ଆଜିି ଖୋଲିବ ଭାନୁମତୀ ପେଡି । ୨୦୧୪ର ପୁନରାବୃତ୍ତି ହେବ କି?, ଉତ୍କଣ୍ଠାରେ ନେତା, କର୍ମୀ, ଭୋଟର, ଚିନ୍ତାରେ ଦଳବଦଳକାରୀ

ଜଣାପଡ଼ିବ କାହାକୁ ଆଶୀର୍ବାଦ କରିଛନ୍ତି ଜନତା, କାହା ବିରୋଧରେ ଯାଇଛି ଜନମତ

235

କନକ ବ୍ୟୁରୋ: ସେ ସମୟରେ ସମଗ୍ର ଭାରତବର୍ଷକୁ ଆଚ୍ଛାଦିତ କରି ରଖିଥିଲା ମୋଦୀ ହାୱା। ଏହାର ପ୍ରଭାବ ଓ଼ଡ଼ିଶାରେ କେତେ ପଡିବ? ନିର୍ବାଚନ ଫଳାଫଳ ଓଲଟପାଲଟ ହୋଇଯିବ କି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଥର କ୍ଷମତା ହାସଲ କରିବେ ନା ନାହିଁ? ଏମିତି କିଛି ପ୍ରଶ୍ନ ୨୦୧୪ ମେ’ ୧୬ ତାରିଖ ଭୋଟ ଗଣତି ସମୟର ଉତ୍କଣ୍ଠା ବଢାଇ ଦେଇଥିଲା। ତେବେ ଭୋଟ ପେଡିରୁ ଯେଉଁ ରାୟ ବାହାରିଲା, ତାହା ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ବିଜେଡି ସପକ୍ଷରେ ଥିଲା।

ଆଜି ଅର୍ଥାତ୍ ମେ’୨୩ ତାରିଖ ଦିନ ଓଡ଼ିଶାର ୨୧ଟି ଲୋକସଭା ଆସନ ଓ ୧୪୬ ବିଧାନସଭା ଆସନ ଲାଗି ଭୋଟ ଗଣତି ହେବ। ପୂର୍ବଥର ସହିତ ସାମଞ୍ଜସ୍ୟ ରଖୁଥିବା କିଛି ପ୍ରଶ୍ନ ଏଥର ଭୋଟ ଫଳାଫଳର ଗୁରୁତ୍ବକୁ ବି ବଢାଇ ଦେଇଛି। ସମଗ୍ର ଦେଶ ଅପେକ୍ଷା କରିଛି, ପାଞ୍ଚ ବର୍ଷର ଜୋରଦାର କସରତ ପରେ ଓଡ଼ିଶା ଲୋକଙ୍କ ମନ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ସରକାର ଛୁଇଁଛି ନା ନାହିଁ? ସତରେ କଣ ଓଡ଼ିଶାରେ ଭୋଟର ଲୋକସଭା ଓ ବିଧାନସଭାରେ ଅଲଗା ଅଲଗା ଦଳକୁ ଭୋଟ ଦେଇଛନ୍ତି?

ରାଜ୍ୟବାସୀଙ୍କର ବି ସମାନ ଅପେକ୍ଷା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ ନା ନାହିଁ? କେତେ ଆସନ ବିଜେଡି ଦଖଲ କରିବ? ବିଜେପିର ଲୋକସଭା ସଫଳତା ବିଧାନସଭାରେ ପ୍ରତିଫଳିତ ହେବ? କଂଗ୍ରେସ ତିନି ନମ୍ବର ସ୍ଥାନକୁ ଖସିଯିବ କି? ଛତିଶଗଡ ଭଳି ଗଣିତ ଓଲଟପାଲଟ ହୋଇଯିବନି ତ?

ଆଜି ସକାଳ ୮ଟାରୁ ଖୋଲିବ ଭାଗ୍ୟ ପେଡି। ୪ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବ। ଭୋଟ୍ ସରିବା ପରେ ଏଇଦିନକୁ ଅପେକ୍ଷା କରି ବସିଥିଲେ ନେତାଏଁ, କର୍ମୀ ବି। ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହୋଇଥିଲା। ଏପ୍ରିଲ ୧୧ ତାରିଖରେ ସରିଥିଲା ପ୍ରଥମ ପର୍ଯ୍ୟାୟ ମତଦାନ। ସେବେଠାରୁ ପ୍ରାୟ ୬ସପ୍ତାହ ସଂପୃକ୍ତ ଅଞ୍ଚଳର ଭୋଟର ଓ ନେତା ସେମାନଙ୍କ ମତଦାନ ଫଳାଫଳ ଜାଣିବା ଲାଗି ଆଗ୍ରହର ସହିତ ଅପେକ୍ଷା କରି ରହିଛନ୍ତି। ୨୯ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହୋଇଥିଲା। ଏ କ୍ଷେତ୍ରରେ ମଧ୍ୟ ସମୟସୀମା ୩ ସପ୍ତାହରୁ ଅଧିକ। ମଧ୍ୟାହ୍ନ ବେଳକୁ କିଛି ଆସନରେ ଚିତ୍ର ସ୍ପଷ୍ଟ ହୋଇଯିବ। ସନ୍ଧ୍ୟା ସୁଦ୍ଧା ଜଣାପଡିଯିବ, ଆସନ୍ତା ପାଞ୍ଚବର୍ଷ ପାଇଁ କାହାକୁ ପ୍ରତିନିଧି ବାଛୁଛନ୍ତି େଭାଟର। କାହା ହାତରେ କ୍ଷମତା ରହିଲେ ରାଜ୍ୟ ସୁରକ୍ଷିତ ରହିବ ବୋଲି ଭୋଟର ନିଷ୍ପତ୍ତି ନେଇଛନ୍ତି?

