ଆଗୁଆ ନିର୍ବାଚନକୁ ଯିବ କି ଓଡିଶା! କେତେ ପ୍ରସ୍ତୁତ ରାଜନୈତିକ ଦଳ ଜାଣନ୍ତୁ

52

କନକ ବ୍ୟୁରୋ: ୨୦୧୮ରେ ହିଁ ହୋଇପାରେ ଲୋକସଭା ନିର୍ବାଚନ । ଡିସେମ୍ବରରେ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନ କରାଇବାକୁ ସରକାର ସଜବାଜ ହେଉଛନ୍ତି । ରାଜନୈତିକ ମହଲରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି ।

ଯଦି ଆଗୁଆ ନିର୍ବାଚନ ହୁଏ ତେବେ ଓଡିଶାରେ ଏହାର ପ୍ରତିଫଳନ କଣ ଦେଖିବାକୁ ମିଳିବ ତାକୁ ନେଇ ପ୍ରତିକ୍ରିିୟା ପ୍ରକାଶ ପାଇଛି । ଏମିତି ଏକ ଚିତ୍ର ୨୦୦୪ରେ ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ୨୦୧୯ ବଦଳରେ ୨୦୧୮ରେ ଆଗୁଆ ନିର୍ବାଚନ ନେଇ ପଦକ୍ଷେପ ନେଇ ପାରନ୍ତି ରାଜ୍ୟ ସରକାର । ଅନ୍ୟପଟେ ଓଡିଶା ରାଜନୈତିକ ମାନଚିତ୍ରରେ କିଛି ପରିବର୍ତ୍ତନ ହୋଇଛି । ଗତ ପଂଚାୟତ ନିର୍ବାଚନରେ ବିଜେପିର ନିଜର କାୟା ବୃଦ୍ଧି କରିଛି । ମୋଟାମୋଟି ଭାବେ ବାରମ୍ବାର ସଂଖ୍ୟା ଗରିଷ୍ଠତା ପାଇ ଆସୁଥିବା ବିଜେଡି ସାମ୍ନାରେ ଏକ ବୃହତ ବିରୋଧୀଦଳ ଭାବେ ଉଭା ହୋଇଛି । ତେଣୁ ରାଜ୍ୟରେ ୬ମାସ ପୂର୍ବରୁ ଆଗୁଆ ନିର୍ବାଚନ କରାଇ ରାଜନୈତିକ ଫାଇଦା ନେବାକୁ ବିଜେଡି ବି ପ୍ରସ୍ତୁତ ଥିବା କୁହାଯାଉଛି । ଯଦି ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଏକା ସମୟରେ ହୁଏ ତେବେ ବିଜେପିର କେନ୍ଦ୍ରୀୟ ନେତା ଓଡିଶାରେ କ୍ୟାମ୍ପ କରିପାରିବେ ନାହିଁ । ଗତ ପଂଚାୟତ ନିର୍ବାଚନ ସମୟରେ ମାଳମାଳ କେନ୍ଦ୍ରମନ୍ତ୍ରୀଙ୍କ ସହ ମୋଦି ଓ ଅମିତଙ୍କ ଗସ୍ତ ବିଜେଡି ପାଇଁ କ୍ଷତି ପହଂଚାଇଛି । ତେଣୁ ଏହାକୁ ପୁଣିଥରେ ଦୋହରାଇବାକୁ ଚାହଁବନି ଦଳ ।

ତେବେ ରାଜ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛି ଭାରତୀୟ ଜନତା ପାର୍ଟି । ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ଦେଶ କଂଗ୍ରେସ ମୁକ୍ତ ହୋଇଗଲାଣି । କେବଳ ଯାହା ପଂଜାବରେ ଅଛି । ଆମେ ଓଡିଶାରେ ନବୀନ ମୁକ୍ତ ଓଡିଶା ସ୍ଲୋଗାନ ଦେବା ସହ ଅମିତ ଶାହଙ୍କ ଟାର୍ଗେଟ ୧୨୦କୁ ସଫଳ କରିବା ପାଇଁ କାମ କରୁଛୁ । ସେହିଭଳି ବିଜୁ ଜନତା ଦଳ ସହ ମେଣ୍ଟ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି ।
ସେପଟେ ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ୨୦୧୮ରେ ବିଜେପି ଶାସିତ ରାଜସ୍ଥାନ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ସେଠାରେ ତାଙ୍କ ବିରୋଧରେ ହାୱା ବହିଲାଣି । ସେଥିପାଇଁ ବିଜେପି ଏକା ସାଂଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବାକୁ ଚାହୁଁଛି । ଯଦି ନିର୍ବାଚନ ଆୟାଗଙ୍କୁ ପ୍ରଭାବିତ କରି ନିର୍ବାଚନ ବି ହୁଏ ତେବେ ନବୀନ ବାବୁ ନିଷ୍ପତି ନେବେ ସେ ପାଂଚବର୍ଷ ଶାସନ ପୁରା କରିବେ ନା ଆଗୁଆ ନିର୍ବାଚନ ପାଇଁ ରାଜି ହେବେ । ବିଜେପି ଯେଉଁ ମୁକ୍ତ ସ୍ଲୋଗାନ ଦେଉ କିନ୍ତୁ ଓଡିଶାରେ ବିଜେଡି ସରକାର ଗଢ଼ିବ ଏବଂ ଆମେ ସର୍ବଦା ନିର୍ବାଚନ ପାଇଁ ପ୍ରସ୍ତୁତ । ଉଭୟ କଂଗ୍ରେସ ସ ବିଜେପି ଠାରୁ ଦଳ ସମଦୂରତା ବଜାୟ ରଖିବ ବୋଲି ସେ କହିଛନ୍ତି । ଆଉ ପଛରେ ପଡିନି କଂଗ୍ରେସ । ଓଡିଶା କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ ବି ଦଳ ପ୍ରସ୍ତୁତ ଥିବା କହିଛନ୍ତି ।

