ଏ କି ଭକ୍ତି? ମହାପ୍ରଭୁ ଶ୍ରୀ ଗଣେଶଙ୍କୁ ବି ଛାଡିଲେନି ଲୋକେ । ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ରୂପରେ ସଜ୍ଜିତ ହେଲେ ଗଜାନନ

323

ବଦଳୁଛି ଭକ୍ତିର ଫଣ୍ଡା । ଆରାଧନା ଅପେକ୍ଷା ଡିଜାଇନ୍ ମୂର୍ତ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବିଭିନ୍ନ ପୂଜା କମିଟି । ପ୍ରତିଯୋଗିତା ନିଶାରେ ପ୍ରଭୁ ଗଜାନନଙ୍କ ମୂର୍ତ୍ତିକୁ ଭିନ୍ନ ଋପ ଦେବାକୁ ପଛାଉ ନାହାନ୍ତି କମିଟିର ସଦସ୍ୟ । କିଛି ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟର ଅହମ୍ମଦାବାଦରେ । ଗତ ସେପ୍ଟେମ୍ବର ୨ ତାରିଖରେ ସାରା ଦେଶରେ ଲୋକେ ଗଜାନନଙ୍କୁ ଘରକୁ ଆଣିବା ସହ ତାଙ୍କର ପୂଜା କରିଥିଲେ । ବିଭିନ୍ନ ସାହିବସ୍ତିରେ ପ୍ରଭୁ ଶ୍ରୀ ଗଶେଷଙ୍କ ଭିନ୍ନ ଭିନ୍ନ ପ୍ରକାରର ପ୍ରତିମା ଦେଖିବାକୁ ମିଳିଥିଲା । ତେବେ ଏ ମଧ୍ୟରେ ଗୁଜୁରାଟର ଅହମ୍ମଦାବାଦରେ କରାଯାଇଥିବା ଏକ ଗଣେଶ ପୂଜା ପଣ୍ଡାଲରେ ପ୍ରଭୁଙ୍କର ଏକ ଅଜବ ମୂର୍ତ୍ତି ଦେଖିବାକୁ ମିଳିଥିଲା । ବୀର ପାଇଲଟ୍ ଅଭିନନ୍ଦନଙ୍କ ଭଳି ପ୍ରଭୁ ଶ୍ରୀଗଶେଶଙ୍କ ପ୍ରତିମା ତିଆରି କରାଯାଇଥିଲା । ତେବେ ପୂଜା କମିଟି ପକ୍ଷରୁ ପ୍ରଭୁ ଶ୍ରୀଗଣେଶଙ୍କୁ ପାଇଲଟ୍ ଅଭିନନ୍ଦନଙ୍କ ରୂପ ଦେବା କେତେ ଦୂର ଠିକ୍, ତାହା ଏବେ ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ।

ଦେଖିବାକୁ ଗଲେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ପ୍ରଭୁ ଶ୍ରୀଗଣେଶଙ୍କୁ ଅନେକ ସାଧାରଣ ମଣିଷଙ୍କ ରୂପ ଦିଆଯାଇଛି । ତେବେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିବା ପରେ ଭଗବାନଙ୍କୁ ସାଧାରଣ ମଣିଷଙ୍କ ଭଳି ସଜାଇବା କେତେ ଦୂର ଠିକ୍, ତାହା ଏବେ ବିତର୍କର ବିଷୟ ପାଲଟିଛିି । ବୀର ପାଇଲଟ୍ ଅଭିନନ୍ଦନ ଭାରତ ପାଇଁ ପାକିସ୍ତାନ ବିରୋଧରେ ଯେଉଁ ଲଢ଼େଇ ଲଢ଼ିଥିଲେ, ତାହା ନିଶ୍ଚୟ ପ୍ରଶଂସାଯୋଗ୍ୟ । ଏମିତି କି ସାରା ଦେଶବାସୀଙ୍କ ପାଇଁ ସେ ଏକ ସମୟରେ ହିରୋ ପାଲଟିଥିଲେ ମଧ୍ୟ ତାଙ୍କୁ ଭଗବାନଙ୍କ ସହ ତୁଳନା କରିବା ବା ଭଗବାନ ପ୍ରତିମୂର୍ତ୍ତି ସହ ତାଙ୍କୁ ପ୍ରତିଛବିକୁ ମିଶାଇବା ଆଦୌ ସ୍ପୃହଣୀୟ ନୁହେଁ । କିଛି ଲୋକ ଚର୍ଚ୍ଚାକୁ ଆସିବା ପାଇଁ ଏଭଳି କାମ କରୁଥିବା ବେଳେ ଠାକୁରଙ୍କ ପୂଜାକୁ ସେମାନେ ଦେଖାଣିଆ କରି ସାରିଲେଣି । ନିଜର ଲାଭ ଓ ସହଜରେ ଚର୍ଚ୍ଚିତ ହେବା ପାଇଁ ସେମାନେ ଏଭଳି ଶସ୍ତା ବାଟ ଆପଣାଉଛନ୍ତି । ଏମିତି ଅନେକ ପୂଜା କମିଟି ରହିଛନ୍ତି,
ଯେଉଁମାନେ କୌଣସି ବ୍ୟକ୍ତିବିଶେଷକୁ ସମ୍ମାନ ଦେବାକୁ ଯାଇ ଭଗବାନଙ୍କୁ ଅସମ୍ମାନିତ କରୁଛନ୍ତି । ଏଭଳି କରିବାରେ ସେମାନେ ଟିକେ ବି ସଙ୍କୋଚ ମନେ କରୁ ନାହାନ୍ତି । ପ୍ରତିବର୍ଷ ବିଭିନ୍ନ ପୂଜା ପଣ୍ଡାଲରେ ପ୍ରଭୁ ଶ୍ରୀ ଗଣେଶଙ୍କ ବାସ୍ତବ ମୂର୍ତ୍ତି ପରିବର୍ତ୍ତେ ତାଙ୍କୁ ଭିନ୍ନ ଭିନ୍ନ ବ୍ୟକ୍ତିବିଶେଷଙ୍କ ପରିଚୟ ଦିଆଯାଇଥାଏ । ଜଣଙ୍କୁ ସମ୍ମାନ ଦେବାକୁ ଯାଇ ଏଭଳି କରିବା ନିହାତି ଭାବରେ ଭଗବାନଙ୍କ ପ୍ରତି ଅସମ୍ମାନ କରିବା ଭଳି।