ଆଜି ନୂଆ ଗାଇଡଲାଇନ୍ ସହ ଆସିବ ଲକଡାଉନ୍ ୪.୦! କୋହଳ ହୋଇପାରେ କଟକଣା: ଅଧିକାଂଶ ରାଜ୍ୟର ଦାବି, ମିଳୁ ଅର୍ଥନୈତିକ ସ୍ୱାଧୀନତା

ସେପଟେ ମେ ୩୧ ଯାଏ ଲକଡାଉନ୍ ବଢାଇଲା ପଂଜାବ

1,535

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଦେଶରେ ଲାଗୁ ହୋଇଥିବା ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଆଜି ଶେଷ ହେଉଛି । ମେ ୩ ତାରିଖରୁ ଚାଲିଥିବା ତାଲାବନ୍ଦ ୩.୦ର ଆଜି ଶେଷ ଦିନ । ଖୁବଶୀଘ୍ର ଆସିବ ଲକଡାଉନ୍ ୪.୦ । ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ, ଲକଡାଉନ୍ ୪.୦ ନୂଆ ରୂପରେ ଆସିବ । ନୂଆ ଗାଇଡଲାଇନ୍ ଓ ନୂଆ କଟକଣା ଭିତରେ ପୂର୍ବର ଅନେକ କଟକଣା କୋହଳ ବି କରାଯିବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ କଟକଣା କୋହଳ କରି ଅର୍ଥନୈତିକ ସ୍ୱାଧୀନତାକୁ ବଢାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି ଅନେକ ରାଜ୍ୟ । ଭାରତରେ ଅର୍ଥନୈତିକ କାଯ ର୍୍ୟକଳାପ ନିଶ୍ଚଳ ହୋଇପଡିଥିବା ବେଳେ ଅତ୍ୟନ୍ତ ସକ୍ରିୟ ଶୈଳୀରେ ଅର୍ଥନୀତିକୁ ପୁଣି ଆରମ୍ଭ କରିବାକୁ ରାଜ୍ୟମାନେ ଚାହୁଁଛନ୍ତି ।

ଜୋନ୍ ଘୋଷଣା ରାଜ୍ୟକୁ କ୍ଷମତା ଦିଆଯାଉ ବୋଲି ପଂଜାବ ସରକାର ଦାବି କରିଛନ୍ତି । ଏଥିସହ ରାଜ୍ୟରେ ଲକଡାଉନ୍ ଆସନ୍ତା ୩୧ ତାରିଖ ଯାଏ ବଢାଇଦେଇଛନ୍ତି ସରକାର । ଅଦଳବଦଳ ଦିନରେ ବିଭିନ୍ନ ବଜାର ଓ ପାର୍କ ଖୋଲିବାକୁ ଅନୁମତି ମାଗିଛନ୍ତି ଦିଲ୍ଲୀ ସରକାର । କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖି କେରଳ ସରକାର କହିଛନ୍ତି ଯେ, ସର୍ବସାଧାରଣ ଚଳପ୍ରଚଳ ଗଣପରିବହନ ପାଇଁ ଆଂଶିକ ଅନୁମତି ମିଳୁ । ତେବେ ରାଜ୍ୟ-ରାଜ୍ୟ ମଧ୍ୟରେ ଏବଂ ଅନ୍ତର୍ଜାତୀୟ ଯାତ୍ରୀ ପରିବହନ ଉପରେ ସେମିତି କଟକଣା ରହିବା ଉଚିତ । ଏହାରି ଭିତରେ ଜିମ୍ ଓ ଗଲ୍ଫ ରେସର୍ଟ ଖୋଲିବା ଏବଂ ୩୦ ପ୍ରତିଶତ ବସିବା ବ୍ୟବସ୍ଥା କରି ରେଷ୍ଟୁରାଂଟ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି କଣ୍ଣାଟକ ସରକାର । ରାଜ୍ୟ ଗୁଡିକର ଏଭଳି ଦାବି ଓ ପ୍ରସ୍ତାବ ଉପରେ ବିଚାର କରି ୧୮ ମେ ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ଦେଶରେ ଲାଗୁ ହେବ ଲକଡାଉନ୍ ୪.୦ ।