ଚୟନ ହେଲେ ଲୋକାୟୁକ୍ତ ଅଧ୍ୟକ୍ଷ ! ସର୍ବସମ୍ମତି କ୍ରମେ ଚୂଡ଼ାନ୍ତ ହେଲା ନାଁ , ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯିବ ।

182

କନକ ବ୍ୟୁରୋ: ଲୋକାୟୁକ୍ତ ଚୟନ କମିଟି ବୈଠକରେ ଅଧ୍ୟକ୍ଷଙ୍କ ନାଁ ଚୂଡ଼ାନ୍ତ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ବୈଠକରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ଯେ, ସର୍ବସମ୍ମତି କ୍ରମେ ନାଁ ଚୂଡ଼ାନ୍ତ ହୋଇଛି।

ବୈଠକରେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିବା ନାଁ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ରାଜ୍ୟପାଳ ଏହାକୁ ଅନୁମୋଦନ କଲା ପରେ ନାଁ ପ୍ରକାଶ କରାଯିବ। ଲୋକାୟୁକ୍ତ କମିଟି ସଦସ୍ୟମାନଙ୍କ ନାଁ ପରେ ଚୂଡ଼ାନ୍ତ କରାଯିବ ବୋଲି ପାଢ଼ୀ କହିଛନ୍ତି । ଏଥିପାଇଁ ଆଉ ଥରେ ପୁଣି ଏକ ବୈଠକ ବସିବ । ବୈଠକରେ ବିରୋଧୀ ଦଳର ନେତା, ହାଇକୋର୍ଟ ମୁଖ୍ୟ ବିଚାରପତି, ବିଧାନସଭା ବାଚସ୍ପତି ଓ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଉପସ୍ଥିତ ଥିଲେ।

ପୂର୍ବରୁ ୨୦୧୪ ଫେବୃୟାରୀ ୧୪ରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲୋକାୟୁକ୍ତ ବିଲ୍ ପାସ୍ କରିଥିଲା । ହେଲେ ଆଇନ୍ ପ୍ରଣୟନର ୫ ବର୍ଷ ପୂରିବାକୁ ବସିଥିଲେ ମଧ୍ୟ ଏଯାଏ ଲୋକାୟୁକ୍ତ ନିଯୁକ୍ତ ହୋଇ ନଥିବାରୁ ସୁପ୍ରିମକୋର୍ଟରେ ମାମଲା ଦାଏର ହୋଇଥିଲା । ତେବେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କୋର୍ଟରେ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ କରାଯିବ । ତା’ସହ ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟ ଆରମ୍ଭ କରିବେ। ଏ ନେଇ ଶୀଘ୍ର ପଦକ୍ଷେପ ନେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଲୋକାୟୁକ୍ତ ଚୟନ ପ୍ରକ୍ରିୟା ନିମନ୍ତେ ଆଜି ବୈଠକ ବସିଥିଲା। ଏବଂ ବୈଠକରେ ସର୍ବସମ୍ମତି କ୍ରମେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାଁ ଚୂଡ଼ାନ୍ତ ହୋଇଛି ।