ବାପା କାନ୍ଧରେ ବସିଛି ପୁଅ…ମାଆ କାନ୍ଧରେ ଜୀବନ ଜୀବିକାର ବୋଝ: ଲକଡାଉନ୍ ଘୋଷଣା ପରେ ୧୨୦୦ କିମି ରାସ୍ତା ଚାଲି ଚାଲି ଉତ୍ତରପ୍ରଦେଶ ଗଲେ ଦମ୍ପତି
କନକ ବ୍ୟୁରୋ: ବାପା କାନ୍ଧ ଉପରେ ବସିଛି ପୁଅ। ମାଆ କାନ୍ଧରେ ଜୀବନ ଜୀବିକାର ବୋଝ। କଷ୍ଟ ସତ୍ବେ ଟାଇଁ ଟାଇଁ ଖରାରେ ନିର୍ଜନ ରାସ୍ତାରେ ଚାଲି ଚାଲି ନିଜ ଗାଁ ଅଭିମୁଖେ ଆଗେଇ ଚାଲିଛନ୍ତି ଦମ୍ପତି। ରାୟଗଡ଼ାରୁ ବାହାରିଥିବା ଦମ୍ପତିଙ୍କ ଏହି ପଦଯାତ୍ରା କଳାହାଣ୍ଡି କି କନ୍ଧମାଳ ନୁହଁ, ୧୨୦୦ କିମି ଦୂରରେ ଥିବା ଉତ୍ତରପ୍ରଦେଶ ଅଭିମୁଖେ। ଭାରତ ଲକଡାଉନ୍ ଘୋଷଣା ପରେ ଦୁଇ ଦିନ ରାୟଗଡ଼ାରେ ଅପେକ୍ଷା କରିବା ପରେ ନିରୁପାୟ ଦମ୍ପତି ଶେଷରେ ପାଦରେ ଚାଲି ଚାଲି ନିଜ ଗାଁକୁ ଯାଇଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଉତ୍ତରପ୍ରଦେଶ ରାଜ୍ୟ କାଣ୍ଟି ଗାଁର ରାଜୁ ସିଂ ଓ ଧନାଇ ବାଇ। ବୃତ୍ତିରେ ବୁଲା ବେପାରୀ। ଯାଯାବର ଜୀବନ ବିତାଉଥିବା ଏହି ଦମ୍ପତି ବିଭିନ୍ନ ସ୍ଥାନ ବୁଲି ରୁଦ୍ରାକ୍ଷ ମାଳା ବିକ୍ରି କରି ଚଳନ୍ତି। ଲକଡାଉନ୍ ଘୋଷଣାର ୩ ଦିନ ପୂର୍ବରୁ ପେଟ ପାଟଣା ପାଇଁ ରାଜୁ, ସ୍ତ୍ରୀ ଧନାଇ ଓ ୪ ବର୍ଷର ପୁଅ ସହ ରାୟଗଡ଼ାରେ ପହଞ୍ଚିଥିଲେ। ରାସ୍ତାକଡ଼ରେ ମୁଣ୍ଡ ଗୁଞ୍ଜିବା ସହ ଦୈନିକ ରୁଦ୍ରାକ୍ଷ ମାଳା ବିକ୍ରି ବାବଦକୁ ଯାହା ଦି ପଇସା ମିଳୁଥିଲା ସେଥିରେ ଜୀବନ ଅତିବାହିତ କରୁଥିଲେ। ସଂଘର୍ଷମୟ ପରିସ୍ଥିତିରେ ଜୀବନ ଜିଉଁଥିବା ଦମ୍ପତି କରୋନା ପ୍ରଭାବ ସଂପର୍କରେ ସୂଚନା ପାଇନଥିଲେ।
ଲକଡାଉନ ଘୋଷଣାର ୨ ଦିନ ପରେ ବସ୍, ଟ୍ରେନ୍ ଚଳାଚଳ ଓ ଦୋକାନ ବଜାର ବନ୍ଦ ସଂପର୍କରେ ଜାଣିବା ପରେ ଚାଲି ଚାଲି ନିଜ ଗାଁ ଅଭିମୁଖେ ଯାଇଛନ୍ତି। ହୋଟେଲ୍ ବନ୍ଦ ଯୋଗୁ ୩ ଦିନ ଓଳିଏ ଖାଇ ଓଳିଏ ଉପାସରେ ବଞ୍ଚିଥିବା ରାଜୁ ସିଂ ପ୍ରକାଶ କରିଛନ୍ତି। ୩ ସପ୍ତାହ ଧରି ସ୍ଥିତିରେ ସୁଧାର ନ ଆସିବା ଜାଣି ସକାଳୁ ରାୟଗଡ଼ାରୁ ବାହାରିଥିବା ଦମ୍ପତି ଅପରାହଣ୍ ୩ଟା ସୁଦ୍ଧା ବିଷମକଟକରେ ପହଞ୍ଚିଥିବା ବେଳେ ପ୍ରତିଦିନ ୫୦/୬୦ କିମି ରାସ୍ତା ଚାଲି ଗାଁରେ ପହଞ୍ଚିବାକୁ ମନରେ ଆଶା ବାନ୍ଧିଛନ୍ତି। ଏହି ଘଟଣାରୁ ସାରା ଦେଶରେ ଜାରି ହୋଇଥିବା ଲକଡାଉନ୍ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଥିବା ସ୍ପଷ୍ଟ ହୋଇଛି। ପେଟ ପାଟଣା ଲାଗି ବିଭିନ୍ନ ରାଜ୍ୟର ବୁଲା ଓ ରାସ୍ତାକଡ଼ ବେପାରୀ ରାୟଗଡ଼ା ଆସିଥିବା ବେଳେ ଗାଡ଼ି ଚଳାଚଳ ଦୋକାନ, ବଜାର ବନ୍ଦ ଯୋଗୁ ରାଜୁ ସିଂଙ୍କ ପରିବାର ଭଳି ଚାଲି ଚାଲି ନିଜ ଗାଁ ଅଭିମୁଖେ ଯାଇଛନ୍ତି।