ଯଦି ଆଜି ନିର୍ବାଚନ ହୁଏ ତେବେ କିଏ ଗଢିବ ସରକାର? ପଢନ୍ତୁ କଣ କହୁଛି ଜନମତ ସର୍ଭେ

ଏହି ସର୍ଭେରେ କଂଗ୍ରେସକୁ ୯୦, ଟିଏମ୍ସି ୩୨, ବିଜେଡି ୧୫, ଶିବସେନା ୧୦, ସମାଜବାଦୀ ପାର୍ଟି ୧୭, ବହୁଜନ ସମାଜ ପାର୍ଟି ୧୬, ଆରଜେଡି ୮, ଜେଡିୟୁ ୧୧ ଏବଂ ଅନ୍ୟମାନଙ୍କୁ ୧୧୯ ଆସନ ମିଳିବ

2,768

କନକ ବ୍ୟୁରୋ: ନିର୍ବାଚନୀ ବିଗୁଲ୍ ବାଜିବା ପରେ ଏବେ ବିଭିନ୍ନ ରାଜନୈତିକ ଦଳ ଘମାଘୋଟ ପ୍ରଚାର ଅଭିଯାନ ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଗତ ୩ ଦିନ ମଧ୍ୟରେ ୯ଟି ରାଲିରେ ଉଦବୋଧନ ଦେଇଛନ୍ତି। ନିର୍ବାଚନୀ ଉଷ୍ମତା ବଢ଼ିଚାଲିଥିବା ବେଳେ ଇଣ୍ଡିଆ ଟିଭି-ସିଏନଏକ୍ସ ପକ୍ଷରୁ ଏକ ତାଜା ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଦେଶରେ ଏବେ ନିର୍ବାଚନ ହେଲେ ମୋଟ ୫୪୩ ଲୋକସଭା ଆସନରୁ ବିଜେପି ୨୨୫ ଆସନରେ ବିଜୟୀ ହେବା ସମ୍ଭାବନା ରହିଛି। ଏହି ସର୍ଭେରେ କଂଗ୍ରେସକୁ ୯୦, ଟିଏମ୍ସି ୩୨, ବିଜେଡି ୧୫, ଶିବସେନା ୧୦, ସମାଜବାଦୀ ପାର୍ଟି ୧୭, ବହୁଜନ ସମାଜ ପାର୍ଟି ୧୬, ଆରଜେଡି ୮, ଜେଡିୟୁ ୧୧ ଏବଂ ଅନ୍ୟମାନଙ୍କୁ ୧୧୯ ଆସନ ମିଳିବ ବୋଲି କୁହାଯାଇଛି।

ଓଡ଼ିଶାରେ ୨୧ ଆସନରୁ ବିଜେଡି ୧୫ ଆସନ ଦଖଲ କରିବାକୁ ସକ୍ଷମ ହେବ ଏବଂ ବିଜେପି ୫ ଏବଂ କଂଗ୍ରେସ ଗୋଟିଏ ଆସନ ପାଇବ ବୋଲି ଏହି ସର୍ଭେରେ କୁହାଯାଇଛି। ସେହିଭଳି ଉତ୍ତରପ୍ରଦେଶରେ ବିଜେପି ୨୦୧୪ ତୁଳନାରେ ବଡ଼ ଧରଣର କ୍ଷତିର ସମ୍ମୁଖୀନ ହେବ। ରାଜ୍ୟର ୮୦ ଲୋକସଭା ଆସନରୁ ବିଜେପି ୪୧, କଂଗ୍ରେସ ୪ ଏବଂ ଏସପି-ବିଏସପି ମେଣ୍ଟ ୩୫ ଆସନ ପାଇବେ ବୋଲି ଅନୁମାନ କରାଯାଇଛି। ବିହାରର ୪୦ ଆସନରୁ ବିଜେପି ମେଣ୍ଟ ୨୮ ଆସନ ହାସଲ କରିବ ଏବଂ ଆରଜେଡି-କଂଗ୍ରେସ ମେଣ୍ଟକୁ ୧୧ ଆସନ ମିଳିବାର ସମ୍ଭାବନା ରହିଛି। ଛତିଶଗଡ଼ର ୧୧ ଆସନରୁ ବିଜେପିକୁ ୩ ଏବଂ କଂଗ୍ରେସକୁ ୮ ଆସନ ମିଳିବ ବୋଲି ଇଣ୍ଡିଆ ଟିଭି ଜନମତ ସର୍ଭେରେ କୁହାଯାଇଛି। ଆସାମର ୧୪ ଲୋକସଭା ଆସନରୁ ବିଜେପି ୮, କଂଗ୍ରେସ ୪ ଏବଂ ଏଆଇୟୁଡିଏଫ୍ ୨ଟି ଆସନ ପାଇବ ବୋଲି ଅନୁମାନ କରାଯାଇଛି। ସେହିଭଳି ପଶ୍ଚିମବଂଗରେ ଏବିପି -ନେଲ୍ସନ ସର୍ଭେ ଅନୁଯାୟୀ ଟିଏମସିକୁ ୩୧ ଆସନ ମିଳିବ। ୨୦୧୪ରେ ବିଜେପି ପଶ୍ଚିମବଂଗରେ ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଥର ୮ଟି ଆସନ ଅକ୍ତିଆର କରିବ ବୋଲି ଅନୁମାନ କରାଯାଇଛି। କଂଗ୍ରେସକୁ ୩ଟି ଆସନ ମିଳିବ ଏବଂ ବାମଦଳ ଖାତା ଖୋଲିପାରିବେ ନାହିଁ ବୋଲି ସର୍ଭେ ରିପୋର୍ଟରୁ ପ୍ରକାଶ।

ଟାଇମ୍ସ ନାଓ ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି ଯେ ତାମିଲନାଡ଼ୁର ୩୯ଟି ଆସନ ମଧ୍ୟରୁ କଂଗ୍ରେସ-ଡିଏମକେ ମେଣ୍ଟକୁ ୩୫ ଏବଂ ବିଜେପି-ଆନ୍ନାଡିଏମକେ ମେଣ୍ଟକୁ ୪ଟି ଆସନ ମିଳିବ। କର୍ଣ୍ଣାଟକର ୨୮ଟି ଆସନ ମଧ୍ୟରୁ କଂଗ୍ରେସ ଓ ବିଜେପି ମେଣ୍ଟକୁ ୧୪ଟି ଲେଖାଏଁ ଆସନ ମିଳିବ। କେରଳର ୨୦ ଆସନ ମଧ୍ୟରୁ କଂଗ୍ରେସ ମେଣ୍ଟକୁ ୧୬, ବାମ ସାମ୍ମୁଖ୍ୟକୁ ୩ ଏବଂ ଏନଡିଏକୁ ଗୋଟିଏ ଆସନ ମିଳିପାରେ ବୋଲି କୁହାଯାଉଛି।