ଦେଶରେ ପୁଣି ଲମ୍ବିପାରେ ଲକଡାଉନର ଲକ୍ଷ୍ମଣରେଖା । ଜୁନ ୧ରେ ଆସିପାରେ ଲକଡାଉନ ୫.୦ । ତାଲାବନ୍ଦ ନେଇ ମନ କି ବାତରେ ବଡ ଘୋଷଣା କରିପାରନ୍ତି ମୋଦି । ଜାଣନ୍ତୁ କଣ ରହିବ କଟକଣା ? କଣ ହୋଇପାରେ କୋହଳ ?

2,921

କନକ ବ୍ୟୁରୋ: ପୁଣି ବଢିପାରେ ତାଲାବନ୍ଦ ଅବଧି । ଦେଶରେ ଲାଗୁ ହୋଇପାରେ ଲକଡାଉନ ୫.୦ । ମନ କି ବାତରେ ଘୋଷଣା କରିପାରନ୍ତି ମୋଦି । କରୋନା ମୁକାବିଲା ପାଇଁ ଦେଶରେ ପୁଣି ଲମ୍ବିପାରେ ଲକଡାଉନର ଲକ୍ଷ୍ମଣରେଖା । ଲକଡାଉନର ୪ର୍ଥ ପର୍ଯ୍ୟାୟ ସରୁ ସରୁ ପଞ୍ଚମ ପର୍ଯ୍ୟାୟ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୩୧ ତାରିଖରେ ତାଲାବନ୍ଦ ଅବଧି ସରୁଥିବା ବେଳେ ଏହାର ଠିକ ପରଦିନ ଅର୍ଥାତ ଜୁନ ୧ ତାରିଖରେ ଲକଡାଉନ ୫.୦ ଲଗାଇପାରନ୍ତି ମୋଦି । ରବିବାର ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ତାଲାବନ୍ଦ ଅବଧି ବଢାଇବା ନେଇ ବଡ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ।

ତେବେ ଲକଡାଉନ ୪.୦ ଅପେକ୍ଷା ୫.୦ରେ ଅନେକ କିଛି କୋହଳ କରିପାରନ୍ତି କେନ୍ଦ୍ର ସରକାର । କରୋନା ପ୍ରଭାବିତ ୧୧ଟି ସହରକୁ ଛାଡି ଦେଲେ ଦେଶର ବାକି ରାଜ୍ୟ ଓ ସହରରେ କଟକଣା କୋହଳ ହୋଇପାରେ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ପୁଣେ, ଅହମଦାବାଦ, ଜୟପୁର, ସୁରତ, କୋଲକାତା ଆଦି କିଛି ସହରରେ କଟକଣା କଡା ରହିବ ।

ସେହିପରି ଆସିବାକୁ ଥିବା ନୂଆ ଲକଡାଉନରେ ଧାର୍ମିକ ସ୍ଥାନ ଉପରେ ଥିବା କଟକଣା ହଟିପାରେ । ଧାର୍ମିକ ସ୍ଥାନରେ ସର୍ତ୍ତାବଳୀ ସହ ଲଗାଯାଇଥିବା କଟକଣା କୋହଳ କରାଯାଇପାରେ । ଧର୍ମାନୁଷ୍ଠାନରେ ମେଳା, ମହୋତ୍ସବ ଭଳି ବଡ ବଡ ସଭା ହୋଇପାରିବନି । ଆଉ ଏସବୁ ସ୍ଥାନରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ ହେବ ।

ଲକଡାଉନ ୫.୦ରେ ଖୋଲିପାରେ ସେଲୁନ ଏବଂ ଜିମ । କଣ୍ଟେନମେଣ୍ଟ ଜୋନ୍ ଛାଡି ଅନ୍ୟ ସବୁଠି ସେଲୁନ ଖୋଲିବାକୁ ମିଳିପାରେ ଅନୁମତି । ତେବେ ଏହି ସମୟରେ ଖୋଲିବନି କଲେଜ ଓ ୟୁନିଭର୍ସିଟି । ବଡ କଥା ହେଉଛି ନୂଆ ଲକଡାଉନରେ ବାହାଘର ଏବଂ ଅନ୍ତିମ ସଂସ୍କାର ପାଇଁ ଥିବା କଟକଣା କିଛି ମାତ୍ରାରେ କୋହଳ ହୋଇପାରେ । ବାହାଘର ଏବଂ ଅନ୍ତିମ ସଂସ୍କାରରେ ଆଉ କିଛି ଲୋକଙ୍କୁ ସାମିଲ ପାଇଁ ଅନୁମତି ଦିଆଯାଇପାରେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଲାବନ୍ଦର ୫ମ ପର୍ଯ୍ୟାୟ ମଧ୍ୟ ୧୪ ଦିନ ରହିପାରେ । ତେବେ ମନ କି ବାତରେ ଲକଡାଉନ ନେଇ କଣ ଘୋଷଣା କରୁଛନ୍ତି ପ୍ରଧାନମନ୍ତ୍ରୀ ତାରି ଉପରେ ସାରା ଦେଶର ନଜର ।