ବିଶ୍ୱର ସବୁଠୁ ବଡ ଗଣତାନ୍ତ୍ରିକ ପ୍ରଣାଳୀରେ ନିର୍ବାଚନ ହୁଏ ଭାରତରେ । ଦେଶସାରା ଅନେକ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଧାନସଭା ଓ ଲୋକସଭା ନିର୍ବାଚନ । କାରଣ ଏହି ନିର୍ବାଚନ ଦେଶର ଓ ରାଜ୍ୟର ସରକାର ଗଢ଼େ । ବର୍ତ୍ତମାନ ଦେଶର ରାଜନୈତିକ ବାତାବରଣକୁ ଦେଖିଲେ ଆଗାମୀ ୨୦୧୯ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୧୮ରେ କରାଯିବାକୁ ଏକ ପ୍ରକାର ନରେନ୍ଦ୍ର ମୋଦି ସରକାର ସଜବାଜ ହେଉଥିବା ଆକଳନ କରାଯାଉଛି । ଦେଶର ବିଭିନ୍ନ ପ୍ରାନ୍ତମ୍ବେିଭିନ୍ନ ସମୟରେ ନିର୍ବାଚନ ହେବା ଦ୍ୱାରା ସରକାରୀ ବିଧୀ ବ୍ୟବସ୍ଥା ପ୍ରଭାବିତ ହେବା ସହ ଦେଶ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡୁଥିବା ବାରମ୍ବାର କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୮ ଶେଷ ଆଡକୁ ଅଧିକାଂଶ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେଣୁ ଏକା ସାଂଗରେ ଲୋକସଭା ନିର୍ବାଚନ କରାଇବା ସରକାର ପାଇଁ ଉଭୟ ରାଜନୈତିକ ଓ ବ୍ୟବସ୍ଥାଗତ ଦୃଷ୍ଟିରୁ ଲାଭଜନକ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ରାଜନୈତିକ ମହଲ ଚଳଚଞ୍ଚଳ ହୋଇଛି ।

ଭାରତୀୟ ସମ୍ବିଧାନରେ ମଧ୍ୟ ଏନେଇ ପ୍ରାବଧାନ ରହିଛି । କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ସୁବିଧା ଦୃଷ୍ଟିରୁ ଆଗୁଆ ନିର୍ବାଚନ କରାଇବା ନେଇ ନିଷ୍ପତି ନିଆଯାଇପାରେ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି । ତେଣୁ ଏହି ସୁଯୋଗର ଫାଇଦା ଉଠାଇପାରନ୍ତି ସରକାର । ୨୦୧୮ ନଭେମ୍ବର-ଡିସେମ୍ବରରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ମିଜୋରାମ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । କର୍ଣ୍ଣର୍ାଟକ, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡରେ ବି ସରକାରଙ୍କର କାର୍ଯ୍ୟକାଳ ପୁରୁଛି । ଏହି ରାଜ୍ୟଗୁଡିକ ମଧ୍ୟରୁ ମିଜୋରାମ, ତ୍ରିପୁରା, ନାଗାଲାଣ୍ଡରେ ବିଜେପିର ସ୍ଥିତି ସୁଦୃଢ଼ ନାହିଁ । ଏକାସଙ୍ଗରେ ନିର୍ବାଚନ ହେଲେ ବିଜେପିକୁ ଫାଇଦା ହୋଇପାରେ । ୨୦୧୪ ଭଳି ଏସବୁ ରାଜ୍ୟରେ ବି ମୋଦି ଲହର ଖେଳାଇବାକୁ ଚେଷ୍ଟା କରିବ ଦଳ । ସେହିପରି ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନ ମଧ୍ୟରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଅରୁଣାଞ୍ଚଳ ପ୍ରଦେଶରେ ଦଳର ସାଂଗଠାନିକ ସ୍ଥିତି ଆଦୌ ଭଲ ନଥିଲା । ତେଣୁ ଏସବୁ ରାଜ୍ୟରେ ବି ଦଳ ସରକାର ଗଢ଼ିବା ନେଇ ରଣନୀତି ପ୍ରସ୍ତୁତ କରୁଛି ।