍ତି ସରକାର ।