ବିଜେଡି ଆଶା ବାନ୍ଧିଛି, ବିଧାନସଭାରେ ୧୦୫ ଆସନରେ ଜିତିବ। ଆଉ ଲୋକସଭାରେ ୧୫ ନିଶ୍ଚିତ। ବଢିପାରେ ସିନା କମିବା ସମ୍ଭାବନା କ୍ଷୀଣ। ଦଳର ଜଣେ ବରିଷ୍ଠ ନେତା ଦାବି କରିଛନ୍ତି, ବିଧାନସଭାରେ ସଂଖ୍ୟା ବଢିବା ସମ୍ଭାବନା ରହିଛି। ଅତି ଖରାପ ହେଲେ ବି ୯୫ ତଳକୁ ଖସିବ ନାହିଁ। ବିଜେପି ମଧ୍ୟ ୭୦ ପାଖାପାଖି ବିଧାନସଭା ଆସନ ଓ ୧୨ ଯାଏ ଲୋକସଭା ଆସନ ଜିତିବ ବୋଲି ହିସାବ କରୁଛି। ରାଜ୍ୟରେ ସରକାର ଗଠନ ବହୁ ଦୂର ନୁହେଁ ବୋଲି ଦଳର ନେତାମାନେ ତୁହାକୁ ତୁହା ପ୍ରଚାର କରୁଛନ୍ତି। ଦାବି ଜଣାଇଛନ୍ତି ଯେ ରାଜ୍ୟରେ କ୍ଷମତା ଚୌକି ବିଜେଡି ଛାଡିବ, ସେମାନେ ନେବେ। କଂଗ୍ରେସ ସଂଖ୍ୟା ଦୌଡରେ ଟିକେ ପଛରେ ଅଛି। ସରକାର ଗଠନ କରିବ େବାଲି ଦାବି କରିନି। ତେବେ ଗୋଟିଏ ମହଲ ସେମାନଙ୍କ ସଂଖ୍ୟା ୨୨ରୁ ୨୫ ମଧ୍ୟରେ ରଖିଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ୫୦ ଆସନ ଦଖଲ କରିବୁ ବୋଲି ଦାବି ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଆଜି ଫଳାଫଳ ନେଇ ଲୋକଙ୍କଉତ୍କଣ୍ଠା ବଢିବାର ଆଉ ଏକ କାରଣ ରହିଛି। ନିର୍ବାଚନ ପୂର୍ବରୁ ଦଳବଦଳ ଏଥର ରେକର୍ଡ ଛୁଇଁଥିଲା। ଆନନ୍ଦପୁର, କାକଟପୁରରେ ପ୍ରାର୍ଥୀ ବିଜେପି ଟିକେଟ୍ ପାଇ ବି ଫେରାଇ ଦେଇଥିଲେ ଓ ଶାସକ ଦଳକୁ ଡେଇଁଥିଲେ। ଆଉ ଯିଏ ଯେଉଁ ଦଳରୁ ଟିକେଟ ନ ପାଇଲା, େଯମିତିକି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଠାରୁ ଆରମ୍ଭ କରି କୁସୁମ ଟେଟେଙ୍କ ପର୍ଯ୍ୟନ୍ତ ସେଭଳି ଅନେକ ନେତା ଦଳ ଡେଇଁ ପ୍ରତିପକ୍ଷ ଦଳ ଟିକେଟରେ ଛିଡା ହୋଇଛନ୍ତି। ପ୍ରଶାସନିକ ପଦ ଛାଡି ଅପରାଜିତା ଷଡ଼ଙ୍ଗୀ, ଶର୍ମିଷ୍ଠା ସେଠୀ ପ୍ରମୁଖ ଅନେକ ପ୍ରତ୍ୟକ୍ଷ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରୁ କାହାକୁ ଭୋଟର ବାଛିଲେ, କାହାକୁ ପ୍ରତ୍ୟାଖ୍ୟାନ କଲେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।