ଲୋକସଭାରେ ଗୃହିତ ହେଲା ଖାଉଟି ସୁରକ୍ଷା ବିଲ୍-୨୦୧୮ ! ଏଣିକି ବିଭ୍ରାନ୍ତିକାରୀ ବିଜ୍ଞାପନ କରିପାରିବେନି ସେଲିବ୍ରିଟି, ଦେବାକୁ ପଡିପାରେ ମୋଟାର ଅଙ୍କର ଜରିମାନା

117

ଲୋକସଭାରେ ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ନେଇ ଚାଲିଥିବା ହଙ୍ଗାମା ଭିତରେ ଖାଉଟି ସୁରକ୍ଷା ବିଲ୍-୨୦୧୮ ଗୃହୀତ ହୋଇଛି। ଖାଉଟି ସୁରକ୍ଷା ବିଲ୍‌ ଉପରେ ଆଲୋଚନା ବେଳେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାସ ପାଶ୍ବାନ କହିଥିଲେ ଯେ ଏହି ବିଲ୍‌ ଖାଉଟିଙ୍କ ସୁରକ୍ଷା କ୍ଷେତ୍ରରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଏବଂ ଦେଶର ସଂଘୀୟ ଢାଞ୍ଚା ପ୍ରତି କୌଣସି କ୍ଷତି ପହଞ୍ଚାଇବ ନାହିଁ। ରାଜ୍ୟମାନଙ୍କର ଅଧିକାରକୁ ଏହି ବିଲ୍‌ରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି ଏବଂ କୌଣସି ହସ୍ତକ୍ଷେପ ହୋଇନାହିଁ। ଖାଉଟି ସୁରକ୍ଷା ଆଇନ ୧୯୯୬ରୁ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏବେ ସ୍ଥିତି‌ରେ ଯଥେଷ୍ଟ ପରିବର୍ତ୍ତନ ଆସିଥିବାରୁ ନୂଆ ବିଲ୍‌ ଆଣିବା ଜରୁରୀ ଥିଲା ବୋଲି ପାଶ୍ବାନ କହିଥିଲେ।

ନୂତନ ଖାଉଟି ସୁରକ୍ଷା ବିଲ୍‌ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଯଦି ରାଜ୍ୟ ଏବଂ ଜିଲ୍ଲା ଉପଭୋକ୍ତା ଫୋରମ୍‌ ଖାଉଟିଙ୍କ ସ୍ବାର୍ଥରେ କୌଣସି ରାୟ ଶୁଣାଇବେ, ତା’ହେଲେ ଅଭିଯୁକ୍ତ କମ୍ପାନି ରାଷ୍ଟ୍ରୀୟ ଖାଉଟି ଫୋରମ୍‌କୁ ଯାଇପାରିବେ ନାହିଁ। ପୂର୍ବରୁ ଉପଭୋକ୍ତାମାନଙ୍କୁ ସେମାନେ ଯେଉଁଠୁ ସାମଗ୍ରୀ କିଣିଥିଲେ, ସେଠାକୁ ଯାଇ ଅଭିଯୋଗ କରିବାକୁ ପଡୁଥିବା ବେଳେ ଏବେ ସେମାନେ ଘରେ ବସି ଅଭିଯୋଗ ଦାଖଲ କରିପାରିବେ। ବିଭ୍ରାନ୍ତିକାରୀ ବିଜ୍ଞାପନରେ ଆସୁଥିବା ସେଲିବ୍ରିଟିଙ୍କୁ ଜେଲ୍‌ ପଠାଇବା ପାଇଁ ମଧ୍ୟ ସୁପାରିସ ଆସିଥିଲା। କିନ୍ତୁ ଏହାକୁ କୋହଳ କରାଯାଇ ସେମାନଙ୍କୁ ଜରିମାନାରେ ଦଣ୍ଡିତ କରିବାକୁ ନୂଆ ବିଲ୍‌ରେ ବ୍ୟବସ୍ଥା ରହିଛି। ଏହି ବିଲ୍‌ରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ଗଠନ ପାଇଁ ପ୍ରାବଧାନ ରହିଛି। ଏ ବାବଦ‌ରେ ଗଠନ ହେବାକୁ ଥିବା କମିଶନ୍‌ରେ ଜିଲ୍ଲା ସ୍ତରରେ ଦୁଇଜଣ ସଦସ୍ୟ ଏବଂ ଜଣେ ସଭାପତି ରହିବେ। ରାଜ୍ୟ ସ୍ତରରେ ସଭାପତି ଏବଂ ୪ ଜଣ ସଦସ୍ୟ ରହିବେ ଏବଂ ଜାତୀୟ ସ୍ତରରେ ଜଣେ ସଭାପତି ଓ ୬ ଜଣ ସଦସ୍ୟ ରହିବେ।

ଅନ୍ୟ ପକ୍ଷରେ ମୁସ୍‌ଲିମ୍‌ ମହିଳା ସୁରକ୍ଷା ଏବଂ ବିବାହ ଅଧିକାର ବିଲ୍‌ (ତିନି ତଲାକ୍‌ ବିଲ୍‌) ଉପରେ ଆସନ୍ତା ୨୭ ତାରିଖ ଦିନ ଲୋକସଭାରେ ଆଲୋଚନା ହେବ ବୋଲି ସ୍ଥିର ହୋଇଛି। ଏହି ବିଲ୍‌ ବାବଦ ଆଲୋଚନା ବେଳେ କଂଗ୍ରେସ ଦଳ ଏଥିରେ ସାମିଲ ହେବ ବୋଲି ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ୍‌ ଖଡ଼ଗେ କହିଛନ୍ତି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲ୍ ବାବଦରେ ଗଠନମୂଳକ ଆଲୋଚନା କରିବାକୁ ସଦସ୍ୟମାନଙ୍କୁ ଆହ୍ବାନ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍‌ କହିଛନ୍ତି ଯେ ଡିସେମ୍ବର ୨୭ରେ ତିନି ତଲାକ୍‌ ବିଲ୍‌ ଆଲୋଚନା ପାଇଁ ଆବଶ୍ୟକ ସ୍ଥଳେ ଅନ୍ୟ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଅଣାଯିବ।