ରଙ୍ଗ ବେରଙ୍ଗ ଆଲୋକ ସଜାରେ ଝଟକିଲା ଉହାନ । ୭୬ ଦିନ ପରେ କରୋନାର ଉତ୍ପତି ସ୍ଥଳରୁ ହଟିଲା ଲକଡାଉନ ।

1,840

କନକ ବ୍ୟୁରୋ : ସାରା ବିଶ୍ୱ କରୋନା ଆତଙ୍କରେ ଆତଙ୍କିତ ହୋଇଛି । ଠିକ୍ ଏତିକିବେଳେ କିନ୍ତୁ କରୋନାର ଉତ୍ପତି ସ୍ଥଳ କୁହାଯାଉଥିବା ଚୀନର ଉହାନରେ ସ୍ଥିତି ସ୍ୱାଭାବିକ ହେଉଛି । ପ୍ରାୟ ୭୬ ଦିନ ପରେ ଉହାନରୁ ହଟିଛି ତାଲାବନ୍ଦ । ଯାତାୟତ ଓ ଗମନାଗମନ ଉପରୁ କଟକଣା ହଟିଛି । ଜାତୀୟ ରାଜପଥ ଖୋଲିଥିବାବେଳେ, ରେଳ ଓ ବିମାନ ସେବା ବି ଆରମ୍ଭ ହୋଇଛି । ସେପଟେ କରୋନା ଲଢେଇରେ ସାହାସିକତା ଦେଖାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ପୁରା ସହର ଆଲୋକମାଳାରେ ସଜେଇ ହୋଇଛି ।

ଉହାନରୁ କଟକଣା ହଟିଥିବାରୁ ଏହି ସହରର ଲୋକେ ଦେଶର ଅନ୍ୟ ପ୍ରାନ୍ତକୁ ଯାଇପାରିବେ । କଟକଣା ହଟିବା ପରେ ସହରରେ ରେଳପଥ, ବିମାନ ସେବା ଓ ଜାତୀୟ ରାଜପଥକୁ ଖୋଲି ଦିଆଯାଇଛି । ତେବେ ଲକ ଡାଉନ ହଟିବାର ପ୍ରଥମ ଦିନରେ ପ୍ରାୟ ୫୫ହଜାର ଲୋକ ଉହାନରୁ ବାହାରକୁ ଯାଇପାରନ୍ତି ବୋଲି ଆକଳନ କରାଯାଇଛି ।

ଏବେ ଉହାନରୁ ଲକଡାଉନ ହଟିଥିଲେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶନାମା ରହିଛି । ଯେପରି ଘରୁ ବାହାରୁ ଥିବା ସମସ୍ତଙ୍କୁ ଏକ ସ୍ୱତନ୍ତ୍ର ଆପ ଜରିଆରେ ଏକ ସ୍କାନ କୋଡ ଦିଆଯାଇଛି ଯାହାକୁ ଚେକିଂ ହେଉଥିବା ପ୍ରତିଟିସ୍ଥାନରେ ଦେଖାଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପଡିବ ।

ଚୀନର ଉହାନରେ ପ୍ରାୟ କୋଟିଏରୁ ଅଧିକ ଲୋକ ରହୁଛନ୍ତି । ଡିସେମ୍ବର ମାସରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜାନୁଆରୀ ୨୩ରେ ହୁବେଇ ପ୍ରାନ୍ତର ରାଜଧାନୀ ଉହାନକୁ ଲକଡାଉନ ଘୋଷଣା କରିଥିଲେ ଚୀନ ସରକାର । ଯାହାକୁ ପରବର୍ତୀ ପର୍ଯ୍ୟାୟରେ ବଢାଇ ଦିଆଯାଇଥିଲା । ଉହାନରେ ପ୍ରାୟ ୫୦ହଜାର ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ଅଢେଇ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଚୀନର ସରକାରୀ ତଥ୍ୟ ଅନୁସାରେ ଚୀନରେ କରୋନା ମୃତକଙ୍କ ମଧ୍ୟରୁ ପ୍ରାୟ ୮୦ପ୍ରତିଶତ ଲୋକ ଉହାନ ପ୍ରାନ୍ତର । କିଛି ଦିନ ପୂର୍ବରୁ ହୁବେଇ ପ୍ରାନ୍ତରୁ ଲକଡାଉନକୁ ହଟାଇ ଦିଆଯାଇଥିଲା । ସେଠାରେ ଗତ ୨୧ଦିନ ମଧ୍ୟରେ ୩ଟି ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।