ଜୁନ ପହିଲାରୁ ପୁଣି ବଢିପାରେ ତାଲାବନ୍ଦ ଅବଧି । ରବିବାର ‘ମନ କି ବାତ’ରେ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ।ଅନେକ କଟକଣା କୋହଳ ହେବା ସମ୍ଭାବନା

1,118

କନକ ବ୍ୟୁରୋ : ଜୁନ ପହିଲାରୁ ତାଲାବନ୍ଦ ଅବଧିକୁ ବଢାଇପାରନ୍ତି କେନ୍ଦ୍ର ସରକାର । କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ଜାରି ରହିଥିବା ଲକ୍‌ଡାଉନ୍-୪ ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଛି । କେନ୍ଦ୍ର ସରକାର ଲକ୍ ଡାଉନ୍ ଅବଧିକୁ ବଢ଼ାଇବାକୁ ‌ଯୋଜନା କରିଥିବାର ଖବର ମିଳିଛି । ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ ମୋଦୀ ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’‌ରେ ଏହି ଘୋଷଣା କରିପାରନ୍ତି। ତେବେ ଜୁନ ପହିଲାରୁ ଲକ୍ ଡାଉନ୍-୫ ବେଳେ ଅନେକ କଟକଣାକୁ କୋହଳ କରାଯିବାର ସମ୍ଭାବନା ରହିଛି । ଏସଂପର୍କରେ ନିଷ୍ପତ୍ତି ନେବାଲାଗି ରାଜ୍ୟ ସରକାରମାନଙ୍କୁ ଅଧିକ କ୍ଷମତା ଦିଆଯିବ।

ତେବେ ଦେଶର ୧୧ଟି ସହରରେ କଟକଣା କୋହଳ ହେବାର ସମ୍ଭାବନା କମ୍। ଏହି ୧୧ଟି ସହ‌ରକୁ କରୋନା ହଟ୍ ସ୍ପଟ୍ ରୂପେ ବିଚାର କରାଯାଉଛି । ଦେଶରେ ଦେତେ କରୋନା ମାମଲାର ରେକର୍ଡ କରାଯାଉଛି ତାହାର ୭୦ ଭାଗ କେବଳ ଏହି ୧୧ଟି ସହରରେ ରହିଛି । ଏହି ସହରଗୁଡ଼ିକ ‌‌ହେଲା- ଦିଲ୍ଳୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ, ଥାନେ, ଇନ୍ଦୋର, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ସୁରଟ ଏବଂ କୋଲକାତା ।

ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ ଲକଡାଉନ୍-୫ ସମୟରେ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଖୋଲିବା ଲାଗି ଅନୁମତି ମିଳିପାରେ। କିନ୍ତୁ ଏଥିପାଇଁ ସର୍ତ ରଖାଯିବ। ଏହି ସମୟରେ କୌଣସି ଯାତ୍ରା ଓ ଉତ୍ସବକୁ ଅନୁମତି ପ୍ରଦାନ କରାଯିବ ନାହିଁ। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯିବ।